ବନ ବିଭାଗର ଅଜବ ନୀତି: ବଣଭୋଜିକୁ ନାହିଁ ଅନୁମତି, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଦୈନିକ ଲକ୍ଷାଧିକ ରାଜସ୍ବ ହରାଉଛି ବିଭାଗ

ଭୁବନେଶ୍ବର: କରୋନା କମିଲାଣି। ସଭା, ସମିତି କରିବାକୁ ଅନୁମତି ମିଳିଲାଣି। ଚଳଚଞ୍ଚଳ ହୋଇଉଠିଲାଣି ପର୍ଯ୍ୟଟନସ୍ଥ‌ଳୀ। ଯାତ୍ରା, ରଙ୍ଗମଞ୍ଚ ଖୋଲିବା ଲାଗି ବି ରାଜ୍ୟ ସରକାର ସବୁଜ ସଙ୍କେତ ଦେଇ ସାରିଛନ୍ତି। ମାତ୍ର ପର୍ଯ୍ୟଟନସ୍ଥଳୀରେ ବଣଭୋଜି କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ଦେଉନି। ବିଭାଗ ଅଧୀନରେ ଥିବା ପର୍ଯ୍ୟଟନସ୍ଥଳୀ ସହ ବଣଭୋଜି ସ୍ଥଳରେ ଭୋଜି କରିବାକୁ ଏ ପର୍ଯ୍ୟନ୍ତ ଅନୁମତି ଦିଆଯାଉ ନାହିଁ। କରୋନା ବାହାନାରେ ବିଭାଗର ଏପରି କଟକଣା ଯୋଗୁଁ ପର୍ଯ୍ୟଟକ ନିରାଶ ହେଉଛନ୍ତି। ରୋଷେଇ ସରଞ୍ଜାମ ଧରି ବଣଭୋଜି ସ୍ଥଳରେ ପହଞ୍ଚିଲା ବେଳକୁ ସେଠାରୁ ତଡ଼ି ଦିଆଯାଉଛି। ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ବିଭାଗ ଅଧୀନ ରାଜ୍ୟର ସମସ୍ତ ବଣଭୋଜି ସ୍ଥଳୀରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।

ବଣଭୋଜି କରିବାକୁ ଯାଉଥିବା ପର୍ଯ୍ୟଟକ ଯେ କେବଳ ହଇରାଣ ହେଉଛନ୍ତି, ତାହା ନୁହେଁ, ବରଂ ବନ ବିଭାଗ ବି ପ୍ରଚୁର ଅର୍ଥ ହରାଉଛି। ଭୋଜି କରିବାକୁ ଅନୁମତି ଦିଆଯାଉ ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବି କମିବାରେ ଲାଗିଛି। ଉଦାହରଣ ଭାବେ ଭୁବନେଶ୍ବରରେ ଥିବା ଜୟଦେବ ବାଟିକାକୁ ବିଚାରକୁ ନିଆଯାଇପାରେ। ଏଠାରେ ଭୋଜି କରିବାକୁ ଶହେରୁ ଅଧିକ ପିଣ୍ଡି ରହିଥିଲେ ମଧ୍ୟ ତାହା ଏବେ କୌଣସି କାର୍ଯ୍ୟରେ ଲାଗୁ ନାହିଁ। ୧୦ଟି ଟିଣ, ଚାଳ ଛପର ପିଣ୍ଡି ସହ ଜଙ୍ଗଲ ଭିତରେ ଭୋଜି କରିବାକୁ ଶହେରୁ ଅଧିକ ସ୍ଥାନ ଚିହ୍ନଟ କରାଯାଇଛି। ଯେଉଁଠାରେ ବଣଭୋଜି ପାଇଁ ପାଣି ସୁବିଧା ବି ଅଛି। ପିଣ୍ଡିରେ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କୁ ୧୮୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଜଙ୍ଗଲ ଭିତରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜି ପାଇଁ ୮୦୦ ଟଙ୍କା ଲେଖାଏ ଫି’ ନିଆଯାଏ। ଏହାବାଦ୍‌ ବାଟିକାକୁ ପ୍ରବେଶ ବାବଦରେ ଅଲଗା ଫି’ ଆଦାୟ କରାଯାଏ। ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏଠାରେ ବୁଲିବା ସହ ଭୋଜି କରିବାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସୁଛନ୍ତି। ମାତ୍ର କର୍ତୃପକ୍ଷ ଅନୁମତି ‌ଦେଉ ନ ଥିବାରୁ ସେମାନେ ନିରାଶ ହୋଇ ଫେରି ଯାଉଛନ୍ତି। ୧୦ ହଜାର ଲୋକଙ୍କ ଭୋଜି କରିବାକୁ ଏହା ପରିସରରେ ସୁବିଧା ରହିଥିଲେ ମଧ୍ୟ ଏବେ ଜଣେ ବି ଆସୁନାହାନ୍ତି। ଯେଉଁଥିପାଇଁ ପ୍ରତିଦିନ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛି ବନ ବିଭାଗ।

