୫ ପୃଷ୍ଠାର ଚିଠିରେ କଂଗ୍ରେସ ବିପର୍ଯ୍ୟୟର ଗୁମର ଖୋଲିଲେ ଆଜାଦ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସଠାରୁ ଆନୁଷ୍ଠାନିକ ଭାବେ ତାଙ୍କ ସଂପର୍କ ଛିନ୍ନ କରିଛନ୍ତି। ୫ ପୃ‌ଷ୍ଠାର ଏକ କ୍ଷୋଭଭରା ଚିଠି ସେ ଦଳର ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ଲେଖିଛନ୍ତି। ସେଥିରେ ସେ କଂଗ୍ରେସ ଦଳରେ ଆଜି ଦେଖାଦେଇଥିବା ବିପର୍ଯ୍ୟୟର ଗୁମର ଖୋଲି ଦେଇଛନ୍ତି। ୨୦୧୪ ପରଠାରୁ କଂଗ୍ରେସର ବିପର୍ଯ୍ୟୟ ପାଇଁ ସେ ରାହୁଲ ଗାନ୍ଧି ଓ ତାଙ୍କୁ ମନ୍ତ୍ରଣା ଦେଉଥିବା ଛୋଟିଆ ଗୋଷ୍ଠୀକୁ ଦାୟୀ କହିଛନ୍ତି। ଗାନ୍ଧି ପରିବାରର ଇନ୍ଦିରା, ସଂଜୟ, ରାଜୀବ ଏବଂ ସୋନିଆ ଗାନ୍ଧିଙ୍କର ଢେର୍ ପ୍ରଶଂସା କରିଥିଲେ ମଧ୍ୟ ରାହୁଲ ଗାନ୍ଧିଙ୍କ ଆଚରଣକୁ ପିଲାଳିଆମି ‌ବୋଲି କହିଛନ୍ତି। ରାଜନୈତିକ ମହଲରେ ଆଜି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ଚିଠିରେ ଆଜାଦ ଲେଖିଛନ୍ତି…

୧୯୭୦ ଦଶକରେ କଂଗ୍ରେସରେ ମିଶିଥିଲି
୧୯୫୩ ମସିହା ଅଗଷ୍ଟ ୮ ତାରିଖରେ ଶେଖ୍‌ ମହମ୍ମଦ ଅବଦୁଲ୍ଲାଙ୍କୁ ଗିରଫ କରାଯିବା ଦିନ ଜମ୍ମୁ କାଶ୍ମୀରରେ କଂଗ୍ରେସ ଏହାର ରାଜନୈତିକ ଅଦୂରଦର୍ଶିତାର ସର୍ବନିମ୍ନ ସ୍ତର ଛୁଇଁଥିଲା। ସେବେଠାରୁ ଜମ୍ମୁ କାଶ୍ମୀରରେ କଂଗ୍ରେସ ଦଳର ଉତ୍‌ଥାନ ପତନ ଲାଗି ରହିଥିଲା। ତାହାରି ଭିତରେ ୧୯୭୦ ଦଶକର ମଧ୍ୟଭାଗରେ ମୁଁ କଂଗ୍ରେସରେ ଯୋଗଦେଇଥି‌ଲି ଯେତେବେଳେ ଏହି ଦଳ ସହିତ ଯୋଡ଼ିହେବାକୁ ଏକ କଳଙ୍କ ବୋଲି ବିବେଚନା କରାଯାଉଥିଲା। ଏହାସତ୍ତ୍ବେ ଛାତ୍ର ଜୀବନରୁ ମୁଁ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ, ମୌଲାନା ଅବୁଲ କଲାମ ଆଜାଦ, ସୁଭାଷ ଚନ୍ଦ୍ର ବୋଷ ଏବଂ ଅନ୍ୟ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆସିଥିଲି। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବର୍ଗତଃ ସଂଜୟ ଗାନ୍ଧିଙ୍କ ବ୍ୟକ୍ତିଗତ ଆଗ୍ରହରେ ୧୯୭୫-୭୬ରେ ମୁଁ ଜମ୍ମୁ କାଶ୍ମୀର ଯୁବ କଂଗ୍ରେସର ସଭାପତି ଦାୟିତ୍ବ ନେବାକୁ ରାଜି ହୋଇଥିଲି। ତାହା ପୂର୍ବରୁ କାଶ୍ମୀର ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ମୁଁ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ବ୍ଲକ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଉଥିଲି।

NDTV.in

କଂଗ୍ରେସକୁ କ୍ଷମତାସୀନ ପାଇଁ ଜେଲ୍ ଯାଇଛି
୧୯୭୭ ପରଠାରୁ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ସ୍ବର୍ଗତଃ ସଂଜୟ ଗାନ୍ଧିଙ୍କ ନେତୃତ୍ବରେ ହଜାର ହଜାର ଯୁବ କଂଗ୍ରେସ ନେତା ଓ କର୍ମୀଙ୍କ ସହ ମିଶି ଗୋଟିଏ ଜେଲ୍‌ରୁ ଅନ୍ୟ ଏକ ଜେଲ୍‌କୁ ଆମେ ଯାଉଥିଲୁ। ୧୯୭୮ ଡିସେମ୍ବର ୨୦ରୁ ୧୯୭୯ ଜାନୁଆରି ଶେଷ ପର୍ଯ୍ୟନ୍ତ ସର୍ବାଧିକ ସମୟ ପାଇଁ ମୁଁ ତିହାର ଜେଲ୍‌ରେ ରହିଥିଲି। ଇନ୍ଦିରା ଗାନ୍ଧିଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀର ଜାମା ମସଜିଦଠାରୁ ସଂସଦ ଭବନ ପର୍ଯ୍ୟନ୍ତ ହୋଇଥିବା ବିକ୍ଷୋଭ ଯାତ୍ରାର ନେତୃତ୍ବ ନେବାରୁ ଜେଲ୍‌ ଯିବାକୁ ପଡ଼ିଥିଲା। ଆମେ ଜନତା ପାର୍ଟି ସରକାରକୁ ବିରୋଧ କରିଥିଲୁ ଏବଂ ୧୯୭୮ ଜାନୁଆରିରେ ଇନ୍ଦିରାଙ୍କ ଦ୍ବାରା ସ୍ଥାପିତ ଦଳର ପୁନଃରୁଦ୍ଧାର ଏବଂ ନବଯୌବନ ପ୍ରାପ୍ତ ପାଇଁ ପଥ ପ୍ରସ୍ତୁତ କରିଥିଲୁ। ୩ ବର୍ଷର ଦୃଢ଼ ସଂଘର୍ଷ ଫଳରେ ଭାରତୀୟ ଜାତୀୟ କଂଗ୍ରେସ ୧୯୮୦ରେ କ୍ଷମତାକୁ ଫେରିଥିଲା।

ରାଜୀବଙ୍କୁ ଯୁବ କଂଗ୍ରେସରେ ସାମିଲ କରିଥିଲି
ଯୁବବର୍ଗଙ୍କ ଆଇକନ୍‌ ପାଲଟି ସାରିଥିବା ସଂଜୟ ଗାନ୍ଧିଙ୍କ ମର୍ମନ୍ତୁଦ ମୃତ୍ୟୁ ପରେ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ଦାୟିତ୍ବ ୧୯୮୦ ମସିହାରେ ମୁଁ ନେଇଥିଲି। ୧୯୮୧ ଜୁନ ୨୩ରେ ସଂଜୟ ଗାନ୍ଧିଙ୍କ ମୃତ୍ୟୁର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଆପଣଙ୍କ ସ୍ବାମୀ ସ୍ବର୍ଗତଃ ଶ୍ରୀ ରାଜୀବ ଗାନ୍ଧିଙ୍କୁ ଭାରତୀୟ ଯୁବ କଂଗ୍ରେସର ଜାତୀୟ ପରିଷଦର ସଦସ୍ୟଭାବେ ସାମିଲ କରିବାର ସୌଭାଗ୍ୟ ମୋ ପାଇଁ ଜୁଟିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସେହିବର୍ଷ ଡିସେମ୍ବରରେ ବେଙ୍ଗାଲୁରୁଠାରେ ଡିସେମ୍ବର ୨୯ ଓ ୩୦ ତାରିଖରେ ଭାରତୀୟ ଯୁବ କଂଗ୍ରେସର ସ୍ବତନ୍ତ୍ର ଅଧିବେଶନରେ ଯୁବକଂଗ୍ରେସର ନେତୃତ୍ବ ସେ ନେଇଥିଲେ। ତାହା