ସରୁନି ଭଙ୍ଗା ଘର ସଜଡ଼ା: କେବେ ଦୂର ହେବ ଧନୁଆ ଦୁଃଖ?

ବାଲିଅନ୍ତା/ବାଲିପାଟଣା: ଧନୁଆ ନଈରେ ଆଉ ବନ୍ୟା ପାଣି ନାହିଁ। ଅଚ୍ୟୁତପୁର ଓ ବଇଁଚୁଆ କାଜରୁ ଆଉ ପାଣି ଗଡ଼ୁନାହିଁ। ଏମିତିକି ଧନୁଆ ନଈ ପାଣିରେ ଆଉ ସୁଅ ହିଁ ନାହିଁ। କିନ୍ତୁ ଧନୁଆ ବନ୍ୟା ଛାଡ଼ିଯାଇଥିବା ଦୁର୍ଦ୍ଦଶା ସରିନାହିଁ। ବନ୍ୟା ବେଳେ ଘର ଛାଡ଼ି ବିଭିନ୍ନ ଆଶ୍ରୟସ୍ଥଳରେ ଥିବା ଲୋକେ ଘରକୁ ଫେରିବା ପରେ ସେମାନଙ୍କ ଅବସ୍ଥା ସାଂଘାତିକ ହୋଇପଡ଼ିଛି। ଭଙ୍ଗା ଦଦରା ଓ କାଦୁଅ ପଚପଚ ଘରେ ରହିବା ମୁସ୍କିଲ ହୋଇପଡ଼ିଛି। ତେଣୁ ସେମିତି ଘରେ ସ୍ବାଭାବିକ ଭାବେ ଚଳପ୍ରଚଳ ହେବାରେ ସେମାନେ ବହୁ ସମସ୍ୟା ଭୋଗୁଛନ୍ତି। ଖିଆପିଆଠାରୁ ପିଲାଙ୍କ ପାଠପଢ଼ା ସବୁଥିରେ ସମସ୍ୟା।

ବାଲିପାଟଣା ବ୍ଲକ୍‌ ରାଜସ, କୁରୁଞ୍ଜିପୁର, ଗରିଆ ଓ ଦଳକଷଟି ଗ୍ରାମରେ ବହୁ ମାଟିଘର ଭାଙ୍ଗିଯାଇଛି। ଆଶ୍ରୟସ୍ଥଳରୁ ଫେରିବା ପରେ ବନ୍ୟା ପୀଡ଼ିତମାନେ ସେମାନଙ୍କ ବାସଖଣ୍ଡକ ସଜାଡ଼ିବାରେ ଲାଗି ପଡ଼ିଛନ୍ତି। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଘରର ସବୁ ସଦସ୍ୟ ନିଜର ବାସ ଖଣ୍ଡକ ସଜାଡ଼ିବାରେ ଲାଗି ପଡ଼ିଛନ୍ତି। କିଏ ଝାଟିମାଟି କାନ୍ଥରୁ ଧୋଇଯାଇଥିବା ମାଟିକୁ ପୁଣି ଚକଟି ଥାପୁଛି ତ କିଏ କାନ୍ଥରେ ଲାଗିଥିବା ବତାବାଉଁଶ ପଞ୍ଜରାକୁ ତାଳପତ୍ର ଓ ବରଡ଼ା ପତ୍ରରେ ବାନ୍ଧୁଛି। ମହିଳାମାନେ ଘରର ଚଟାଣକୁ ସଫାସୁତୁରା କରିବା ସହ ମାଟିରେ ମିଶିଯାଇଥିବା ଚୁଲି ସଜାଡ଼ିବାରେ ଲାଗିଛନ୍ତି। କିଏ ଘର ଉପରେ ପଲିଥିନ ଟାଣୁଛି ତ କିଏ ପୁଣି ଦୁଆର ମୁହଁରେ ତାଟିକବାଟ ବାନ୍ଧୁଛି। କସଟି ଗ୍ରାମର ପ୍ରଶାନ୍ତ ଭୋଇଙ୍କ ଦୁଇ ବଖରା ଘରର ମାଟି କାନ୍ଥ ଭାଙ୍ଗି ଯାଇଛି। ସେହିପରି ବିଦୁଲତା ଭୋଇ, ବିନୋଦିନୀ ଦାସ ଓ ମନମୋହନ ଭୋଇଙ୍କ ଘରର ମାଟି କାନ୍ଥ ପୂରା ଭାଙ୍ଗିଯାଇଛି। ଏମିତି ବହୁ ଦଳିତ ଲୋକଙ୍କ ଘରଦ୍ବାର ଅବସ୍ଥା ବଡ଼ କଦର୍ଯ୍ୟ ହୋଇଯାଇଛି। ହେଲେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ପରିବାରକୁ ପଲିଥିନ ଖଣ୍ଡେ ମିଳିନାହିଁ। ତେଣୁ ଏବେ ମଝିରେ ମଝିରେ ହେଉଥିବା ବର୍ଷା ସେମାନଙ୍କ ଦୁର୍ଦ୍ଦଶାକୁ ବଢ଼ାଉଛି। ବଡ଼ କଥା ହେଉଛି, ଏବେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଏଭଳି ପରିବାରମାନେ ଦିନେ ଦିନେ ଉପାସରେ ରହୁଥିବା କହିଛନ୍ତି। ଧାନ ଓ ପରିବା ଫସଲ ପୂରା ନଷ୍ଟ ହୋଇଯାଇଥିବା ବେଳେ ମୂଲମଜୁରି ମିଳିବା ବାଟ ବନ୍ଦ। ଏଣେ ଘର ସଜଡ଼ାରେ ବେଳ ଯାଉଛି। ତେଣୁ ରୋଜଗାର ବନ୍ଦ। ଏମିତି ଅବସ୍ଥାରେ ଗରିବ ଲୋକମାନେ ବଡ଼ କଲବଲ ହେଉଛନ୍ତି।

ସୂଚନାଯୋଗ୍ୟ ଯେ ଧନୁଆ ନଈରେ ବନ୍ୟା ଆସିଲେ ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ୮ଟି ପଞ୍ଚା‌ୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥାଏ। ବାଲିଅନ୍ତା ବ୍ଲକ୍‌ର ୨ ଓ ବାଲିପାଟଣାର ୬ ପଞ୍ଚାୟତ ପ୍ରଭାବିତ ହୋଇଥାଏ। ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ଓ କୁଶଭଦ୍ରା ନଦୀର ବଇଁଚୁଆ କାଜରୁ ବନ୍ୟା ପାଣି ଗଡ଼ି ଏହି ନଈରେ ବନ୍ୟା ହୁଏ। ଏହି ବନ୍ୟା ପ୍ରାକୃତିକ ନୁହେଁ, କୃତ୍ରିମ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କୁଶଭଦ୍ରା ଓ ଭାର୍ଗବୀ ନଦୀର ବନ୍ୟା ଜଳ ପରିଚାଳନା ପାଇଁ ଉପରୋକ୍ତ ଦୁଇଟିଯାକ କାଜ ନିର୍ମାଣ କରାଯାଇଛି। ଫଳରେ ଧନୁଆ ନଈରେ ବନ୍ୟା ହେଉଛି। ବଡ଼ ନଦୀରେ ବନ୍ଧ କରାଯାଇଥିବା ବେଳେ ଧନୁଆ ନଈର ଦୁଇ କଡ଼ରେ ବନ୍ଧ ନିର୍ମାଣ କରାଯାଇନାହିଁ। ଦୀର୍ଘ ବର୍ଷ ହେଲା ଏନେଇ ଦାବି ହୋଇଆସୁଥିଲେ ବି ଧନୁଆ ନଦୀବନ୍ଧ ନିର୍ମାଣ କରାଯାଉନାହିଁ ଓ ଏହି ଦୁଇ ବ୍ଲକ୍‌ର ୮ ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକଙ୍କୁ ବନ୍ୟା ମୁହଁକୁ ଠେଲି ଦିଆଯାଉଛି। ୨୦୧୫/୧୬ ମସିହାରେ ଏହି ନଦୀ ଶଯ୍ୟା ଖନନ କରାଯାଇ କିଛି ଅଂଶରେ ବନ୍ଧ କରାଯାଇଥିଲା। ଗୋତଳବିନ୍ଧାଠାରୁ ପୂରଣପଧାନ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରାୟ ୮ କିମି ଲମ୍ବରେ ଧନୁଆ ନଈ ଶଯ୍ୟା ଖନନ କରାଯାଇଥିଲା ଓ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ତା’ ପରଠାରୁ ଏହି ଖନନ କାର୍ଯ୍ୟ ବନ୍ଦ ରହିଛି। ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଏହି ନଈର ଦୁଇ କଡ଼ରେ ବନ୍ଧ ନିର୍ମାଣ ହୋଇଗଲେ, ଧନୁଆ ଦୁଃଖ ଦୂର ହୋଇପାରିବ। ମାତ୍ର ସରକାରଙ୍କ ଉଦାସୀନତା ପାଇଁ ସେମାନେ ବର୍ଷ ବର୍ଷ ଧରି ଏଭଳି ହନ୍ତସନ୍ତ ହେଉଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର