କପିଳଙ୍କ ହିରୋ ନଟରାଜନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ପଦାର୍ପଣ ଚମକ ଛାଡ଼ିବା ପୂର୍ବରୁ ତାମିଲନାଡୁର ବାମହାତୀ ଦ୍ରୁତ ବୋଲର ଟି ନଟରାଜନ ମହାନ କପିଳ ଦେବଙ୍କ ଧ୍ୟାନ ଆକର୍ଷଣ କରି ସାରିଥିଲେ। ଏପରିକି ଆଗାମୀ ଭବିଷ୍ୟତରେ ନଟରାଜନ ଜଣେ ତାରକା ବୋଲର ହୋଇ ପାରିବେ ବୋଲି କପିଳ ଭବିଷ୍ୟବାଣୀ କରିଥିଲେ। ଯାହା ଏବେ ସତ ହୋଇଛି। ୟୁଏଇରେ ଆୟୋଜିତ ଆଇପିଏଲ୍‌-୧୩ ପରେ ପରେ ହିଁ ୨୯ ବର୍ଷୀୟ ନଟରାଜନ୍‌ଙ୍କୁ ଖୁବ୍‌ ପ୍ରଶଂସା କରିଥି‌େଲ କପିଳ । ଆଇପିଏଲ୍‌-୨୦୨୦ରେ ନଟରାଜନ୍‌ ହିଁ ତାଙ୍କ ପସନ୍ଦର ହିରୋ ବୋଲି କପିଳ ମତ ‌ଦେଇଥିଲେ। ପୂରା ଆଇପିଏଲ୍‌ରେ ସଠିକ୍‌ ୟର୍କର ବୋଲିଂ କରିଥିବା ଭିତ୍ତିରେ କପିଳ ତାଙ୍କୁ ଏଭଳି ପ୍ରଶଂସାରେ ପୋତି ପକାଇଥିଲେ। ଏହା ହିଁ ଦ୍ରୁତ ବୋଲିଂର କଳା ଓ କୌଶଳ। ତେଣୁ ନଟରାଜନ୍‌ଙ୍କ ପ୍ରଦର୍ଶନରେ ମୁଁ ଖୁବ୍‌ ପ୍ରଭାବିତ ବୋଲି ବରିଷ୍ଠ କ୍ରୀଡ଼ା ସ୍ତମ୍ଭକାର ଏବଂ ସାମ୍ବାଦିକ ଅଜୟ ମେନନ୍‌ଙ୍କ ସହ ବାର୍ତାଳାପ ବେଳେ ଉଲ୍ଲସିତ କପିଳ କହିଥିଲେ। ‘‘ନଟରାଜନ୍‌ ଆଇପିଏଲ୍‌-୧୩ରେ ମୋର ହିରୋ। ଏହି ବାମହାତୀ ଯୁବ ତାରକା ନିର୍ଭୟର ସହ ଭୟଙ୍କର ଭାବେ ସଂଖ୍ୟାଧିକ ୟର୍କର ବୋଲିଂ କରିଥିଲେ। କେବଳ ଏବେ ନୁହେଁ, ବିଗତ ୧୦୦ ବର୍ଷ ଧରି ୟର୍କର ସବୁଠୁ ଶ୍ରେଷ୍ଠ ବଲ୍‌ ବୋଲି ପ୍ରମାଣିତ ହୋଇଛି’’ ବୋଲି ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ କପିଳ କହିଥିଲେ।

ୟର୍କର ବିଶେଷଜ୍ଞ ନଟରାଜନ୍‌ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ୧୬ ୱିକେଟ୍‌ ଦଖଲ କରିଥିଲେ। ଏପରିକି ହାଇଦ୍ରାବାଦକୁ ପ୍ଲେ-ଅଫ୍‌ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ପୂରା ଆଇପିଏଲ୍‌ରେ ନଟରାଜନ୍‌ ମଧ୍ୟ ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ମାନ ଅକ୍ତିଆର କରିଥିଲେ। ସେଗୁଡ଼ିକ ମଧ୍ୟରେ ଭାରତ ତଥା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଦଳୀୟ ସାଥୀ ଏବି ଡିଭିଲିୟର୍ସ ରହିଥିଲେ। ଆଇପିଏଲ୍‌ ପ୍ରଦର୍ଶନ ବଳରେ ସେ ମଧ୍ୟ ପୁରସ୍କାର ସ୍ବରୂପ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳକୁ ଡକରା ପାଇଥିଲେ। ଏଥି ସହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ମଧ୍ୟ ଶେଷକ୍ଷଣରେ ତାଙ୍କୁ ଆହତ ନଭ୍‌ଦୀପ ସୈନିଙ୍କ ସ୍ଥାନରେ ସୁଯୋଗ ମିଳିଥିଲା। ସେ ମଧ୍ୟ ବୁଧବାର ତୃତୀୟ ଦିନିକିଆ ଖେଳି ଦୁଇଟି ବହୁମୂଲ୍ୟ ୱିକେଟ୍ କରାୟତ୍ତ କରିଥିଲେ।

ଏକ ଗରିବ ପରିବାରରୁ ଆସି ନଟରାଜନ୍‌ କ୍ରିକେଟ୍‌ରେ ନିଜର ନିଷ୍ଠା ଓ ଏକାଗ୍ରତାର ପରିଚୟ ଦେଇଛନ୍ତି। ତାଙ୍କ ବାପା ରେଳ ଷ୍ଟେସନ୍‌ରେ ଜଣେ କୁଲି ଥିଲା ବେ‌ଳେ ମା’ ଦିନ ମଜୁରିଆ। ହେଲେ ଏହା‌ ନଟରାଜନ୍‌ଙ୍କୁ ସ୍ଥାନୀୟ କ୍ରିକେଟ୍‌ ସର୍କଲରେ ସାମିଲ ହେବାରୁ ରୋକିପାରିନଥିଲା। ଚେନ୍ନାଇ କ୍ରିକେଟ୍‌ରେ ଲୋୟର ଡିଭିଜନ୍‌ରୁ ‌ହିଁ ସେ ପାଦ ଆଗକୁ ବଢ଼ାଇଥିଲେ। ଏହାପରେ ତାମିଲନାଡୁ ପ୍ରିମିୟର ଲିଗ୍‌ ଖେଳୁଥିଲା ବେଳେ କିଙ୍ଗ୍‌ସ ଏକାଦଶ ନଜରକୁ ଆସିଥିଲେ। ୨୦୧୭ ନିଲାମରେ ପଞ୍ଜାବ ଦଳ ତାଙ୍କୁ ୩ କୋଟି ଟଙ୍କାରେ କିଣିଥିଲା। ୨୦୧୮ରେ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଥିଲେ ସେ। କଠିନ ପରିଶ୍ରମ ବଳରେ ଆଜି ସେ ଆନ୍ତର୍ଜାତିକସ୍ତରରେ ପହଞ୍ଚି ପାରିଛନ୍ତି।

ସମ୍ବନ୍ଧିତ ଖବର