ରାଜଧାନୀ ଉପକଣ୍ଠ ଡେରାସ, ନନ୍ଦନକାନନ ବଟାନିକାଲ ଗାର୍ଡେନ୍‌ରେ ବି ବଣଭୋଜି ପାଇଁ ଅନୁମତି ନ ଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବୁଲି ଆସୁଥିବା ପର୍ଯ୍ୟଟକ ବି ଏବେ ନିରାଶ ହେଉଛନ୍ତି। ବଣଭୋଜି ପ୍ରସ୍ତୁତିରେ ଆସୁଥିଲେ ମଧ୍ୟ ସ୍ଥାନ ମିଳୁ ନ ଥିବାରୁ ଏଣେତେଣେ ଭୋଜି କରୁଛନ୍ତି। ପରିବେଶ ନଷ୍ଟ ହେବା ସହ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବିଗୁଡ଼ୁଛି। ରାଜ୍ୟର କିଛି ପର୍ଯ୍ୟଟନସ୍ଥଳୀ ନିକଟରେ ବଣଭୋଜି କରାଯାଉଥିଲେ ମଧ୍ୟ ବନ ବିଭାଗ ଏ କ୍ଷେତ୍ରରେ କାହିଁକି ପଦକ୍ଷେପ ନେଉ ନାହିଁ ବୋଲି ପ୍ରଶ୍ନ ଉଠିଛି। ବଣଭୋଜି ପାଇଁ ବିଭାଗ ଅନୁମତି ଦେଇ ନଥିଲେ ମଧ୍ୟ ପର୍ଯ୍ୟଟନସ୍ଥଳୀରେ ବିଭିନ୍ନ କାର୍ଯ୍ୟକଳାପ ଯଥା ପାହାଡ଼ ଚଢ଼ିବା, ଜଙ୍ଗଲ ଟ୍ରେକିଂ, ଜଙ୍ଗଲ ସଫାରି, ବୋଟିଂ, ସାଇକେଲିଂ ଆଦି କରିବାକୁ ଅନୁମତି ଦେଇଛି ବିଭାଗ। ଡିସେମ୍ବରରେ ଇକୋ-ରି‌ଟ୍ରିଟ୍‌ କରିବାକୁ ବି ଯୋଜନା ପ୍ରସ୍ତୁତ ହୋଇଛି। ମାତ୍ର ବଣଭୋଜି ବେଳକୁ କିଭଳି ଅସୁବିଧା ହେଉଛି, ସେନେଇ କାହା ପାଖରେ ଉତ୍ତର ନାହିଁ। ବିଭାଗର ବରିଷ୍ଠ ଅଧିକାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି, ଏ ବିଷୟରେ ଆମେ କିଛି କହିପାରିବୁ ନାହିଁ।

ସମ୍ବନ୍ଧିତ ଖବର