ଖାଉଟି ଆୟୋଗଙ୍କ ଆଦେଶ ଅବମାନନା: ସୁନ୍ଦରଗଡ଼ ନୁର ସାଇନ ଓ ଗ୍ରାଫିକ୍ସ ପରିଚାଳକ ଗିରଫ

ତ୍ରୁଟିପୂର୍ଣ୍ଣ ସାମଗ୍ରୀ ପାଇଁ କ୍ଷତିପୂରଣ ଆଦେଶ

ସୁନ୍ଦରଗଡ଼: ତ୍ରୁଟିପୂର୍ଣ୍ଣ ସାମଗ୍ରୀ ବିକ୍ରି ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗଙ୍କ କ୍ଷତିପୂରଣ ଆଦେଶ ଦେଇଥିଲେ। ତାକୁ ଅବମାନନା କରି ସୁନ୍ଦରଗଡ଼ ନୁର ସାଇନ ଓ ଗ୍ରାଫିକ୍ସ ପରିଚାଳକ ହଟହଟା ହୋଇଛନ୍ତି। ଆୟୋଗଙ୍କ ପରିଚାଳକଙ୍କ ନାମରେ ଗିରଫ ପରୱାନା ଇସ୍ୟୁ କରିବା ପରେ ଟାଉନଥାନା ପୁଲିସ ତାଙ୍କୁ ଗିରଫ କରି ୪୧ ଧାରାରେ ସର୍ତ୍ତମୂଳକ ଜାମିନ ଦେଇଛି। ୨୦.୬.୨୦୨୪ରେ ତାଙ୍କୁ ଖାଉଟି ଆୟୋଗଙ୍କ ଅଦାଲରେ ହାଜର ହେବାକୁ ନିର୍ଦେଶ ହୋଇଛି। ମାମଲାଟି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ମାମଲାର ବିବରଣୀ ଅନୁସାରେ, ସୁନ୍ଦରଗଡ଼ ବିଜୟା ଟକିଜ ରୋଡର ଶାନ୍ତୁନୁ ପ୍ରଧାନ ନାମକ ଜଣେ ବ୍ୟକ୍ତି ମିସନରୋଡସ୍ଥ ନୁର ସାଇନ ଓ ଗ୍ରାଫିକ୍ସରୁ ୨୩.୯.୨୦୧୯ରେ କ୍ୟାମେରା, ସିପି ପ୍ଲସ ଡିଭିଆର୍ ଓ ଚାନେଲ ସିପି ପ୍ଲସ୍, ରୁଟର ଆଇବଲ୍, ହାର୍ଡଡିସ୍କ ଡ୍ରାଇଭ କିଣିଥିଲେ। କିନ୍ତୁ ଇନଷ୍ଟଲ୍ କରିବା ପରେ ହାର୍ଡଡିସ୍କ ଡ୍ରାଇଭ ଓ ୮ ଚାନେଲ ଡିଭିଆର୍ କାମ କରୁ ନଥିବା ଜଣାପଡ଼ିଥିଲା।

ଏ ନେଇ ଶ୍ରୀ ପ୍ରଧାନଙ୍କ ଅଭିଯୋଗ ପରେ ନୁର ସାଇନ ଓ ଗ୍ରାଫିକ୍ସ ପରିଚାଳକ ମରାମତି ବା ବଦଳ ପାଇଁ ହାର୍ଡଡିସ୍କ ଡ୍ରାଇଭ ନେଇ ଆଉ ଫେରାଇ ନଥିଲେ। ଏପରିକି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହା ପରେ ଶ୍ରୀ ପ୍ରଧାନ ଖାଉଟି ଆୟୋଗଙ୍କ ଅଦାଲତରେ ୧୪.୮.୨୦୨୦ରେ ଅର୍ଜି ଦେଇଥିଲେ। ମାମଲାକୁ ଗ୍ରହଣ କରି ଅଦାଲତ ଶୁଣାଣି କରିଥିଲେ। ୨୫.୫.୨୦୨୩ରେ ଜାବବ ସୁଆଲ ଓ ୨୨.୬.୨୦୨୩ରେ ରାୟ ପ୍ରକାଶ କରିଥିଲେ। ଗୋଟିଏ ମାସ ମଧ୍ୟରେ ତ୍ରୁଟିପୂର୍ଣ୍ଣ ସାମଗ୍ରୀ ବଦଳାଇ ନୂଆ ଦେବାକୁ ଆଦେଶ କରିଥିଲେ। ଏହାର ଖିଲାପ କଲେ ୯ ପ୍ରତିଶତ ସୁଧ ସହ ୧୩ ହଜାର ଟଙ୍କା, ୫୦ ହଜାର କ୍ଷତିପୂରଣ ଓ ମାମଲା ବାବଦକୁ ୫ ହଜାର ଟଙ୍କାଦ ପ୍ରଦାନ ପାଇଁ ଆଦେଶ ହୋଇଥିଲା। କିନ୍ତୁ ନୁର ସାଇନ ଓ ଗ୍ରାଫିକ୍ସ ପରିଚାଳକ ଆଦେଶର ଅନୁପାଳନ କରି ନଥିଲେ। ଯାହାକୁ ନେଇ ଅଭିଯୋଗକାରୀଙ୍କ ଓକିଲ ଦେବାଶିଷ ହୋତା ଖାଉଟି ଅଦାଲତରେ ସମ୍ପାଦନ ଅର୍ଜି ଦାଖଲ କରିଥିଲେ।

ଖାଉଟି ଅଦାଲ ୧୯.୧୦.୨୦୨୩ରେ ମାମଲାକୁ ଗ୍ରହଣ କରି ନୋଟିସ କରିଥିଲେ। ନୋଟିସ ପାଇବା ପରେ ବି ସେ ନଆସିବାରୁ ୨୭.୩.୨୦୨୪ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦ୍ବିତୀୟ ଥର ନୋଟିସ ପଠାଯାଇଥିଲା। ତାକୁ ପରିଚାଳକ ଗ୍ରହଣ କରି ନଥିଲେ। ଶେଷକୁ ଅଦାଲତ କ୍ଷୁବ୍ଧ ହୋଇ ୨୭.୩.୨୦୨୪ରେ ଗିରଫ ପରୱାନା ଜାରି କରି ପୁଲିସକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ। ଶୁକ୍ରବାର ଟାଉନଥାନା ପୁଲିସ ତାଙ୍କୁ ଗିରଫ କରି ସର୍ତ୍ତମୂଳକ ଜାମିନ ଦେଇଛି। ସର୍ତ୍ତାନୁସାରେ, ୨୦.୬.୨୦୨୪ରେ ତାଙ୍କୁ ଖାଉଟି ଅଦାଲତରେ ହାଜର ହେବାକୁ କୁହାଯାଇଛି। ଏଥିରେ ଖିଲାପ କଲେ ଆଗକୁ ଜାମିନ ବିହିନ ଗିରଫ ପରୱାନା ଜାରି କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଖାଉଟି ବିବାଦ ସମାଧାନ ଆୟୋଗ ସଭାପତି ଡ. ରମାକାନ୍ତ ଶତପଥି ଓ ସଭ୍ୟ ସଦାନନ୍ଦ ତ୍ରିପାଠୀ ମାମଲାର ଶୁଣାଣି କରିଥିବା ବେଳେ ଦେବାଶିଷ ହୋତା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର