ଆପଣାଙ୍କ ଭିତରେ ନିର୍ବାସିତ

ଚିତ୍ତରଞ୍ଜନ ଚିରଞ୍ଜିତ

ତାମିଲନାଡ଼ୁ ଟୁଟିକୋରିନର ସିଲୁଭାଇ (୮୪ବର୍ଷ) ଓ ପତ୍ନୀ ଆରୁଲାମ୍ମାଲ (୮୦ବର୍ଷ) ବର୍ତ୍ତମାନ କିଭଳି ଅବସ୍ଥାରେ ରହିଛନ୍ତି ଜାଣିବା କଷ୍ଟ। ୨୦୧୧ ମସିହା ନଭେମ୍ବର ମାସରେ ଦୁହିଁଙ୍କ ଅବସ୍ଥା ଯେ ଠିକ୍‌ ନଥିଲା, ସେଠାକାର ଥାନାରେ କରାଯାଇଥିବା ଅଭିଯୋଗରୁ ତାହା ସ୍ପଷ୍ଟ ହୋଇଯାଇଥିଲା। ଦୁହେଁ ଅଭିଯୋଗ କରିଥିଲେ ଯେ ଏକମାତ୍ର ପୁଅ ଓ ବୋହୂ ସେମାନଙ୍କର ଦୁଇଟି ଘରକୁ କବ୍‌ଜା କରିନେଇଛନ୍ତି। ତା’ ସହିତ ସେମାନଙ୍କର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ବି ନେଇ ଯାଇଛନ୍ତି। ଫ‌ଳରେ, ଦୁହିଁଙ୍କ ଜୀବନ ଅତ୍ୟନ୍ତ ଦୁର୍ବିଷହ ହୋଇପଡ଼ିଛି। ବୃତ୍ତିରେ ମତ୍ସ୍ୟଜୀବୀ ଏ ଦୁହେଁ ବୟସାଧିକ୍ୟ ଦୃଷ୍ଟିରୁ ପେଟପାଟଣା ପୋଷିବାର ସାମର୍ଥ୍ୟ ବି ହରାଇଛନ୍ତି।

ତେବେ, କଥା ହେଲା, ସିଲୁଭାଇ ଓ ଆରୁଲାମ୍ମାଳଙ୍କ କଥା ଆଜି ମନେ ପକାଇବାର କାରଣ କଣ? କାରଣ ହେଉଛି, ‘ମେଣ୍ଟେନାନ୍‌ସ ଆଣ୍ଡ ୱେଲ୍‌ଫେୟାର୍‌ ଅଫ୍‌ ପ୍ୟାରେଣ୍ଟ୍‌ସ ଆଣ୍ଡ ସିନିଅର୍‌ ସିଟିଜେନ୍‌ ଆକ୍ଟ-୨୦୦୭’ ଲାଗୁ ହେବା ପରେ ଏହା ଥିଲା ସମଗ୍ର ଦେଶରେ ଏ ସଂକ୍ରାନ୍ତ ପ୍ରଥମ ମାମଲା। ଏହା ଭିତରେ ଆଠ ବର୍ଷ ଅତିକ୍ରାନ୍ତ ‌େହବାକୁ ବସିଛି। ଏମାାନଙ୍କ ମାମଲା ଭଳି ଅନେକ ମାମଲା ବି ରୁଜ୍ଜୁ ହୋଇସାରିଛି। କିନ୍ତୁ, ଆଇନ ଦ୍ବାରା ଯେ ସାମାଜିକ ସଂପର୍କକୁ ନେଇ ଘଟୁଥିବା ଅପଘଟଣା ସବୁର ନିୟନ୍ତ୍ରଣ କରାଯାଇ ପାରିବ ନାହିଁ, ଏହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି।

ଏବେ ଆମ ରାଜ୍ୟକୁ ଆସିବା। ଖୋର୍ଦ୍ଧାର ଗୁଡ଼ୁମ ନାମକ ଗାଁର ଅନନ୍ତ ଚରଣ ଦାଶ ଓ ପତ୍ନୀ ଆଣି। ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ଏହି ଦୁଇ ଜଣଙ୍କୁ ପିଲାମାନେ ବୋଝ ବୋଲି ଭାବି ନ ପଚାରିବାରୁ ଦୁହେଁ ଜିଲ୍ଲାପାଳଙ୍କୁ ଭେଟି ଇଚ୍ଛାମୃତ୍ୟୁ ଲାଗି ଅନୁମତି ମାଗିଛନ୍ତି। ସେମିତି ପାରଳାଖେମୁଣ୍ଡି ଗୋପିନୀ ସାହିର ସ୍ବର୍ଗତ ରାମଚନ୍ଦ୍ର ଅଧିକାରୀଙ୍କ ପତ୍ନୀ ଜାନକୀ ଅଧିକାରୀ ପୁଅବୋହୂଙ୍କ ତାଡ଼ନାକୁ ସହ୍ୟ କରି ନ ପାରି ଜିଲ୍ଲା ଏସ୍‌ପିଙ୍କୁ ଭେଟି ଜଣାଇଛନ୍ତି ଯେ ତାଙ୍କ ସମସ୍ତ ସମ୍ପତ୍ତି ନେଇ ଏକ ଜରାନିବ‌ାସ ନିର୍ମାଣ କରାଯାଉ। କଟକ ସଦର ଥାନା ଅନ୍ତର୍ଗତ ମନ୍ଦରଡିହ ଅଞ୍ଚଳ ଅନ୍ଧୁଟି ଗ୍ରାମର ବିଦ୍ୟୁତ୍‌ଲତା ବେହେରା (୮୫ବର୍ଷ) ନିଜର ଚାରି ପୁଅ ଥିବା ସତ୍ତ୍ବେ ଆଜି ଅସହାୟ। ତାଙ୍କୁ ଖାଇବାକୁ ମିଳୁନଥିବାର ଅଭିଯୋଗ ସେ ଥାନାରେ କରିଛନ୍ତି।

‘ମେଣ୍ଟେନାନ୍ସ ଆଣ୍ଡ ୱେଲ୍‌ଫେୟାର୍‌ ଅଫ୍‌ ପ୍ୟାରେଣ୍ଟ୍‌ସ ଆଣ୍ଡ ସିନିୟର୍‌ ସିଟିଜେନ୍‌ ଆକ୍ଟ’ ଅନୁଯାୟୀ ବୃଦ୍ଧ ବାପାମା’ଙ୍କ ଯତ୍ନ ନେବାକୁ ସନ୍ତାନ ବାଧ୍ୟ। ଯଦି କେହି ଏହା ନ କରେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ। ଏ ସମ୍ପର୍କରେ ପିତାମାତା, ଗ୍ରାମବାସୀ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରଣପୋଷଣ ଟ୍ରିବ୍ୟୁନାଲରେ ଅଭିଯୋଗ କରିପାରିବେ। ଦେଶ ସ୍ବାଧୀନତା ପ୍ରାପ୍ତିର ଦୀର୍ଘ ୬୧ ବର୍ଷ ପରେ ଏହି ଆଇନଟି ଆସିଥିଲା। କାରଣ, ବୃଦ୍ଧାବସ୍ଥାରେ ପିତାମାତାଙ୍କ ଯତ୍ନ ନେବା ଆମ ଦେଶ‌ର ସାମାଜିକ ସଂସ୍କୃତିର ଅଂଶ ଭାବେ ଅନେକ ବର୍ଷ ଯାଏ ସ୍ବାଭାବିକ ଥିଲା। କିନ୍ତୁ ପରିବର୍ତ୍ତିତ ସାମାଜିକ ପରିସ୍ଥିତି ଓ ମୂଲ୍ୟବୋଧ କାରଣରୁ ଏଭଳି ଏକ ସ୍ବାଭାବିକ ପାରିବାରିକ ବ୍ୟବସ୍ଥା ଭୁଶୁଡ଼ିବାକୁ ଲାଗିଲା। ତେଣୁ ଏଭଳି ଆଇନଟିଏ କରିବାକୁ ହେଲା। କିନ୍ତୁ ବିଡ଼ମ୍ବନା ହେଉଛି, ଯେଉଁଠି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଭଳି ଭାବଧାରା ଗୁରୁତ୍ବପୂର୍ଣ୍ଣ, ସେଠି ଆଇନର ବାଧ୍ୟବାଧକତା କ’ଣ କିଛି ପ୍ରଭାବ ପକାଇପାରିବ?

ଏବେ ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ଦୃଷ୍ଟିକୋଣରୁ ସେମାନଙ୍କ ମାନସିକ, ସ୍ବାସ୍ଥ୍ୟଗତ, ଅର୍ଥନୈତିକ ଏବଂ ସର୍ବେ‌ାପରି ସାମାଜିକ ସୁରକ୍ଷା ଦେଶ ତଥା ସମାଜ ଲାଗି ଏକ ବଡ଼ ଆହ୍ବାନ। ୨୦୧୫ ମସିହା ସୁଦ୍ଧା ଦେଶରେ ୬୦ ବର୍ଷ ବୟସରୁ ଅଧିକ ବୟସର ନାଗରିକଙ୍କ ସଂଖ୍ୟା ୩୨.୪ କୋଟିରେ ପହଞ୍ଚିବ ଏବଂ ସେମାନଙ୍କ ମଧ୍ୟରୁ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ହେବ ୪.୮ କୋଟି। ଏପରି ସ୍ଥିତିରେ ସେମାନଙ୍କ ଯତ୍ନ ନେବା ସହିତ ସେମାନଙ୍କୁ କିଭଳି ସୃଜନଶୀଳ ଭାବେ ସକ୍ରିୟ କରି ରଖାଯିବ, ସେ ଦିଗରେ ଗଭୀର ଚିନ୍ତନ ଓ ବ୍ୟାପକ ବିଚାରବିମର୍ଶ କରାଯିବା ଜରୁରୀ। ତା ନ ହେଲେ ସେମାନେ ଆପଣାଙ୍କ ଭିତରେ ନିର୍ବାସିତର ଜୀବନ କାଟିବାକୁ ବାଧ୍ୟ ହୋଇଚାଲିବେ।

ଦେଉଳପଡ଼ା, କେନ୍ଦ୍ରାପଡ଼‌ା
[email protected]

ସମ୍ବନ୍ଧିତ ଖବର