ବିସିସିଆଇ କର୍ମକର୍ତାଙ୍କ କ୍ଷମତା ସଙ୍କୁଚିତ

ପକ୍ଷଛେଦନ କଲେ କ୍ରିକେଟ୍‌ ପ୍ରଶାସକ ସମିତି (ସିଓଏ)

ମୁମ୍ବାଇ: ବିସିସିଆଇରେ ନିଜର ପ୍ରାଧାନ୍ୟ ରଖିବା ନେଇ ଏକ ନୂଆ ରଣକୌଣଳ ଆପଣାଇଛି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ କ୍ରିକେଟ୍‌ ପ୍ରଶାସନିକ ସମିତି (ସିଓଏ)। ସମସ୍ତ କର୍ମକର୍ତାଙ୍କ କ୍ଷମତାକୁ ସଙ୍କୁଚିତ କରିବା ଲାଗି ଏକ ନିର୍ଦେଶନାମା ଜାରି କରିଛି। ଉଚ୍ଚତମ ନ୍ୟାୟାଳୟଙ୍କ ଗତବର୍ଷର ଜାନୁଆରି ୨ ଏବଂ ୩୦ ତାରିଖର ନିର୍ଦେଶନାମାକୁ ମନେ ପକାଇ ସିଓଏ କାମଚଳା ଭାବେ ଦାୟିତ୍ୱରେ ଥିବା ସଭାପତି ସିକେ ଖାନ୍ନା, ସମ୍ପାଦକ ଅମିତାଭ ଚୌଧୁରୀ ଏବଂ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀଙ୍କୁ କହିଛି ଯେ ବିସିସିଆଇ କାର୍ଯ୍ୟପନ୍ଥା ଆମ ହାତରେ। ଲୋଧା ସମିତି ସୁପାରିସ ଲାଗୁ କରିବା ସହିତ ଏହା ଆମ ଅତିରିକ୍ତ ଦାୟିତ୍ୱ ବୋଲି ସିଓଏର ମୁଖ୍ୟ ବିନୋଦ ରାଏ ସ୍ପଷ୍ଟ କରିଛନ୍ତି। ନୂଆ ନିର୍ଦେଶାବଳୀ ଅନୁସାରେ କର୍ମକର୍ତାମାନେ ଏଣିକି କୌଣସି ପ୍ରକାର ଗସ୍ତ ଖର୍ଚ ଏବଂ ବିଭିନ୍ନ ସମିତିର ବୈଠକ ଲାଗି ନୋଟିସ୍‌ ଦେବା ପୂର୍ବରୁ ସମିତିର ଅନୁମତି ନେବାକୁ ପଡ଼ିବ। କିନ୍ତୁ ଏଭଳି ଖର୍ଚ ୨୫ ଲକ୍ଷରୁ ଅଧିକ ହୋଇଥିଲେ ଅନୁମୋଦନ ବାଧ୍ୟତାମୂଳକ। ସେହିଭଳି କୌଣସି ବାହ୍ୟ ଆଇନଗତ ପରାମର୍ଶ ଖର୍ଚ ମଧ୍ୟ ବିସିସିଆଇ ବହନ କରିବ ନାହିଁ ବୋଲି ରାଏ ସ୍ପଷ୍ଟ କରିଛନ୍ତି। ସିଓଏର ୧୨ ସୂତ୍ରୀ ନିର୍ଦେଶନାମା ଏବେ ବିସିସିଆଇ ବଡ଼ପଣ୍ଡାମାନଙ୍କ ନିଦ ହଜାଇ ଦେଇଛି। କୌଣସି ପ୍ରକାର ଯୋଗାଯୋଗ ହେଲେ ଏହାର ସମସ୍ତ ନକଲ ସିିଓଏକୁ ପ୍ରଦାନ କରାଯିବ, ଚୁକ୍ତି ଓ ନିଲାମ, ବିସିସିଆଇ ପ୍ରଦାନ କରୁଥିବା ସମସ୍ତ ପ୍ରକାର ପାଉଣା, ନିଜ ସମ୍ବିଧାନ ଭିତରେ ରହି କ୍ଷମତା ପ୍ରୟୋଗ କରିବା, ସିଓଏର ବିନା ଅନୁମୋଦନରେ କୌଣସି ସୂଚନା ପ୍ରଦାନ କରାନଯିବା ଭଳି କଠୋର ନିର୍ଦେଶ ରହିଛି ଏହା ଭିତରେ।

ସମ୍ବନ୍ଧିତ ଖବର