ପୁଣି ମୋ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ। ଶ୍ରୀମତୀ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ପିଭି ନରସିଂହ ରାଓ ଏବଂ ଡ ମନମୋହନ ସିଂହଙ୍କ ସରକାରରେ ୧୯୮୨ରୁ ୨୦୧୪ ମସିହା ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀଭାବେ କାର୍ଯ୍ୟ କରିବାର ସୁଯୋଗ ମୁଁ ପାଇଥିଲି। ୧୯୮୦ ଦଶକର ମଧ୍ୟଭାଗରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତ୍ୟେକ ସଭାପତିଙ୍କ ସହିତ ମୋତେ ଏଆଇସିସିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବା ସୁଯୋଗ ମିଳିଛି। ଆପଣଙ୍କ ସ୍ବାମୀ ତଥା କଂଗ୍ରେସର ତତ୍କାଳୀନ ସଭାପତି ସ୍ବର୍ଗତଃ ରାଜୀବ ଗାନ୍ଧିଙ୍କୁ ୧୯୯୧ ମସିହା ମେ ମାସରେ ହତ୍ୟା କରାଯିବା ପର୍ଯ୍ୟନ୍ତ ତାଙ୍କ ନେତୃତ୍ବରେ ମୁଁ କଂଗ୍ରେସ ସଂସଦୀୟ ବୋର୍ଡର ସଦସ୍ୟ ରହିଥିଲି। ସେହିଭଳି ୧୯୯୨ ଅକ୍ଟୋବରରେ ପି ଭି ନରସିଂହ ରାଓ କଂଗ୍ରେସ ସଂସଦୀୟ ବୋର୍ଡର ପୁନର୍ଗଠନ ନକରିବା ପାଇଁ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ମୁଁ ମଧ୍ୟ ସେଥିରେ କାର୍ଯ୍ୟ କରିଥିଲି।

କଂ‌ଗ୍ରେସ କାର୍ଯ୍ୟକାରିଣୀରେ ୪ ଦଶନ୍ଧି ଧରି କାର୍ଯ୍ୟ କରିଛି
ମୁଁ ମଧ୍ୟ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ପାଖାପାଖି ୪ ଦଶନ୍ଧି ଧରି ନିର୍ବାଚିତ ଏବଂ ମନୋନୀତ ସଦସ୍ୟ ଭାବେ କାର୍ଯ୍ୟ କରିଛି। ଗତ ୩୫ ବର୍ଷ ମଧ୍ୟରେ ମୁଁ ଦେଶର ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କୌଣସି ନାଁ କୌଣସି ସମୟରେ ଏଆଇସିସି ସାଧାରଣ ସଂପାଦକ ଦାୟିତ୍ବ‌ ତୁଲାଇଛି। ମୁଁ ଯେଉଁ ସମୟରେ ଯେଉଁ ରାଜ୍ୟର ଦାୟିତ୍ବ ନେଇଛି ସେଥିରୁ ୯୦ ପ୍ରତିଶତ ରାଜ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ବିଜୟୀ ହୋଇଥିବା ମୋତେ ଆନନ୍ଦ ଦେଇଛି। ରାଜ୍ୟସଭାରେ ୭ ବର୍ଷ ଧରି ବିରୋଧୀ ଦଳର ନେତାଭାବେ ମଧ୍ୟ କାର୍ଯ୍ୟ କରିଛି। ମୁଁ ଏସବୁ ବର୍ଷଗୁଡ଼ିକର ଆତ୍ମସ୍ବାର୍ଥବିହୀନ ସେବାକୁ ମନେ ପକାଇବାର କାରଣ ହେଲା ଏତେ ବଡ଼ ଅନୁଷ୍ଠାନ ସହିତ‌ ମୋର ରହିଥିବା ଜୀବନବ୍ୟାପୀ ସଂପର୍କ। ମୁଁ ମୋ ଯୁବକ ବେଳର ପ୍ରତ୍ୟେକ ମୁହୂର୍ତ୍ତ ଭାରତୀୟ ଜାତୀୟ କଂଗ୍ରେସର‌ ସେବାରେ ବିନିଯୋଗ କରିଛି, ତାହା ପୁଣି ମୋର ସ୍ବାସ୍ଥ୍ୟ ଏବଂ ପରିବାରର ମୂଲ୍ୟ ବିନିମୟରେ।

Zee News

ସୋନିଆଙ୍କୁ ପ୍ରଶଂସା, ରାହୁଲଙ୍କୁ ସମାଲୋଚନା
ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହିସାବରେ ନିଃସ‌ନ୍ଦେହରେ ଆପଣ ୟୁପିଏ-୧ ଏବଂ ୟୁପିଏ-୨ ସରକାର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେବେ ଏହି ସଫଳତାର ପ୍ରମୁଖ କାରଣ ହେଲା ସଭାପତି ଭାବେ ଆପଣ ବରିଷ୍ଠ ନେତାମାନଙ୍କ ବିଜ୍ଞ ପରାମର୍ଶକୁ ଶୁଣିଛନ୍ତି, ସେମାନଙ୍କ ମତକୁ ବିଶ୍ବାସ କରିଛନ୍ତି ଏବଂ ସେମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା ରାଜନୀତିକୁ ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ ଏବଂ ବିଶେଷକରି ୨୦୧୩ରେ ସେ‌ ଯେତେବେଳେ ଆପଣଙ୍କ ଦ୍ବାରା ଦଳର ଉପସଭାପତି ନିଯୁକ୍ତ ହେଲେ ଆପଣଙ୍କ ଦ୍ବାରା ସ୍ଥାପନ ହୋଇଥିବା ଏବଂ ପୂର୍ବରୁ ଥିବା ପୂରା ପରାମର୍ଶ ବ୍ୟବସ୍ଥା ତାଙ୍କ ଦ୍ବାରା ମାଟିରେ ମିଶାଇ ଦିଆଯାଇଥିଲା। ସବୁ ବରିଷ୍ଠ ଏବଂ ଅଭିଜ୍ଞ ନେତାକୁ ଅଣଦେଖା କରାଯାଇଥିଲା ଏବଂ ନୂଆ ଅନଭିଜ୍ଞ ଚାଟୁକାର ଗୋଷ୍ଠୀ ଦଳର ପରିଚାଳନା କରିବା ଆରମ୍ଭ କଲେ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଲା ଭରା ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧିଙ୍କ ଦ୍ବାରା ସରକାରୀ ଅଧ୍ୟାଦେଶକୁ ଚିରାଯିବା ଭଳି ଅପରିପକ୍ବତା। କଂଗ୍ରେସର କୋର୍‌ ଗ୍ରୁପରେ ସେହି ଅଧ୍ୟାଦେଶର ଉତ୍ପତ୍ତି ହୋଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବସମ୍ମତିକ୍ରମେ କ୍ୟାବିନେଟରେ ମଞ୍ଜୁରି ଲାଭ କରିଥିଲା ଏବଂ ତାହା ପରେ ଭାରତର ରାଷ୍ଟ୍ରପତିଙ୍କ ମୋହର ଲାଗିଥିଲା। ଏପ୍ରକାର ‘ପିଲାଳିଆମି’ ବ୍ୟବହାର ସଂପୂର୍ଣ୍ଣ ଭାବରେ ଭାରତର ପ୍ରଧାନମନ୍ତ୍ରୀଏବଂ ରାଷ୍ଟ୍ରପତିଙ୍କ କ୍ଷମତାକୁ ଧ୍ବଂସ କରିଦେଇଥିଲା। ଯେତେବେଳେ ୟୁପିଏ ସରକାର ଦକ୍ଷିଣ ପନ୍ଥୀ ଶକ୍ତି ଏବଂ କେତେକ ଅସାଧୁ କର୍ପୋରେଟ୍ ସ୍ବାର୍ଥବାଦୀଙ୍କ ମିଳିତ ଆକ୍ଷେପ ଏବଂ ବ୍ୟଙ୍ଗୋକ୍ତିର ଶିକାର ହେଉଥିଲା ସେତେବେଳେ ତାଙ୍କର ଏହି ଗୋଟିଏ ଘଟଣା ୟୁପିଏ ସରକାର ପାଇଁ ୨୦୧୪ ନିର୍ବାଚନରେ ପରାଜୟର ବଡ଼ କାରଣ ପାଲଟିଥିଲା।

ଭଣ୍ଡାର ଘରେ ପଡ଼ିରହିଛି ଚିନ୍ତନ ଶିବିରର ସୁପାରିସ
ଆପଣ ମନେ ପକାଇ ପାରନ୍ତି ଶ୍ରୀ ସୀତାରାମ କେଶରୀଙ୍କୁ ବିଦା କରି ଆପଣ ଯେତେବେଳେ କଂଗ୍ରେସର ସଭାପତି ହୋଇଥିଲେ ତାହାପରେ ପଞ୍ଚମାଢ଼ିଠାରେ ୧୯୯୮ ଅକ୍ଟୋବରରେ ଦଳର ଏକ ମାନସମନ୍ଥନ ଶିବିର ଆୟୋଜନ ହୋଇଥିଲା। ତାହାପରେ ୨୦୦୩ରେ ଶିମ୍‌ଲାରେ ଏବଂ ୨୦୧୩ ଜାନୁଆରିରେ ଜୟପୁରଠାରେ ଏଭଳି ଶିବିର ହୋଇଛି। ଏହି ତିନିଟି ଯାକ ଶିବିରରେ କଂଗ୍ରେସ କାର୍ଯ୍ୟକାରିଣୀ ଗୋଷ୍ଠୀର ସାଙ୍ଗଠନିକ ବ୍ୟାପାରରେ ଅଧ୍ୟକ୍ଷତା କରିବାର ସୁଯୋଗ ମୁଁ ପାଇଥିଲି। ତେବେ ଦୁଃଖର କଥା ହେଲା ସେସବୁ ଶିବିରର ସୁପାରିସଗୁଡ଼ିକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯାଇନାହିଁ। ବସ୍ତୁତଃ ୨୦୧୩ ଜାନୁଆରିରେ ‌ଜୟପୁରଠାରେ କମିଟିର ଅନ୍ୟ ସଦସ୍ୟଙ୍କ ସହାୟତାରେ ମୁଁ ୨୦୧୪ ଲୋକସଭା ନିର୍ବାଚନ ପାଇଁ ଦଳକୁ ସୁଦୃଢ଼ କରିବା ପାଇଁ ଏକ ବିସ୍ତୃତ ପ୍ରସ୍ତାବ ଦେଇଥିଲି। ସେହି ପ୍ରସ୍ତାବ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଳ୍ୟୁସି)ର ମଞ୍ଜୁରି ଲାଭ କରିଥିଲା। ସେହି ସୁପାରିସଗୁଡ଼ିକ ସମୟ ଅନୁଯାୟୀ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ରହିଥିଲା। ଦୁର୍ଭାଗ୍ୟର ବିଷୟ ହେଲା ସେହି ସୁପାରିସଗୁଡ଼ିକ ଗତ ୯ ବର୍ଷ ହେଲା ଏଆଇସିସିର ଭଣ୍ଡାର ଘରେ ପଡ଼ିରହିଛି। ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଏବଂ ଉପସଭାପତି ରାହୁଲ ଗାନ୍ଧିଙ୍କୁ ୨୦୧୩ ମସିହା ଠାରୁ ଉକ୍ତ ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ବାରମ୍ବାର ମନେ ପକାଇଛି। କିନ୍ତୁ ସେଗୁଡ଼ିକୁ ଗୁରୁତ୍ବର ସହିତ ଅନୁଧ୍ୟାନ କରିବା ପାଇଁ ବି କୌଣସି ଉଦ୍ୟମ ହୋଇନାହିଁ।

୮ ବର୍ଷରେ ୪୯ରୁ ୩୯ ବିଧାନସଭା ନିର୍ବାଚନରେ ପରାଜୟ
୨୦୧୪ ମସିହାରୁ ଆପଣଙ୍କ ନେତୃତ୍ବରେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଭାରତୀୟ ଜାତୀୟ କଂଗ୍ରେସ ଦୁଇଟି ଲୋକସଭା ନିର୍ବାଚନ ଳଜ୍ଜାଜନକ ଭାବେ ହାରିଛି। ୨୦୧୪ରୁ ୨୦୨୨ ମଧ୍ୟରେ ହୋଇଥିବା ୪୯ଟି ବିଧାନସଭା ନିର୍ବାଚନ ମଧ୍ୟରୁ ୩୯ଟିରେ କଂଗ୍ରେସ ପରାଜିତ ହୋଇଛି। ଦଳ କେବଳ ୪ଟି ରାଜ୍ୟର ନିର୍ବାଚନରେ ଜିତିଛି ଏବଂ ୬ଟି ରାଜ୍ୟରେ ମେଣ୍ଟ ଗଠନ କରିବାରେ ସକ୍ଷମ ହୋଇଛି। ଦୁର୍ଭାଗ୍ୟବଶତଃ ଆଜି, ଭାରତୀୟ ଜାତୀୟ କଂଗ୍ରେସ କେବଳ ଦୁଇଟି ରାଜ୍ୟରେ ଶାସନ କରୁଛି ଏବଂ ଅନ୍ୟ ଦୁଇଟି ରାଜ୍ୟରେ ସଂଖ୍ୟାଲଘୁ ମେଣ୍ଟ ସହଯୋଗୀ ରହିଛି। ୨୦୧୯ ନିର୍ବାଚନଠାରୁ କଂଗ୍ରେସ ଦଳର ସ୍ଥିତି କେବଳ ଖରାପ ହେବାରେ ଲାଗିଛି। ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଇସ୍ତଫା ଦେବା ପରେ ଆପଣ ଅନ୍ତରୀଣ ସଭାପତି ଦାୟିତ୍ବ ନେଇଛନ୍ତି। ଗତ ୩ ବର୍ଷ ହେଲା ଆପଣ ଏହି ପଦରେ ରହିଛନ୍ତି। ଆହୁରି ଖରାପ ବିଷୟ ହେଲା ଯେଉଁ ‘ରିମୋଟ୍‌ କଣ୍ଟ୍ରୋଲ ମଡେଲ’ ୟୁପିଏ ସରକାରର ପ୍ରତି‌ଷ୍ଠାନଗତ ସାଧୁତାକୁ ନଷ୍ଟ କରିଦେଇଥିଲା ତାହା ଏବେ ଭାରତୀୟ ଜାତୀୟ କଂଗ୍ରେସରେ ପ୍ରୟୋଗ ହେଉଛି। ଆପଣ ନାମମାତ୍ର ମୁଖ୍ୟ ଥିବାବେଳେ ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ରାହୁଲ ଗାନ୍ଧିଙ୍କ ଦ୍ବାରା କିମ୍ବା ତାଙ୍କ ସୁରକ୍ଷାକର୍ମୀ ଏବଂ ପିଏଙ୍କ ଦ୍ବାରା ନିଆଯାଉଛି।

topchand.com

ଭଲ କଥା କହିଥିବା ଜି-୨୩ ନେତାଙ୍କୁ ଗାଳି
୨୦୨୦ ଅଗଷ୍ଟରେ ମୁଁ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ଅନ୍ୟ ୨୨ ଜଣ ବରିଷ୍ଠ ସହଯୋଗୀ, ଯେତେବେଳେ ଦଳରେ ଦେଖାଦେଇଥିବା ଭୟଙ୍କର ଫାଟ ସଂପର୍କରେ ଆପଣଙ୍କୁ ଚିଠି ଲେଖିଥିଲୁ ସେତେବେଳେ ଦଳର ମନ୍ତ୍ରଣାଗୋଷ୍ଠୀ ଆମମାନଙ୍କୁ ଯେତେମାତ୍ରାରେ ସମ୍ଭବ ବଦନାମ, ଆକ୍ରମଣ ଓ ଅପମାନିତ କରିଥିଲେ। ବସ୍ତୁତଃ ଏଆଇସିସି ଆଜି ଯେଉଁ ମନ୍ତ୍ରଣାଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଛି ସେମାନଙ୍କ ନିର୍ଦ୍ଦେଶରେ ଜମ୍ମୁରେ ମୋର ପ୍ରତୀକାତ୍ମକ ଶେଷକୃତ୍ୟ କରାଯାଇଥିଲା। ଯେଉଁମାନେ ଏହି ବିଶୃ୍ଙ୍ଖଳିତ କାର୍ଯ୍ୟ କରିଥିଲେ ସେମାନେ ଦିଲ୍ଲୀରେ ଏଆଇସିସିର ସାଧାରଣ ସଂପାଦକ ଓ ରାହୁଲ ଗାନ୍ଧିଙ୍କ ଦ୍ବାରା ବ୍ୟକ୍ତିଗତ ଭାବେ ପ୍ରଶଂସିତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେହି ମନ୍ତ୍ରଣାଗୋଷ୍ଠୀଙ୍କ ଗୁଣ୍ଡାମାନେ ପୂର୍ବତନ ମନ୍ତ୍ରୀ ଶ୍ରୀ କପିଲ ସିବଲଙ୍କ ଘରେ ଆକ୍ରମଣ କରିଥିଲେ, ଯେଉଁ କପିଲ ସିବଲ ଆପଣଙ୍କୁ ଏବଂ ଆପଣଙ୍କ ସଂପର୍କୀୟଙ୍କୁ ସୁରକ୍ଷା ଦେବା ପାଇଁ ଅଦାଲତରେ ଲଢ଼ୁଥିଲେ। ୨୩ ଜଣ ବରିଷ୍ଠ ନେତା କେବଳ ଗୋଟିଏ ଅପରାଧ କରିଥିଲେ ତାହା ହେଲା ଦଳକୁ ନେଇ ସେମାନେ ଚିନ୍ତାବ୍ୟକ୍ତ କରିଥିଲେ, ଦୁର୍ବଳତା ଦର୍ଶାଇବା ସହିତ ପ୍ରତିକାର କଥା ‌କହିଥିଲେ। ଦୁର୍ଭାଗ୍ୟର ବିଷୟ ହେଲା ସେଗୁଡ଼ିକୁ ଗଠନମୂଳକ ଭାବେ ବିଚାରକୁ ନିଆ ନଯାଇ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆମକୁ ଖରାପ ଭାଷାରେ ଗାଳି ଓ ଅପମାନିତ କରାଯାଇଥିଲା। ଦୁର୍ଭାଗ୍ୟର ବିଷୟ ହେଲା କଂଗ୍ରେସ ଦଳ ଆଜି ଏଭଳି ତଳକୁ ଚାଲିଯାଇଛି ଯେ ତାହାକୁ ଉପରକୁ ଆଣିବା ପାଇଁ ଅନ୍ୟ କାହାରିକୁ ଖୋଜାଯାଉଛି। ଏହି ପରୀକ୍ଷା ବିଫଳ‌ ହେବ କାରଣ ଦଳ ସେହି ପରିସ୍ଥିତିକୁ ଏଭଳି ବ୍ୟାପକ ଭାବେ ନଷ୍ଟ କରିଦେଇଛି ଯେ ପୁନଃରୁଦ୍ଧାର ସମ୍ଭବ ନୁହେଁ। ଅଧିକନ୍ତୁ ଯାହାଙ୍କୁ ବି ଚୟନ କରାଯିବ ସେ ସଖି କଣ୍ଢେଇ ଛଡ଼ା ଅଧିକ କିଛି ହୋଇପାରିବେ ନାହିଁ।

କଂଗ୍ରେସର ଦୁରାବସ୍ଥା ପାଇଁ ନେତୃତ୍ବ ଦାୟୀ
ଦୁର୍ଭାଗ୍ୟର ବିଷୟ ଏହା ଯେ ଜାତୀୟ ସ୍ତରରେ ଆମେ ଆମ ପାଇଁ ଉପଲବ୍ଧ ଥିବା ସ୍ଥାନ ବିଜେପିକୁ ଏବଂ ରାଜ୍ୟସ୍ତରରେ ଆଞ୍ଚଳିକ ଦଳଗୁଡ଼ିକୁ ଦେଇସାରିଛୁ। ଏସବୁ ହୋଇଛି ଏଥିପାଇଁ ଯେ ଦଳର ନେତୃତ୍ବ ଗତ ୮ ବର୍ଷ ହେଲା ଜଣେ ନେତାଙ୍କ ଦ୍ବାରା ନିଆଯାଉଛି ଯିଏ କି ଆଦୌ ଗମ୍ଭୀର ନୁହଁନ୍ତି। ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଏକ ଫାର୍ସରେ ପରିଣତ ହୋଇଛି। ଦେଶର କୌଣସି ସ୍ଥାନରେ ସାଙ୍ଗଠନିକ ସ୍ତରରେ ନିର୍ବାଚନ ହୋଇନାହିଁ। ୨୪ ଆକ୍‌ବର ରୋଡ୍‌ରେ ଏଆଇସିସି ବୈଠକ ପରିଚାଳନା କରୁଥିବା କିଛି ହାତଗଣତି ବ୍ୟକ୍ତି ମନ୍ତ୍ରଣାପ୍ରଦାନକାରୀ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ତାଲିକାରେ ଦସ୍ତଖତ କରିବାକୁ ବାଧ୍ୟ ହେଉଛନ୍ତି। ବୁଥ୍‌, ବ୍ଲକ୍‌, ଜିଲ୍ଲା କିମ୍ବା ରାଜ୍ୟସ୍ତରରେ କୌଣସି ସ୍ଥାନରେ ଭୋଟର ତାଲିକା ପ୍ରକାଶ କରାଯାଇନାହିଁ, ମନୋନୟନ ଆହ୍ବାନ କରାଯାଇନାହିଁ, ଯାଞ୍ଚ କରାଯାଇ ନାହିଁ, ପୁଲିଂ ବୁଥ୍‌ ସ୍ଥାପନ କରାଯାଇ ନାହିଁ ଏବଂ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। ଯେଉଁ ଦଳ ଭାରତର ସ୍ବାଧୀନତା ପାଇଁ ଲଢ଼େଇ କରିଥିଲା ଏବଂ ସ୍ବାଧୀନତା ହାସଲ କରିଥିଲା ତାହାର ଏଭଳି ଅବସ୍ଥା ପାଇଁ ଏଆଇସିସିର ନେତୃତ୍ବ ହିଁ ଦାୟୀ। ସ୍ବାଧୀନତାର ୭୫ତମ ବର୍ଷରେ କଂଗ୍ରେସ ଏହି ବିପର୍ଯ୍ୟୟ ପାଇଁ ହକ୍‌ଦାର କି ନୁହେଁ ତାହା ଏଆଇସିସିର ନେତୃତ୍ବ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ।

ବ୍ୟକ୍ତିଗତ ସମ୍ମାନ ଅବ୍ୟାହତ ରହିବ
ଆପଣ ଜାଣିଛନ୍ତି ସ୍ବର୍ଗତଃ ଇନ୍ଦିରା ଗାନ୍ଧି, ସ୍ବର୍ଗତଃ ସଂଜୟ ଗାନ୍ଧିଙ୍କ ସମୟରୁ, ଆପଣଙ୍କ ସ୍ବାମୀ ଓ ପରିବାର ସହିତ ମୋର ଘନିଷ୍ଠ ବ୍ୟକ୍ତିଗତ ସଂପର୍କ ରହିଛି। ସେହି ଦୃଷ୍ଟିରୁ ଆପଣଙ୍କ ବ୍ୟକ୍ତିଗତ କଷ୍ଟ ଦିନଗୁଡ଼ିକରେ ମୋର ବ୍ୟକ୍ତିଗତ ସମ୍ମାନ ଆପଣଙ୍କ ପ୍ରତି ରହିଛି ଏବଂ ତାହା ଅବ୍ୟାହତ ରହିବ। ମୋର କିଛି ଅନ୍ୟ ସହଯୋଗୀ ଏବଂ ମୁଁ ଭାରତୀୟ ଜାତୀୟ କଂଗ୍ରେସର ପରିସର ବାହାରକୁ ଯାଇ ଆମର ଯୁବକ ଦିନର ସମଗ୍ର ଜୀବନ ଯେଉଁ ଆଦର୍ଶ ପାଇଁ ଉତ୍ସର୍ଗ କରିଛୁ ତାହା ଜାରି ରଖିବା ପାଇଁ ପ୍ରୟାସ କରିବୁ। ଉପରେ ଉଲ୍ଲିଖିତ ସମସ୍ତ କାରଣ, ବି‌ଶେଷକରି ଏଆଇସିସିର ମନ୍ତ୍ରଣାଗୋଷ୍ଠୀଙ୍କ ଅଧୀନରେ ପରିଚାଳିତ ଭାରତୀୟ ଜାତୀୟ କଂଗ୍ରେସ ଭାରତ ପାଇଁ ଯାହା ଠିକ୍‌ ସେଥିପାଇଁ ଲଢ଼େଇ କରିବାର ଆଗ୍ରହ ଏବଂ ସାମର୍ଥ୍ୟ ହରାଇଛି। ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନେତୃତ୍ବ ପକ୍ଷରୁ ଦେଶବ୍ୟାପୀ କଂଗ୍ରେସ ଯୋଡ଼ୋ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ଥିଲା। ତେଣୁ ଅତ୍ୟନ୍ତ ଦୁଃଖ ଏବଂ ଗଭୀର ବେଦନା ସହିତ ଭାରତୀୟ ଜାତୀୟ କଂଗ୍ରେସ ସହିତ ଥିବା ମୋର ଅର୍ଦ୍ଧ ଶତାବ୍ଦୀର ପୁରୁଣା ସଂପର୍କକୁ ଛିନ୍ନ କରିବା ପାଇଁ ମୁଁ ସ୍ଥିର କରିଛି। ଫ‌ଳରେ ଭାରତୀୟ ଜାତୀୟ କଂଗ୍ରେସର ସମସ୍ତ ପଦପଦବି ଏବଂ ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଉଛି।

ସମ୍ବନ୍ଧିତ ଖବର