ଆତଙ୍କବାଦୀ ସଂଗଠନରୁ ପାଣ୍ଠି ନେଇଥିବା ଅଭିଯୋଗ: କେଜ୍ରିୱାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ସୁପାରିଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମଦ ଦୁର୍ନୀତି ଅଭିଯୋଗରେ ସେ ପୂର୍ବରୁ ତିହାର ଜେଲ୍‌ରେ ରହିଛନ୍ତି। ବର୍ତ୍ତମାନ ତାଙ୍କ ବିରୋଧରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍‌ଠାରୁ ରାଜନୈତିକ ଦାନ ନେଇଥିବା ଅଭିଯୋଗ ହୋଇଛି।

ଦିଲ୍ଲୀର ଉପରାଜ୍ୟପାଳ କେଜ୍ରିୱାଲଙ୍କ ବିରୋଧରେ ଏଏନଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ସୂଚନାନୁସାରେ, ଉପରାଜ୍ୟପାଳଙ୍କୁ ଏକ ଅଭିଯୋଗ ମିଳିଛି ଯେ ଆମ୍ ଆଦମୀ ପାର୍ଟିକୁ ଶିଖ୍ ଫର୍ ଜଷ୍ଟିସ୍‌ଠାରୁ ୧୬ ମିଲିୟନ୍ ଡଲାର୍ ଅନୁଦାନ ମିଳିଛି। ଉପରାଜ୍ୟପାଳଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଖାଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ ଭୁଲ୍ଲରଙ୍କ ମୁକ୍ତି ତଥା ଖାଲିସ୍ତାନୀ ଭାବନାକୁ ପ୍ରୋତ୍ସାହିତ କରିବା ବଦଳରେ ଏହି ଦାନ ପ୍ରଦାନ କରାଯାଇଛି।

ଉପ-ରାଜ୍ୟପାଳଙ୍କୁ ଏହି ଚିଠି ୱାର୍ଲ୍ଡ ହିନ୍ଦୁ ଫେଡେରେସନ୍- ଇଣ୍ଡିଆ ନାମକ ଏକ ସଂସ୍ଥା ଦ୍ୱାରା ଲେଖାଯାଇଛି। କୁହାଯାଇଛି ଆମ୍ ଆଦମୀ ପାର୍ଟି ୨୦୧୪ ରୁ ୨୦୨୨ ମଧ୍ୟରେ ଏହି ଦାନ ନେଇଥିଲେ। ଏହା ମଧ୍ୟ ଲେଖାଯାଇଛି ୨୦୧୪ ରେ ଶିଖ୍ ଜଷ୍ଟିସ୍ ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁ ଏବଂ କେଜ୍ରିୱାଲ ଆମେରିକାର ନ୍ୟୁୟର୍କ ସହରରେ ଅବସ୍ଥିତ ଏକ ଗୁରୁଦ୍ୱାରରେ ସାକ୍ଷାତ ହୋଇଥିଲେ।

ଏହି ବୈଠକରେ କେଜ୍ରିୱାଲ ପନ୍ନୁଙ୍କୁ ଆଶ୍ୱାସନା ଦେଇଥିଲେ ଯେ ୧୯୯୩ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଭୁଲ୍ଲରଙ୍କୁ ଜେଲରୁ ମୁକ୍ତ କରିବାରେ ସେ ସାହାଯ୍ୟ କରିବେ। ଏବେ ଏହାକୁ ନେଇ କେଜ୍ରିୱାଲଙ୍କ ଅଡୁଆ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର