୧୬ରେ ଜାତୀୟ ପ୍ରେସ୍ ଦିବସ: ପ୍ରଶାନ୍ତ ପଟ୍ଟନାୟକଙ୍କୁ ‘ଉତ୍କଳ ସାମ୍ବାଦିକରତ୍ନ ସମ୍ମାନ’

ଭୁବନେଶ୍ୱର: ଆସନ୍ତା ୧୬ ତାରିଖ (ମଙ୍ଗଳବାର) ଦିନ ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ କରାଯିବ। କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନ୍‌ଫରମେସନ ବ୍ୟୁରୋ (ପିଆଇବି), ରିଜିଓନାଲ ଆଉଟ୍‌ରିଚ୍ ବ୍ୟୁରୋ (ଆରଓବି) ଏବଂ ଏକାଡେମି ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌ଫରମେସନ୍ ଟେକ୍ନୋଲୋଜି (ଅମିତ୍‌)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କୋଭିଡ୍‌ ନିୟମାବଳୀ ପାଳନ ପୂର୍ବକ ଅନୁଷ୍ଠିତ ହେବ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୧’ ପ୍ରଦାନ କରାଯିବ। ସେହିପରି ଅନ୍ୟ ରାଜ୍ୟର ବିଭିନ୍ନ ସମ୍ବାଦପତ୍ରର ୫ଜଣ ସମ୍ପାଦକଙ୍କୁ ଜାତୀୟସ୍ତରରେ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯିବ। ସେହିପରି ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଚଳିତବର୍ଷ ରାଜ୍ୟର ୨୮ବରିଷ୍ଠ ସାମ୍ବାଦିକଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯିବ। ଏହାସହ ୬ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ ବୋଲି ବୋର୍ଡ ପକ୍ଷରୁ ସ୍ଥିର ହୋଇଛି।

‌ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଶେଶ୍ୱର ଟୁଡୁ ମୁଖ୍ୟଅତିଥି, ୱାର୍ଲଡ୍‌ ଅସୋସିଏସନ ଅଫ୍ ପ୍ରେସ୍ କାଉନସିଲ୍‌ସ୍‌ର ସାଧାରଣ ସମ୍ପାଦକ କିଶୋର ଶ୍ରେଷ୍ଠା ଉଦ୍‌ଘାଟକ, ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟବକ୍ତା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହାଛଡ଼ା ବିଭିନ୍ନ ସାମ୍ବାଦିକ ୟୁନିୟନର ପ୍ରତିନିଧିମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସନତ ମିଶ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର