ସମାଜ ନିର୍ମାଣରେ ଶିଶୁ ସାହିତ୍ୟିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ରମାକାନ୍ତ ରଥ

‘ବାଳସାହିତ୍ୟ ପୁରସ୍କାର’ ଗ୍ରହଣ କ‌ଲେ ୧୯ ସାରସ୍ବତ ସାଧକ

ଭୁବନେଶ୍ବର : ଶିଶୁ ସାହିତ୍ୟିକମାନେ ସମାଜ ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି। ଅନେକ ସମୟରେ ଶିଶୁ ସାହିତ୍ୟିକମାନଙ୍କୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଏ। କିନ୍ତୁ ଶିଶୁଙ୍କ ବ୍ୟକ୍ତିତ୍ବରେ ବିକାଶ, ମାନସିକତାରେ ଉନ୍ନତି ତଥା ଉଚ୍ଚ ଚିନ୍ତାଧାରା ତିଆରି କରିବାରେ ଶିଶୁ ସାହିତ୍ୟିକମାନଙ୍କର ସୃଜନ ଓ ସାରସ୍ବତ କୃତୀ ବେଶ୍ ଉପାଦେୟ। ଶିଶୁ ଭଲ କଥା ପଢ଼ିଲେ, ଏହାର ସକାରାତ୍ମକ ପ୍ରଭାବ ତାଙ୍କ ସହ ସମଗ୍ର ସମାଜ ଉପରେ ପଡ଼ିଥାଏ ବୋଲି କହିଛନ୍ତି ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ। ଆଜି ଶିଶୁ ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ‘ବାଳସାହିତ୍ୟ ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀ ରଥ। କେନ୍ଦ୍ର ସାହିତ୍ୟ ଅକାଦେମିର-୨୦୨୦ ମସିହା ପାଇଁ ବାଳସାହିତ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶାର ରାମଚନ୍ଦ୍ର ନାୟକ ଓ ଜୟରାମ ଟୁଡ଼ୁଙ୍କ ସମେତ ମୋଟ ୧୯ଜଣ ସାରସ୍ବତ ସାଧକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

କେନ୍ଦ୍ର ସାହିତ୍ୟ ଅକାଦେମିର ଉପସଭାପତି ମାଧବ କୌଶିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅକାଦେମିର ସଚିବ କେ ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବାଳସାହିତ୍ୟ ପୁରସ୍କାର ପାଇଁ ମନୋନୀତ ୨୪ ଜଣଙ୍କ ମଧ୍ୟରୁ ୧୯ଜଣ ସାରସ୍ବତ ସାଧକ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ସେମାନେ ହେଲେ ମଧୁରିମା ଘରଫଳିଆ (ଅହମିୟା), ଅଜିତ୍ ବୋରୋ(ବୋଡ଼ୋ), ଶିବ ଦେବସିଂହ ସୁଶୀଲ (ଡୋଗ୍ରୀ), ଭେନିତା କୋଏଲୋ (ଇଂରାଜୀ), ନଟବର ଲାଲ ଗିରିଧରଦାସ ପଟେଲ (ଗୁଜୁରାଟୀ), ଏଚ.ଏସ୍. ବ୍ୟାକୋଡ(କନ୍ନଡ଼), ସୟଦ ଅଖ୍‌ତର ହୁସେନ୍ (କଶ୍ମୀରୀ), ଭି କ୍ରିଷ୍ଣା ଭଦ୍ୟାର (କୋଙ୍କଣୀ), ସିୟାରାମ୍ ଝା ‘ସାରସ୍‌’ (ମୈଥିଳୀ), ନାଓରେମ ବିଦ୍ୟାସାଗର ସିଂହ (ମଣିପୁରୀ), ଆବା ଗୋବିନ୍ଦ ମହାଜନ (ମରାଠୀ), ଧୁର୍ବା ଚୌହାନ (ନେପାଳୀ), ରାମଚନ୍ଦ୍ର ନାୟକ (ଓଡ଼ିଆ), ମଙ୍ଗତ ବାଦଲ(ରାଜସ୍ଥାନୀ), ଅରବିନ୍ଦ କୁମାର ତିୱାରୀ(ସଂସ୍କୃତ), ଜୟରାମ ଟୁଡ଼ୁ (ସାନ୍ତାଳୀ), ଏସ୍‌. ବଲଭରଥୀ (ତାମିଲ), କନ୍ନେଗନ୍ତି ଅନସୂୟା (ତେଲୁଗୁ), ହାଫିଜ୍ କର୍ଣ୍ଣାଟକୀ(ଉର୍ଦୁ)। ଅବଶିଷ୍ଟ ୫ ଜଣ ଆଜିର କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବାରୁ ପୁରସ୍କାର ଗ୍ରହଣ କରିପାରିନାହନ୍ତି। ୧୫ ତାରିଖ ପୂର୍ବାହ୍ନ ୧୦ଟାରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ଲେଖକ ସମ୍ମିଳନୀରେ ପୁରସ୍କୃତ ଶିଶୁ ସାହିତ୍ୟିକମାନେ ନିଜର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିବେ ବୋଲି ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି।
ଆଜିର କାର୍ଯ୍ୟକ୍ରମରେ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ପୂର୍ବତନ ଆବାହକ ତଥା କଥାକାର ଗୌରହରି ଦାସ, ପ୍ରଫେସର ଯତୀନ୍ଦ୍ର ନାୟକଙ୍କ ସହ ଅକାଦେମିର ବହୁ ସଦସ୍ୟ ଓ ସୁନାମଧନ୍ୟ ସାହିତ୍ୟିକମାନେ ଉପସ୍ଥିତ ଥିଲେ। କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର