ରାଜଧାନୀରେ କରୋନା: ୨୨୦ ଆକ୍ରାନ୍ତ, ୧୨୩ ସୁସ୍ଥ

ଦୈନିକ ପରୀକ୍ଷା ୩ହଜାର ଛୁଇଁଲା, ପ୍ଲାଜ୍‌ମା ଦେଲେଣି ୧୩ ଜଣ

ଭୁବନେଶ୍ବର: ଆଜି ରାଜଧାନୀରୁ ୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୦୭ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୩୬ଜଣ ସଙ୍ଗରୋଧରେ ଥିବା ବେଳେ ୮୪ଜଣ ସ୍ଥାନୀୟ ସଂକ୍ରମିତ। ସଙ୍ଗରୋଧରେ ଥିବା ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବେଙ୍ଗାଲୁରୁରୁ ଏବଂ ଜଣେ ଦିଲ୍ଲୀରୁ ନିକଟରେ ଫେରିଥିଲେ। ଆଜିର ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ବରରେ ଏବେ ୧୯୮୩ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨୮ଜଣଙ୍କର ଆଜି ସୁଦ୍ଧା ମୃତ୍ୟୁ ହୋଇଥିବା ବେଳେ ୩୬୯୦ଜଣ ସୁସ୍ଥ ହୋଇସାରିଲେଣି। ଆଜି ୧୨୩ଜଣ ସୁସ୍ଥ ହୋଇଛନ୍ତି।

ଆଜି ଗୋଟିଏ ଦିନରେ ୨୩ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଚନ୍ଦ୍ରଶେଖରପୁରସ୍ଥିତ ୭ମ ବାଟାଲିଅନରୁ ୮ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଜଣେ ମହିଳା କର୍ମଚାରୀ ଏଥିରେ ଅଛନ୍ତି। ୭ଜଣ ରିଜର୍ଭ ପୁଲିସ କଲୋନି, ୪ଜଣ ବିଭିନ୍ନ ଥାନାର ପୁଲିସ କର୍ମଚାରୀ, ୩ଜଣ ଟ୍ରାଫିକ ପୁଲିସ ଚିହ୍ନଟ ହୋଇଛନ୍ତି। କମିସନରେଟ୍‌ ପୁଲିସର ଏସିପି ଜୋନ୍‌-୪ ବି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୫୩ ବର୍ଷୀୟ ଏହି ପୁଲିସ ଅଧିକାରୀଜଣକ ସ୍ଥାନୀୟ ସଂକ୍ରମିତ। କମିସନରେଟ୍‌ ପୁଲିସର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଏବେ ବିଭିନ୍ନ ଥାନାରେ କେତେକ କର୍ମଚାରୀ ଘରେ ସ‌ଙ୍ଗରୋଧରେ ରହୁଛନ୍ତି। ଫଳରେ ବିଭିନ୍ନ ଥାନାରେ ଏବେ କର୍ମଚାରୀ ଅଭାବ ପରିସ୍ଥିତି ଦେଖାଗଲାଣି।

ଅପରପକ୍ଷେ ଆଜି ସବୁଠୁ ଅଧିକ ଆକ୍ରାନ୍ତ ନୂଆପଲ୍ଲୀ ଗୋବିନ୍ଦ ନଗର ବସ୍ତିରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୀଳାଦ୍ରିବିହାର ରିକ୍ସା କଲୋନିରୁ ତିନି ଜଣ, ଝାରପଡ଼ା ଜଗନ୍ନାଥ ଆଭେନ୍ୟୁର ୩ଜଣ, ଲକ୍ଷ୍ମୀସାଗରରୁ ୫ଜଣ, ବଡ଼ଗଡ଼ ବ୍ରିଟ୍‌ କଲୋନିରୁ ୬ଜଣ, ଗଜପତି ନଗରରୁ ୪ଜଣ, ରେଣ୍ଟାଲ କଲୋନିର ୪ଜଣ, ବାଣୀବିହାର ପଥରବନ୍ଧ ବସ୍ତିରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀର ପ୍ରାୟ ସମସ୍ତ ସ୍ଥାନରୁ ଜଣେ/ଦୁଇ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦୈନିକ ପରୀକ୍ଷା ୩ହଜାର ଛୁଇଁଲା
ଭୁବନେଶ୍ବର: ଗତ କିଛି ଦିନ ହେଲା ରାଜଧାନୀରେ ଦୈନିକ ୨ ହଜାରରୁ ଅ‌ଢ଼େଇ ହଜାର ଲୋକଙ୍କ କରୋନା ପରୀକ୍ଷା ହେଉଥିବା ବେଳେ ଆଜି ଏହା ୩ ହଜାର ଛୁଇଁଛି। ଏପରିକି ଗତ ୬ ଦିନରେ ୧୪୨୨୩ଜଣଙ୍କର ପରୀକ୍ଷା ହୋଇଛି। ଆଜି ସୁଦ୍ଧା ରାଜଧାନୀରେ ୯୭୭୭୯ ଜଣଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ବୁଧବାର ଏହା ଲକ୍ଷେ ଟପିବାର ସମ୍ଭାବନା ଅଛି। ସମୁଦାୟ ପରୀକ୍ଷାରୁ ୫୭୦୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ପ୍ଲାଜ୍‌ମା ଦେଲେଣି ୧୩ ଜଣ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆଜି ସୁଦ୍ଧା ସୁସ୍ଥ ହୋଇଥିବା ୧୩ଜଣ କରୋନା ଆକ୍ରାନ୍ତ ପ୍ଲାଜ୍‌ମା ଦାନ କରିଛନ୍ତି। ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥାଏ। ତାଙ୍କଠାରୁ ପ୍ଲାଜ୍‌ମା ଫେରେସିସ୍ ପ୍ରକ୍ରିୟାରେ ପ୍ଲାଜ୍‌ମା ନେଇ ଗୁରୁତରଙ୍କୁ ଦେଲେ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଛି। ତେଣୁ କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଜଣେ ଯୋଗ୍ୟ ବ୍ୟକ୍ତି ଯଦି ପ୍ଲାଜ୍‌ମା ଦାନ କରିବାକୁ ଚାହାନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୋର୍ଟାଲକୁ ଯାଇ ପଞ୍ଜୀକରଣ କରିବାକୁ ହେବ। ପଞ୍ଜୀକରଣ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ବିବିଧ ଥରକୁ ଥର ପରୀକ୍ଷା କରାଯିବା ପରେ ବିବରଣୀକୁ ଭିତ୍ତି କରି ପ୍ଲାଜ୍‌ମା ସଂଗ୍ରହ କରାଯିବ। ଏବେ ରାଜ୍ୟ ସରକାର ଏହାକୁ ଏକ ଫ୍ଲାଗ୍‌ସିପ୍ ପ୍ରୋଗ୍ରାମ୍ କରି ପ୍ଲାଜ୍‌ମା ଦାନକୁ ଉତ୍ସାହିତ କରୁଛନ୍ତି। ଏବେ ଏସ୍‌ସିବି, କ୍ୟାପିଟାଲ ହସ୍ପିଟାଲ, ଏମ୍‌କେସିଜି, ଇସ୍ପାତ ଜେନେରାଲ୍ ହସ୍ପିଟାଲ୍‌, ରାଉରକେଲା ଇତ୍ୟାଦିରେ ପ୍ଲାଜ୍‌ମା ଚିକିତ୍ସା କରାଯାଉଛି। ଖୁବ୍‌ ଶୀଘ୍ର ସହିଦ ଲକ୍ଷ୍ମଣ ନାଏକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌, କୋରାପୁଟରେ ଏହା ଆରମ୍ଭ ହେବାର ଯୋଜନା ଅଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ସୁସ୍ଥ ବ୍ୟକ୍ତି ଯାହାର ବୟସ ୧୮ରୁ ୬୦ ମଧ୍ୟରେ ଏବଂ ଓଜନ ୫୫କିଲୋରୁ ଅଧିକ ହୋଇନଥିବ, ପୂର୍ବରୁ କୋଭିଡ଼୍‌-୧୯ ବୋଲି ପରୀକ୍ଷାରୁ ଚିହ୍ନଟ ହୋଇଥିବେ, ରୋଗ ଲକ୍ଷଣ ସଂପୂର୍ଣ୍ଣ ହଟିଯିବା ପରେ ଏବଂ ପ୍ଲାଜ୍‌ମା ଦାନ କରିବାର ୨୮ ଦିନ ପୂର୍ବରୁ ନେଗେଟିଭ୍ ବୋଲି ପରୀକ୍ଷାରୁ ଚିହ୍ନିତ ହୋଇଥିବେ ସେ ହିଁ ପ୍ଲାଜ୍‌ମା ଦାନ କରିବେ। କେବଳ ଗ୍ରେଡ୍‌-୨ ରୋଗୀ ଅର୍ଥାତ୍‌ ଯେଉଁମାନଙ୍କୁ ଅମ୍ଳଜାନ ଦିଆଗଲେ ମଧ୍ୟ ଅବସ୍ଥାରେ ଉନ୍ନତି ହୁଏ ନାହିଁ, ସେଠାରେ ପ୍ଲାଜ୍‌ମା ଚିକିତ୍ସା କରାଯାଇଥାଏ ବୋଲି କ୍ୟାପିଟାଲ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର