ବହୁ ବାଦବିବାଦ ସତ୍ତ୍ୱେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ଶେଷ ହୋଇଛି। ଭଣ୍ଡାର ଯାଞ୍ଚ ପାଇଁ ନିଯୁକ୍ତ ପ୍ରାଧିକୃତ ପ୍ରତିନିଧିମାନେ ଭିତର ଭଣ୍ଡାର ଖୋଲିନପାରି ବାହାର ଭଣ୍ଡାରର ସ୍ଥିତି ଯାଞ୍ଚ୍ କରି ଫେରି ଆସିଛନ୍ତି। ରତ୍ନ ଭଣ୍ଡାର ଖୋଲିବା ନେଇ ସବୁ ମହଲରେ ଲାଗି ରହିଥିବା ଉତ୍କଣ୍ଠା ଶେଷରେ ପାଣିଫୋଟକା ଭଳି ମିଳାଇ ଯାଇଛି। ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ରହସ୍ୟ ପୁଣି ରହସ୍ୟରେ ରହିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ ଏବେ ବିବାଦ ଦେଖାଦେଇଥିବା ବେଳେ ପ୍ରଥମ ଥର ପାଇଁ ବିଜେଡିର ଦୁଇ ବରିଷ୍ଠ ମନ୍ତ୍ରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ସପକ୍ଷରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି। ରତ୍ନଭଣ୍ଡାରରେ ଫାଟ ରହିଛି, ମରାମତି ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପ୍ରଫୁଲ୍ଲ ସାମଲ। ସେପଟେ ଭିତର ଭଣ୍ଡାରର ଚାବି କିଏ ରଖିଛି ଏହାକୁ ନେଇ ମଧ୍ୟ ରହସ୍ୟ ଜାରି ରହିଛି। ଚାବି ନମିଳିବା କାରଣରୁ ଭିତର ଭଣ୍ଡାର ଖୋଲିପାରିଲା ନାହିଁ ବୋଲି ଚର୍ଚ୍ଚା ହେଉଛି।
ଆଉ ଥରେ ବର୍ଷା ଦିନରେ ଭଣ୍ଡାର ଘର ଯାଂଚ ନେଇ ବିଶେଷଜ୍ଞ କମିଟି ମତ ଦେଇଥିବା ବେଳେ ଏବେ ଚାବିକୁ ନେଇ ଅଡୁଆରେ ପଡିଛି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ। ସେପଟେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି ସେବାୟତ। ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଏହା ଯେତିକି ରହସ୍ୟ ହୋଇ ରହିଥିଲା, ଭିତର ଭଣ୍ଡାର ନଖୋଲିବା କାରଣରୁ ରହସ୍ୟ ଆହୁରି ବଢିବାରେ ଲାଗିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ, ଭିତର ରତ୍ନଭଣ୍ଡାର ଖୋଲିବା ଆବଶ୍ୟକ ନଥିଲା। ଏବେ ପ୍ରଶ୍ନ ଉଠୁଛି- ପ୍ରକୃତରେ ଭିତର ଭଣ୍ଡାର ଖୋଲିବା ଅବଶ୍ୟକ ନଥିଲା ନା ଚାବି ନମିଳିବାରୁ ଅଧାରୁ ଅଟକିଥିଲା ଯାଞ୍ଚ କାମ।