ଧୋନିଙ୍କ ଭବିଷ୍ୟତ ଚର୍ଚା ‘ଅପମାନଜନକ’: ଶାସ୍ତ୍ରୀ

‘ଗାଙ୍ଗୁଲିଙ୍କ ନିଯୁକ୍ତି ଭାରତୀୟ କ୍ରିକେଟ୍‌ର ବିଜୟ’

ମୁମ୍ବାଇ: ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଅନୁଭବ କରିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ନେଇ ଯେତେ ଚର୍ଚା ହେଉଛି ତାହା ‘ନୀଚ ଅପମାନଜନକ’। ଏଭଳି ଆଲୋଚନା ତଥା ବିତର୍କକୁ ସବୁଦିନ ପାଇଁ ଶେଷ କରିଦିଆଯିବା ଉଚିତ୍‌। ଚଳିତ ବର୍ଷର ୫୦ ଓଭର ବିଶ୍ବକପ୍‌ ପରଠାରୁ ଧୋନି ନିଜକୁ ଅଣ ଉପଲବ୍‌ଧ ରଖିଛନ୍ତି। ସେବେଠାରୁ କିନ୍ତୁ ଭାରତୀୟ କ୍ରିକେଟ୍‌ ସହ ଜଡ଼ିତ ଅଧିକାଂଶ ବ୍ୟକ୍ତି ଧୋନିଙ୍କ ଭବିଷ୍ୟତ ନେଇ ବାରମ୍ବାର ପ୍ରଶ୍ନ କରୁଛନ୍ତି। ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ କିଛି ଦିନ ତଳେ କହିଥିଲେ ‘ଆମେ ଆଗକୁ ବଢ଼ୁଛୁ’। ଯାହାକି ଅବସର ଚର୍ଚାର କଳ୍ପନାଜଳ୍ପନାରେ ଇନ୍ଧନ ଯୋଗାଇଥିଲା।

ରବି ଶାସ୍ତ୍ରୀ କିନ୍ତୁ ଆଲୋଚକଙ୍କ ଉପରେ ପରୋକ୍ଷରେ ବର୍ଷିଛନ୍ତି। ଧୋନିଙ୍କ ସମ୍ପର୍କରେ ମନ୍ତବ୍ୟ ରଖୁଥିବା ଅଧାରୁ ଅଧିକ ବ୍ୟକ୍ତି ନିଜ ନିଜର ଜୋତା ଲେସ୍‌କୁ ବି ଠିକ୍‌ରେ ବାନ୍ଧି ଶିଖି ନ ଥିବେ। ଧୋନି‌ ଦେଶ ପାଇଁ କ’ଣ କରିଛନ୍ତି ଥରେ ‌ଦେଖିନିଅ, ଲୋକମାନେ ତାଙ୍କୁ ଏତେ ଶୀଘ୍ର ବିଦାୟ ଦେବାକୁ କାହିଁକି ବ୍ୟଗ୍ର ବୋଲି ଶାସ୍ତ୍ରୀ ପ୍ରଶ୍ନ ବି କରିଥିଲେ। ସେ ଖୁବ୍ ଶୀଘ୍ର କ୍ରିକେଟ୍‌ଠାରୁ ଦୂରେଇଯିବେ ଏହା ତାଙ୍କୁ ଓ ସମସ୍ତଙ୍କୁ ଜଣା। କିନ୍ତୁ ଏହା ଘଟିବାକୁ ଦିଆଯାଉ। ତାଙ୍କ ସମ୍ପର୍କରେ ମନ୍ତବ୍ୟ ରଖିବା ହେଉଛି ‘ନୀଚ ଅପମାନଜନକ’। ଦେଶ ପାଇଁ ୧୫ ବର୍ଷ ଖେଳିବା ପରେ ସେ କ’ଣ ଜାଣି ନାହାନ୍ତି କେଉଁଟା ଠିକ୍ କଥା। ଟେଷ୍ଟ କ୍ରିକେଟ୍ ଛାଡ଼ିବା ବେଳେ ସେ କ’ଣ କହିଥିଲେ ‘ରିଦ୍ଧିମାନ ସାହା ଭଲ ଖେଳାଳି ୱିକେଟରକ୍ଷକ ଦାୟିତ୍ବ ନେବାକୁ’, ସେ ସଠିକ୍ ଥିଲେ। ଦଳଠୁ ବାହାରେ ଥିଲେ ମଧ୍ୟ ଚଳିତ ସପ୍ତାହରେ ସେ ରାଞ୍ଚିରେ ଭାରତୀୟ ଦଳ ଡ୍ରେସିଂ ରୁମ୍‌ ଆସିଥିଲେ। ଟେଷ୍ଟ୍ ପଦାର୍ପଣକାରୀ ସାହାବାଜ ନଦୀମଙ୍କୁ ଅଭିନନ୍ଦନ ବି ଜଣାଇଥିଲେ। ମୋର‌ ଗୋଟିଏ ଅନୁରୋଧ ‘‘ଧୋନି କେ‌ତେବେଳେ ଅବସର‌ ନେବେ, ଏ ଅଧିକାର ତାଙ୍କୁ ପ୍ରଦାନ କରିଦିଆଯାଉ ଏବଂ ଏହି ବିତର୍କକୁ ସବୁଦିନ ପାଇଁ ଶେଷ କରିଦିଆଯାଉ’ ବୋଲି ଶାସ୍ତ୍ରୀ କହିଥିଲେ।

ବିସିସିଆଇର ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲି ବି କିଛି ଦିନ ତଳେ କହିଥିଲେ ‘ଧୋନିଙ୍କ ଅବସର ତାଙ୍କ ଉପରେ ନିର୍ଭର କରେ’। ନିଜ ଅବସର ସମ୍ପର୍କିତ ଉଦାହରଣ ଦେଇ ‌ଗାଙ୍ଗୁଲି କହିଥିଲେ ‘ସମଗ୍ର ବିଶ୍ବ ଯେତେବେଳେ କହୁଥିଲା ମୁଁ ଆଉ ଫେରିବିନି, ମୁଁ ନିଜ ଉପରେ ବିଶ୍ବାସ ରଖିଥିଲି ଏବଂ ଅଧିକ ୪ ବର୍ଷ ଖେଳିଥିଲି। ସମସ୍ତଙ୍କୁ ଜଣା ଚାମ୍ପିଅନ୍ ଖେଳାଳି ଏତେ ସହଜରେ ଶେଷ ‌ହୋଇଯାଇ ନଥାନ୍ତି। ଧୋନିଙ୍କ ମନରେ କ’ଣ ଅଛି ମୁଁ ଜାଣିନି, କିନ୍ତୁ ଆମେ ନିଶ୍ଚିତ ଏ ପ୍ରସଙ୍ଗରେ ଆଲୋଚନା କରିବୁ’ ବୋଲି ଗାଙ୍ଗୁଲି କହିଥିଲେ। କ୍ରିକେଟ୍‌ର ଏହି ଖେଳର ଜଣେ ମହାନ ଖେଳାଳି। ଏମଏସ୍‌ ଧୋନିଙ୍କ ଭଳି ଖେଳାଳି ପାଇଥିବାରୁ ଭାରତ ବି ଭାଗ୍ୟବାନ। ଆପଣ ଯେତେବେଳେ ବସିଯିବେ, ତାଙ୍କ କୃତିତ୍ବକୁ ‌ବିଚାର କରିବେ। ମୁଁ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ମାନ ମିଳିବ, ଏଥିରେ କିଛି ବଦଳିବାର ନାହିଁ’ ବୋଲି ଗାଙ୍ଗୁଲି ରୋକଠୋକ୍ ପ୍ରକାଶ କରିଥିଲେ।

‘ଗାଙ୍ଗୁଲିଙ୍କ ନିଯୁକ୍ତି ଭାରତୀୟ କ୍ରିକେଟ୍‌ର ବିଜୟ’
ବିଳମ୍ବରେ ହେଲେ ମଧ୍ୟ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ ଦଳ ମୁ୍ଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। କ୍ରିକେଟ୍‌ ପ୍ରଶାସନରେ ଗାଙ୍ଗୁଲିଙ୍କ ଅଭିଜ୍ଞତା ରହିଛି, ତାଙ୍କ ନିଯୁକ୍ତି ଭାରତୀୟ କ୍ରିକେଟ୍ ପାଇଁ ବିଜୟ ହିଁ ବିଜୟ। ଭାରତୀୟ କ୍ରିକେଟ୍ ନିଶ୍ଚିତ ଠିକଣା ପଥରେ ରହିଛି ବୋଲି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଗାଙ୍ଗୁଲି ସବୁବେଳେ ଜଣେ ପ୍ରାକୃତିକ ନେତା। ୪/୫ ବର୍ଷ ତଳେ ଗାଙ୍ଗୁଲି କ୍ରିକେଟ୍‌ ପ୍ରଶାସନରେ ପାଦ ଥାପିଥିଲେ। ବିସିସିଆଇରେ ଏବେ ସବୁଠୁ କଷ୍ଟକର ଦିନ ଚାଲିଛି।‌‌ ଗୌରବମୟ ଦିନକୁ ଫେରିବା ଲାଗି ଅନେକ କାମ କରିବାର ଅଛି, ଏଥି ପାଇଁ ମୁଁ ଶୁଭକାମନା ଜଣାଉଛି’ ବୋଲି ଶାସ୍ତ୍ରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର