ଦୋଳଯାତ୍ରା ସମୟରେ ଚଣା, ଉଖୁଡ଼ା, ଶାକର ଭୋଗ ସାଙ୍ଗକୁ ଭଳି ଭଳି ଚିନିକଣ୍ଢେଇ କିଣି ଖାଇବାକୁ ଆମ ଗାଁଗହଳିର ପିଲାଏ ଭାରି ଭଲପାଆନ୍ତି। ଚିନିରେ ତିଆରି ହାତୀ, ଘୋଡ଼ା, ମାଛ, ପରୀ ଭଳି ଭିନ୍ନ ଭିନ୍ନ ଆକାରର ଏଇସବୁ ସ୍ବାଦିଷ୍ଠ ମିଠେଇ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ଜନପ୍ରିୟ। ମିଠା ଓ ପିଠାର ରାଇଜ ଓଡ଼ିଶା। କିନ୍ତୁ, ସବୁଠାରୁ ବଡ଼ ଗୌରବର କଥା ହେଲା, ଦେଶ ସ୍ବାଧୀନ ହେବାର ପ୍ରାୟ ଶହେ ବର୍ଷ ପୂର୍ବରୁ ଆମ ରାଜ୍ୟରେ ପ୍ରତିଷ୍ଠିତ ହୋଇଥିଲା ସମଗ୍ର ଦକ୍ଷିଣପୂର୍ବ ଏସିଆର ପ୍ରଥମ ଅତ୍ୟାଧୁୁନିକ ଚିନିକଳ। ଗଞ୍ଜାମ ଜିଲ୍ଲାର ଆସ୍କାଠାରେ ପ୍ରତିଷ୍ଠିତ ଏହି ଐତିହାସିକ ଚିନିକଳ ପାଇଁ ଏ ଅଞ୍ଚଳ ସେତେବେଳେ ‘ଚିନିରାଇଜ’ ବା ‘ସୁଗାର କଣ୍ଟ୍ରି’ ନାମରେ ଦେଶବିଦେଶରେ ପରିଚିତି ପାଇଥିଲା ଏବଂ ୧୮୭୮ରେ ଫ୍ରାନ୍ସର ପ୍ୟାରିସ୍ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଶିଳ୍ପମେଳାରେ ଏହି କାରଖାନାର ଚିନି ପ୍ରଦର୍ଶିତ ହୋଇ ଗୁଣମାନ ଦୃଷ୍ଟିରୁ ରୌପ୍ୟପଦକ ହାସଲ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଚିନି କାରଖାନା ସହ ଯୋଡ଼ିହୋଇ ରହିଛି ଅନେକ ରୋମାଞ୍ଚକର କାହାଣୀ। ମାତ୍ର ଯେଉଁ ଆଖ୍ୟାନଟି ଆଜି ବି ଆମ ସମସ୍ତଙ୍କୁ ବିଭୋର କରେ, ତାହା ହେଉଛି ‘ସୁନା ମିନ୍ଚିନ’ଙ୍କ କଥା। ଏହି ଅଞ୍ଚଳର ଦରିଦ୍ର ପରିବାରର ଅନୂଢ଼ା କିଶୋରୀଟିଏ ଚିନିରାଇଜର ରାଣୀ ପାଲଟିଯିବାର କାହାଣୀ। ଊନବିଂଶ ଶତାବ୍ଦୀର କଥା। ତତ୍କାଳୀନ ଇଷ୍ଟ୍ ଇଣ୍ଡିଆ କମ୍ପାନି ଅଧୀନରେ କାର୍ଯ୍ୟରତ କର୍ଣ୍ଣେଲ୍ ମିନ୍ଚିନ୍ ସାହେବଙ୍କର ପୁଅଟିଏ ଜନ୍ମିଥିଲା ୧୮୨୯ ମସିହାରେ। ନାଁ ଫ୍ରେଡ୍ରିକ୍ ଜେମ୍ସ ଭିଭିଆନ୍ ମିନ୍ଚିନ୍। ଫ୍ରେଡ୍ରିକ୍ ଲଣ୍ଡନରେ ପାଠପଢ଼ା ସାରି ୧୮ ବର୍ଷ ବୟସରେ ଭାରତକୁ ଫେରିବା ପରେ ମାଡ୍ରାସର ଏକ କମ୍ପାନିରେ ଚାକିରି କଲେ। ଏହି ଅବସରରେ ଆସିକା ଅଞ୍ଚଳର ଋଷିକୁଲ୍ୟା ଅବବାହିକାର ଉନ୍ନତମାନର ଆଖୁଚାଷ ଦେଖି ସେ ଅଭିଭୂତ ହୋଇଯାଇଥିଲେ। ଏଣୁ ଏଠାରେ ଠିକ୍ ଚାଲିପାରୁ ନ ଥିବା ଏକ ପୁରୁଣା କାରଖାନାକୁ କିଣିନେଇ ସେ ଜର୍ମାନ୍ ଯନ୍ତ୍ରପାତି ଓ ଜ୍ଞାନକୌଶଳ ଆଣି ପ୍ରତିଷ୍ଠା କଲେ ଡିଫ୍ୟୁଜନ୍ ପଦ୍ଧତିର ସମଗ୍ର ଦକ୍ଷିଣପୂର୍ବ ଏସିଆର ସର୍ବପ୍ରଥମ ଚିନିକଳ – ଆସିକା ଚିନିକଳ। ଏହି ଅତ୍ୟାଧୁନିକ କାରଖାନାରୁ ଉତ୍ପାଦିତ ଚିନି ଏତେ ଉଚ୍ଚମାନର ଥିଲା ଯେ, ଏହା ଦେଶବିଦେଶକୁ ପଠାଯାଉଥିଲା ଏବଂ ଖୁବ କମ୍ ଦିନ ମଧ୍ୟରେ ଏହା ବହୁ ପ୍ରସିଦ୍ଧି ଲାଭ କରିଥିଲା। ଚିନି କହିଲେ ଲୋକେ ବୁଝୁଥିଲେ- ଆସିକା ଚିନି।
ସୁନା ଦରିଦ୍ର ପରିବାରର ଝିଅଟିଏ। ଲୋକେ କହନ୍ତି ତା’ର ପରିବାର ଆସ୍କାର ବସ୍ତିରେ ରହି ଦୁଃଖେକେଷ୍ଟ ଚଳୁଥିଲେ। ସେ କିନ୍ତୁ ଥିଲା ଅପୂର୍ବ ସୁନ୍ଦରୀ। ସୁନା ପରି ଝଟକୁଥିବା ବାର ତେର ବର୍ଷର ଅନୂଢ଼ା କିଶୋରୀଟିଏ।
ଏଇଠି ଆରମ୍ଭ ହେଉଛି ‘ସୁନା’ର କାହାଣୀ। ସୁନା ଦରିଦ୍ର ପରିବାରର ଝିଅଟିଏ। ଲୋକେ କହନ୍ତି ତା’ର ପରିବାର ଆସ୍କାର ବସ୍ତିରେ ରହି ଦୁଃଖେକେଷ୍ଟ ଚଳୁଥିଲେ। ସେ କିନ୍ତୁ ଥିଲା ଅପୂର୍ବ ସୁନ୍ଦରୀ। ସୁନା ପରି ଝଟକୁଥିବା ବାର ତେର ବର୍ଷର ଅନୂଢ଼ା କିଶୋରୀଟିଏ। ସେତେବେଳେ ମିନଚିନ୍ ସାହେବ ଏକ ବିରାଟ ବଙ୍ଗଳାରେ ରହୁଥାଆନ୍ତି। ପ୍ରତିଦିନ ଭୋର୍ରୁ ଜଣେ ମାଲିଆଣୀ ସହିତ ସେଇ ବଙ୍ଗଳାକୁ ଆସି ଫୁଲ ତୋଳୁଥିଲା ସୁନା। ପ୍ରାତଃଭ୍ରମଣରେ ବୁଲୁଥିବା ବେଳେ ଦିନେ ମିନ୍ଚିନ୍ ସାହେବଙ୍କର ନଜର ତା’ ଉପରେ ପଡ଼ିଲା ଏବଂ ପ୍ରଥମ ଦେଖାରେ ହିଁ ସେ ମୁଗ୍ଧ ହୋଇଯାଇଥିଲେ। ମାଲିଆଣୀ ମାଧ୍ୟମରେ ଝିଅର ବାପାମା’ଙ୍କୁ ସେ ଯୋଗାଯୋଗ କରିଥିଲେ, ସେମାନଙ୍କର ଆପତ୍ତି ନ ଥିଲେ ଝିଅଟିକୁ ଆଣି ନିଜ ପାଖରେ ରଖିବା ପାଇଁ। ଚିନିକଳର ମାଲିକ ହିିସାବରେ ଖଣ୍ଡମଣ୍ଡଳରେ ପରିଚିତ ମିନ୍ଚିନ୍ ସାହେବଙ୍କୁ ସେତେବେଳେ କିଏ ବା ନ ଜାଣେ! ତାଙ୍କର ଅଚଳାଚଳ ସମ୍ପତ୍ତି। ସୁନାର ବାପାମା’ ଝିଅର ଭବିଷ୍ୟତ କଥା ଚିନ୍ତାକରି ରାଜି ହୋଇଯାଇଥିଲେ ତାକୁ ଗୋରାସାହେବଙ୍କ ପାଖରେ ଛାଡ଼ିଦେବାକୁ। ମିନ୍ଚିନ୍ ସାହେବ ମଧ୍ୟ ଥିଲେ ବେଶ୍ ସଂଭ୍ରାନ୍ତ ଓ ଦାୟିତ୍ୱସଂପନ୍ନ। ସେ ସୁନାକୁ ଇଂଲଣ୍ଡ ନେଇ ସେଇଠି ପାଠ ପଢ଼ାଇ ଶିକ୍ଷିତା କଲେ ଏବଂ ପରେ ତା’ର ସମ୍ମତି ନେଇ ବିଧିବଦ୍ଧ ବିବାହ ମଧ୍ୟ କଲେ। ଦରିଦ୍ର ପରିବାରର ଅଭାଗିନୀ ସୁନା ଏବେ ପାଲଟିଗଲା ‘ଏମିଲି ସୋନା ମିନ୍ଚିନ୍’। ଆସ୍କା ଚିନିକଳର ମାଲିକାଣୀ- ସୁନା ସାହେବାଣୀ।
ଏ ଏକ ଅଦ୍ଭୁତ ପ୍ରେମକାହାଣୀ। ମିନଚିନ୍ ସାହେବ ଥିଲେ ସୁନାଠାରୁ ପ୍ରାୟ ୩୭ ବର୍ଷ ବଡ଼। ମାତ୍ର ସେମାନଙ୍କ ମଧ୍ୟରେ ସମ୍ପର୍କ ଥିଲା ବେଶ୍ ମଧୁର। ସୁନା ମଧ୍ୟ ଥିଲା ବେଶ୍ ପରିଶ୍ରମୀ ଓ ବୁଦ୍ଧିମତୀ। ନିଜ ଚେଷ୍ଟାରେ କାରଖାନା ଚଳାଇବାର ସମସ୍ତ କୌଶଳ ସେ ଶିଖିସାରିଥାଏ। ଫଳରେ ୧୯୦୮ରେ ମିନଚିନ୍ ସାହେବଙ୍କ ମୃତ୍ୟୁ ପରେ ସୁନା ମିନ୍ଚିନ୍ ହିଁ ମାଲିକାଣୀ ହିସାବରେ ବେଶ୍ ଦକ୍ଷତାର ସହ ଆଠ ବର୍ଷ ଚିନିକଳକୁ ଚଳାଇ ରଖି ପାରିଥିଲେ। କିନ୍ତୁ, ୧୯୧୬ରେ କଲିକତାଠାରେ ସୁନାଙ୍କର ମୃତ୍ୟୁ ହେବାପରେ କାରଖାନାଟି ବିକ୍ରି ହୋଇଗଲା ଏବଂ କିଛିବର୍ଷ ଚାଲିବା ପରେ ୧୯୪୬ରେ ଏହା ବନ୍ଦ ହୋଇଗଲା। ମିନ୍ଚିନ୍ ସାହେବ ଓ ସୁନାଙ୍କର ସମାଧି ଦୁଇଟି ବହୁଦିନ ପର୍ଯ୍ୟନ୍ତ ଆସ୍କାଠାରେ ଥିଲା। ଏବେ ତାହା ଆଉ ନାହିଁ। ମାତ୍ର ସେଇ ସମାଧି ନିକଟରେ ଥିବା ମାର୍ବଲ ମୂର୍ତ୍ତି ଓ ସ୍ମୃତିଫଳକ ଦୁଇଟିକୁ ରାଜ୍ୟ ସଂଗ୍ରହାଳୟକୁ ଅଣାଯାଇଛି। ଆଜି ଭୁବନେଶ୍ବର ରାଜ୍ୟ ସଂଗ୍ରହାଳୟ ସାମନା ଲନ୍ ଭିତରେ ଶୋଭାପାଉଛି ସେହି ମାର୍ବଲ ପରୀ ଏବଂ ତା’ ତଳେ ଏମିଲି ସୁନା ମିନ୍ଚିନଙ୍କର ସ୍ମୃତିଫଳକ। ସତେ ଯେମିତି ଗରିବ ଘରର ଝିଅ ସୁନା ଆଜି ବନିଯାଇଛି ସୋନ୍ ପରୀ। ସାଧନା, ସୌଭାଗ୍ୟ ତଥା ଉଦ୍ଯୋଗର ଅନନ୍ୟ ଉଦାହରଣ – ଚିନିରାଇଜର ରାଣୀ, ସୁନା ସାହେବାଣୀ!