ବ୍ରିଟିଶ ଅମଳର କାର୍ଯ୍ୟାଳୟକୁ ଅଣଦେଖା, ସରସ୍ବତୀ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ପରିସୀମା କମିଲା, ଏବେ ତାଲା

ସାଲେପୁର: ବ୍ରିଟିଶ ସମୟରେ ତତ୍କାଳୀନ ଜମିଦାରଙ୍କ କଚେରୀ ଭାବେ କାର୍ଯ୍ୟ କରୁଥିଲା କାର୍ଯ୍ୟାଳୟ। ଜମିଦାର ପ୍ରଥା ଉଚ୍ଛେଦ ପରେ ସରକାରୀ ମାହାଲରେ ମିଶ୍ରଣ ‌ହୋଇ ସାଲେପୁର ତହସିଲର ୫୪ଟି ରାଜସ୍ବ ମଣ୍ଡଳ ମଧ୍ୟରୁ ସଦର ମଣ୍ଡଳର ମାନ୍ୟତା ପାଇଥିଲା ସରସ୍ବତୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଏବେ କେବଳ ୧୦ଟି ରାଜସ୍ବ ଗ୍ରାମକୁ ନେଇ କାର୍ଯ୍ୟ କରୁଥିବା ଉକ୍ତ କାର୍ଯ୍ୟାଳୟରେ ତାଲା ପଡ଼ିଥିଲା ବେଳେ କେବଳ ବୋର୍ଡ ଝୁଲୁଛି। ବ୍ରିଟିଶ ଅମଳର ଏହି କାର୍ଯ୍ୟାଳୟ ପ୍ରତି ଏଭଳି ଅଣଦେଖା ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ କାର୍ଯ୍ୟାଳୟର ମରାମତି ଓ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏ ନେଇ ପଦକ୍ଷେପ ନିଆ ନ ଗଲେ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି। ୧୯୫୨-୧୯୫୩ ମସିହାରେ ଜମିଦାର ପ୍ରଥା ଉଚ୍ଛେଦ ‌ହୋଇଥିଲା। ଏହି ସମୟରେ ତତ୍କାଳୀନ ଜମିଦାର ସ୍ବର୍ଗତ କୃଷ୍ଣ କୁମାର ବସୁଙ୍କ ମୁଖ୍ୟ କଚେରୀ ଗୃହ ଥିଲା ବର୍ତ୍ତମାନର ସରସ୍ବତୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଜମିଦାରୀ ଉଚ୍ଛେଦ ପରେ ସରସ୍ବତୀ ପ୍ରଗଣାକୁ ସରସ୍ବତୀ ରାଜସ୍ବ ମଣ୍ଡଳରେ ପରିଣତ କରାଯାଇଥିଲା। ସେତେବେଳେ ସାଲେପୁର ତହସିଲର ୫୪ଟି ରାଜସ୍ବ ମଣ୍ଡଳ ମଧ୍ୟରୁ ‘ସରସ୍ବତୀ’ ସଦର ମଣ୍ଡଳର ମାନ୍ୟତା ପାଇଥିଲା। ଏହି ରାଜସ୍ବ ମଣ୍ଡଳ ଅଧୀନରେ ପୁରୁଷୋତ୍ତମପୁର, ଶିଶୁଆ, ସପନପୁର, କଲ୍ୟାଣପୁର, ବାହାରପଡ଼ା, ବାହାବଳପୁର, ରାଘବପୁର, ବାଲିସାହି, ଚନ୍ଦ୍ରାଦେଈପୁର, ଲୁଣାହାର, ବଟେଶ୍ୱର, ନଈଗୁଆଁ, ବଲ୍ଲଭପୁର, କରିମାବାଦ, ବାଲିଆ, ଛାଣିପୁର, ଶଙ୍କରପୁର, ବୋଦାମୁଣ୍ଡେଇ, ବାରିଗୋଳ, ଚମାରିଗୋଳ, ବଣହରା, କାଶୀପୁର, ତୀରବିନ୍ଧା, ଡିଙ୍ଗେଶ୍ୱର, ସୁନାଖଣ୍ଡି, ବରାଦୋ, କୋଲଣପୁର, କୂଳିଆ, ସାତବାଟୀ, ବାରବାରୀ, ପାଟପୁର, ସାଇଗଡ଼ା ଆଦି ୩୨ଟି ମୌଜା ରହିଥିଲା। ୧୯୭୪ ମସିହାରେ ଉକ୍ତ ରାଜସ୍ବ ମଣ୍ଡଳ ତିନିଟି ସର୍କଲ୍‌ରେ ବିଭକ୍ତ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଅଞ୍ଚଳର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ନୀରୋଦଚନ୍ଦ୍ର ନନ୍ଦ। ବର୍ତ୍ତମାନ ୧୦ଟି ରାଜସ୍ବ ଗ୍ରାମ ଶିଶୁଆ, ସପନପୁର, ପୁରୁଷୋତ୍ତମପୁର, ବାହାରପଡ଼ା, ବାହାବଳପୁର, କଲ୍ୟାଣପୁର, ନଇଗୁଆଁ, ବାଲିଆ, କରିମାବାଦ ଓ ବଲ୍ଲଭପୁରକୁ ନେଇ କାର୍ଯ୍ୟ କରୁଛି ସରସ୍ବତୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଶିଶୁଆ ପଞ୍ଚାୟତରେ ଅବସ୍ଥିତ ଏହି କାର୍ଯ୍ୟାଳୟକୁ ଦେଢ଼ବର୍ଷ ତଳେ ସାଲେପୁର ସଦର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଉଠାଇ ନିଆଯାଇଥିଲା।

