‘ଅପର କଟ୍’ ରହସ୍ୟ ଉନ୍ମୋଚନ କଲେ ତେନ୍ଦୁଲକର

ଅଷ୍ଟ୍ରେଲିଆ ଗସ୍ତବେଳେ ସଚିନ୍‌ଙ୍କୁ ଧୈର୍ଯ୍ୟର ଆହ୍ବାନକୁ ସାମ୍ନା କରିବାକୁ ପଡ଼ିଥିଲା

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କଷ୍ଟକର, ବିପଜ୍ଜନକ ହେଲେ ଅତ୍ୟନ୍ତ ଲୋକପ୍ରିୟ ‘ଅପରକଟ୍’ ସଟ୍‌ର ସ୍ରଷ୍ଟା ମାନ୍ୟତା ମିଳେ। ଏହି ବିତର୍କିତ ଅପରକଟ୍ ଖେଳିବା ପୂର୍ବରୁ ସଚିନ କିନ୍ତୁ କେବେ ବି ଏହି ସଟ୍‌ର ଅଭ୍ୟାସ କରିନଥିଲେ କିମ୍ବା ଯୋଜନାବଦ୍ଧ ଭାବେ ଏହାକୁ କାମରେ ଲଗାଇ ନଥିଲେ। ବରଂ ସ୍ବତଃପ୍ରବୃତ ଭାବେ ଏବଂ ଅଚାନକ ଏଭଳି ଏକ ସଟ୍ ଖେଳିଥିଲେ ସେ। ଏକଥା ନିଜେ ସଚିନ ଉନ୍ମୋଚନ କରିଛନ୍ତି। ୨୦୦୨ ମସିହାର ଦକ୍ଷିଣ ଆଫ୍ରିକା ଗସ୍ତରେ ହିଁ ଏହି ପ୍ରସିଦ୍ଧ ସଟ୍ ଖେଳିବାକୁ ଚିନ୍ତା କରିଥିଲେ ବୋଲି ୟୁ ଟ୍ୟୁବରେ ପ୍ରକାଶ କରିଥିବା ଏକ ଭିଡିଓରେ ଲିଟିଲ ମାଷ୍ଟର କହିଛନ୍ତି। ଏକ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମରେ ଅନୁରାଜ ଆନ୍ଦେ ନାମକ ଜଣେ ପ୍ରଶଂସକ କରିଥିବା ପ୍ରଶ୍ନର ଉତ୍ତର ଦେଇ ସଚିନ ଏହି ସଟ୍ ଅଚାନକ ତାଙ୍କ ମନକୁ ଆସି ଯାଇଥିଲା ବୋଲି ମତ ଦେଇଥିଲେ।

‘‘୨୦୦୨ ମସିହାର ଦକ୍ଷିଣ ଆଫ୍ରିକା ଗସ୍ତରେ ବ୍ଲୋଏମଫଣ୍ଟିନଠାରେ ଆମେ ଏକ ଟେଷ୍ଟ୍ ମ୍ୟାଚ୍ ଖେଳୁଥିଲୁ। ଆମେ ପ୍ରଥମେ ବ୍ୟାଟିଂ କରୁଥିଲୁ ଏବଂ ମଖୟା ଏନ୍‌ଟିନି ରାଉଣ୍ଡ ଦ ଷ୍ଟମ୍ପ୍ ବୋଲିଂ କରୁଥିଲେ। ‌ସେ ସାଧାରଣତଃ ସଟ୍ ଅଫ୍ ଲେନ୍ଥ୍ ବଲ୍ ପକାଇବାକୁ ଭଲ ପାଆନ୍ତି। ଏନ୍‌ଟିନି କ୍ବଚିତ ଲେନ୍ଥ ବଲ୍ ବୋଲିଂ କରନ୍ତି। ସେ କ୍ରିଜ୍‌ ବାହାରୁ ରନ୍ ଅପ୍ ନେଉଥିବାରୁ ମୁଁ ଲାଇନ୍ ପରଖି ନେଉଥିଲି। ଦକ୍ଷିଣ ଆଫ୍ରିକା ପିଚ୍ ମଧ୍ୟ ଯଥେଷ୍ଟ ବାଉନ୍ସ ପ୍ରଦାନ କରିଥାଏ। ସାଧାରଣତଃ ଏଭଳି ବାଉନ୍ସର ଖେଳିବା ବେଳେ ବ୍ୟାଟର୍‌ ବଲ୍ ଉପରେ ସଟ୍ ଖେଳିବାକୁ ପସନ୍ଦ କରନ୍ତି। କିନ୍ତୁ ମୋ ଉଚ୍ଚତା କମ୍ ଥିବାରୁ ବଲ୍ ତଳେ ବ୍ୟାଟ୍ ରଖି ସଟ୍ ଖେଳିବା କଥା ମୁଁ ଚିନ୍ତା କରିଥିଲି। ଏହା ଦ୍ବାରା ଲାଇନ୍ ଦେଖିବା ମଧ୍ୟ ମୋ ପାଇଁ ସହଜ ହେଉଥିଲା’’ ବୋଲି ୪୭ ବର୍ଷୀୟ ସଚିନ ମନ୍ତବ୍ୟ ଦେଇଥିଲେ।

ବଲ୍‌ର ଗତିକୁ ଉପଯୋଗ କରି ଥାର୍ଡମ୍ୟାନ୍ ସୀମା ରେଖା ଅଞ୍ଚଳକୁ ସଟ୍ ଖେଳିବା ଏହାର ମୁଖ୍ୟ କାରଣ ଥିଲା ବୋଲି ଦର୍ଶାଇ ସଚିନ କହିଥିଲେ, ‘‘ମୁଁ ଅନୁଭବ କରିଥିଲି ଯେ ବଲ୍ ଉପରକୁ ଯାଇ ଏହାକୁ ତଳେ ରଖିବା ପରିବର୍ତ୍ତେ ଏହାର ତଳକୁ ଯାଇ ବଲ୍‌ର ଗତିକୁ ଉପଯୋଗ କରି ଥାର୍ଡ ମ୍ୟାନ୍ ଅଞ୍ଚଳକୁ ସଟ୍ ଖେଳିବା ଅଧିକ ଫଳପ୍ରଦ ହେବ। ମୋ ସମସାମୟିକ ଅନେକ ବୋଲର ଏଥିନେଇ ବିଚଳିତ ହୋଇ ଯାଉଥିଲେ। କାରଣ ଏକ ହଟ୍ ବଲ୍ ଅର୍ଜନ କରିବା ପାଇଁ ହିଁ ସେମାନେ ବାଉନ୍ସର ପକାନ୍ତି। ମୁଁ କିନ୍ତୁ ବାଉନ୍ସରକୁ ଚୌକା‌ରେ ରୂପାନ୍ତର କରିନେଉଥିଲି। ସତ କଥା କହିବାକୁ ଗଲେ ମୁଁ ଏସବୁ ଲାଗି କୌଣସି ପ୍ରାକ୍ ଯୋଜନା କରୁନଥିଲି। କେବେ କେବେ କ୍ରିଜ୍‌ରେ ସ୍ବାଭାବିକ ଆଚରଣ ମଧ୍ୟ କାମରେ ଆସିଥାଏ। ମୁଁ ଏହା ହିଁ କରୁଥିଲି’’।

ସମ୍ବନ୍ଧିତ ଖବର