ମହିଳା ସାମାଜିକ କର୍ମୀଙ୍କୁ ହତ୍ୟା ଉଦ୍ୟମ, ଖବରଦାତା ଗିରଫ

ଭୁବନେଶ୍ୱର : ଜଣେ ମହିଳା ସାମାଜିକ କର୍ମୀଙ୍କ ସଂପତ୍ତି ହାତେଇବାକୁ ଯୋଜନା କରି ବିଫଳ ହେବା ପରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଯାଁଳା ଫାଣ୍ଡି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଜଟଣୀ ରାଜାବଜାର ଅଞ୍ଚଳର ବିଭୁ ମହେନ୍ଦ୍ର ସାହୁ। ଅଭିଯୁକ୍ତ ବିଭୁ ଏକ ମୁଦ୍ରିତ ଗଣମାଧ୍ୟମର ଖବରଦାତା ଭାବେ କାମ କରୁଥିବା ଜଣାପଡ଼ିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ହେଲେ ଗୌରୀ ସାହୁ ଓ ସେ ଜଟଣୀ ଅଞ୍ଚଳର ଜଣେ ମାନବାଧିକାର କର୍ମୀ ଭାବେ ଜଣାଶୁଣା।

ସୂଚନାନୁସାରେ ଗୌରୀ ଜଣେ ସାମାଜିକ କର୍ମୀ ଓ ବିଭୁ ମହେନ୍ଦ୍ର ଜଣେ ଖବରଦାତା ହୋଇଥିବାରୁ ସେମାନଙ୍କ ମଧ୍ୟରେ ଭଲ ପରିଚିତି ଥିଲା। ଏହାଛଡ଼ା ଗୌରୀଙ୍କର ଯାଁଳା ବଜାରରେ ଏକ ଭେରାଇଟି ଷ୍ଟୋର ଥିବାରୁ ସେ ଜଟଣୀରୁ ତାଙ୍କ ଦୋକାନ ପାଇଁ ମାର୍କେଟିଂ କରୁଥିଲେ। ତେଣୁ ରାଜାବଜାରରେ ରହୁଥିବା ବିଭୁଙ୍କ ସହ ଜଟଣୀରେ ଗୌରୀଙ୍କର ଦେଖାସାକ୍ଷାତ ହେଉଥିଲା। କ୍ରମେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ଓ ବିଭୁ ଅନେକ ସମୟରେ ଯାଁଳା ଆସି ଗୌରୀଙ୍କୁ ଭେଟୁଥିଲେ। ଗୌରୀଙ୍କ ଅଭିଯୋଗ ଅନୁସାରେ ବହୁ ସମୟରେ ବିଭୁ ତାଙ୍କୁ ଟଙ୍କା ମାଗୁଥିଲେ। ଏପରିକି ତାଙ୍କର ନିଜର କେହି ନଥିବା ଜାଣି ବିଭୁ ତାଙ୍କ ସବୁ ସଂପତ୍ତି ନିଜ ପୁଅ ନାଁ’ରେ କରାଇବାକୁ କହୁଥିଲା। ଗତ ୩୦ ତାରିଖ ଦିନ ଗୌରୀ ଜଟଣୀ ଯାଇଥିବା ବେଳେ ବିଭୁ ତାଙ୍କୁ ରାସ୍ତାରେ ଅଟକାଇ ୧୦ ହଜାର ଟଙ୍କା ମାଗିଥିଲେ। ଗୌରୀ ଟଙ୍କା ଦେବାକୁ ମନା କରିବାରୁ ସେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଓ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ସେହି ଦିନ ବିଳମ୍ବିତ ରାତିରେ ବିଭୁ ଯାଁଳା ଆସି ତାଙ୍କ ଘରେ ପଶି ପୁଣି ପୁଅ ନାଁ’ରେ ସଂପତ୍ତି କରିବାକୁ ବାଧ୍ୟ କରିଥିଲେ। ଗୌରୀ ରାଜି ନହେବାରୁ ବିଭୁ ଏକ କାଠ ଫାଳିଆରେ ତାଙ୍କ ଗୋଡ଼କୁ ପିଟିଦେଇଥିଲା। ଫଳରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଛି ବୋଲି ଗୌରୀ ଅଭିଯୋଗରେ ଦର୍ଶାଇଛନ୍ତି। ସେ ଚିତ୍କାର କରିବାରୁ ବିଭୁ କିଛି କାଗଜପତ୍ର ଓ ତାଙ୍କ ଫୋନ୍ ନେଇ ଚମ୍ପଟ୍ ମାରିଥିଲା। ଯାଁଳା ଫାଣ୍ଡି ପୁଲିସ ହତ୍ୟା ଉଦ୍ୟମ ଭଳି ୯ଟି ସଙ୍ଗିନ ଦଫାରେ ବିଭୁକୁ ଗିରଫ କରିଛି।

ସମ୍ବନ୍ଧିତ ଖବର