ଏହା ପରଠାରୁ ୧୦ଟି ରାଜସ୍ବ ଗ୍ରାମର ଲୋକମାନେ ଜମିଜମା ସମ୍ପର୍କିତ କାଗଜପତ୍ର, ସ୍ଥାୟୀ ବାସିନ୍ଦା, ଆୟ, ଜାତିଗତ ପ୍ରମାଣପତ୍ର ଆଦି ନିମନ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଲୋକଙ୍କୁ ୩ କିମି ଦୂର ସଦର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଅନ୍ୟପଟେ, ସରସ୍ବତୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସେଠାରେ କେବଳ ସାଇନ୍‌ ବୋର୍ଡ ସହ ଗୃହରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ‌ସେଠାରେ ଲୋକମାନଙ୍କର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ରେକର୍ଡ ସହ ବିଭିନ୍ନ ଆସବାବପତ୍ର ରହିଥିଲାବେଳେ କର୍ମଚାରୀମାନେ ସାଲେପୁର ସଦର ରାଜସ୍ବ କାର୍ଯ୍ୟ‌ାଳୟରେ ରହି କାର୍ଯ୍ୟ କରୁଛନ୍ତି। ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ସରସ୍ବତୀ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଥିବା ଲୋକଙ୍କ ମୂଲ୍ୟବାନ ରେକର୍ଡ, କାଗଜପତ୍ର ନଷ୍ଟ ଓ ଚୋରି ହେବାର ଆଶଙ୍କା ଲାଗି ରହୁଛି। ଏହା ହେଲେ କିଏ ଦାୟୀ ରହିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ସେହିପରି ସ୍ଥାନାନ୍ତର ପରଠାରୁ କାର୍ଯ୍ୟାଳୟ ଗୃହ ଦିନକୁ ଦିନ ଜରାଜୀର୍ଣ୍ଣ ହେବାରେ ଲାଗିଛି। ଏହାର ଚତୁଃପାର୍ଶ୍ୱ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଯାଇଛି। ସଞ୍ଜ ନଇଁଲେ କାର୍ଯ୍ୟାଳୟ ପରିସର ଅସାମାଜିକଙ୍କ ଲୋକଙ୍କ ଆଡ଼ା ଜମୁଛି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାର୍ଯାଳୟ ସ୍ଥାନାନ୍ତର ସମ୍ପର୍କରେ ସରସ୍ବତୀ ରାଜସ୍ବ ନିରୀକ୍ଷକ ରଞ୍ଜିତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କାର୍ଯ୍ୟାଳୟର ଗୃହଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାକୁ ଆସିଯାଇଥିଲା। ଅସ୍ଥାୟୀ ଭାବେ ଏହାକୁ ସ୍ଥାନାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ତହସିଲ ପ୍ରଶାସନ ପକ୍ଷରୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାଳୟର ଗୃହ ନିର୍ମାଣ କରାଯିବ। ଏହାପରେ ପୂର୍ବଭଳି ଏଠାରେ କାର୍ଯ୍ୟାଳୟ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ମହାବାତ୍ୟା ଓ ଫନି ବାତ୍ୟା ପରେ ବି’ ଏଠାରେ କାର୍ଯ୍ୟାଳୟ ଚାଲୁଥିଲା। କିନ୍ତୁ ଦେଢ଼ବର୍ଷ ତଳେ ଅଚାନକ କାର୍ଯ୍ୟାଳୟ ସ୍ଥାନାନ୍ତର କ’ଣ ପାଇଁ କରାଗଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଲୋକଙ୍କ ହିତ ଦୃଷ୍ଟିରୁ ପ୍ରଶାସନ ପୂର୍ବଭଳି ଏଠାରେ କାର୍ଯ୍ୟାଳୟ ଖୋଲିବା ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଶିଶୁଆ ବିକାଶ ମଞ୍ଚ ପକ୍ଷରୁ ଦିଲ୍ଲୀପ ଦାଶ, ଧୀରେନ୍ଦ୍ର ନାୟକ, ଜୟଦେବ ରାଉତ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର