ଝୁଲିଲା ମୟୂରଭଞ୍ଜର ୩ ବିଧାନସଭା ଆସନ: ଚିନ୍ତାରେ ସରୋଜିନୀ, ବାସନ୍ତୀ ଓ ଦେବାଶିଷ

ବାରିପଦା: ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ବିଭିନ୍ନ ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ହେଲେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବାଙ୍ଗିରିପୋଷି ଓ ସାରସକଣା ବିଧାନସଭା ଆସନକୁ ଝୁଲାଇ ରଖାଯାଇଛି। ଏହିସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବାରୁ ୩ ପ୍ରମୁଖ ଆଶାୟୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍‌ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା.ଦେବାଶିଷ ମାରାଣ୍ଡିଙ୍କ ଚିନ୍ତ‌ା ବଢ଼ିଯାଇଛି। କରଞ୍ଜିଆ ଆସନକୁ ନେଇ ବାସନ୍ତୀ ହେମ୍ବ୍ରମ୍‌ ଓ ପୂର୍ବତନ ବିଧାୟକ ବିଜୟ କୁମାର ନାଏକଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଏଥର ନିଶ୍ଚୟ ଟିକେଟ୍‌ ମିଳିବ ବୋଲି ବିଜୟ ଆଶାବାଦୀ ଥିବାବେଳେ ବାସନ୍ତୀ କିନ୍ତୁ ଏଯାଏ ମୁହଁ ଖୋଲୁନାହାନ୍ତି।

ସେହିପରି ବାଙ୍ଗିରିପୋଷି ଆସନରୁ ମୁଖ୍ୟ ଦାବିଦାର ଅଛନ୍ତି ସରୋଜିନୀ ହେମ୍ବ୍ରମ୍‌। ୨୦୦୯ରେ ସେ ଏହି ଆସନରୁ ପ୍ରଥମଥର ବିଧାୟିକା ହୋଇ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ତେବେ ୨୦୧୯ରେ ବାରିପଦା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହେବାପରେ ଏଥର ନିଜ ପୁରୁଣା ଆସନରୁ ଲଢ଼ିବା ଆଶାରେ ଅଛନ୍ତି ସରୋଜିନୀ। ଅନ୍ୟପକ୍ଷରେ,ଏହି ବିଧାନସଭା କ୍ଷେତ୍ରର ଟାଣୁଆ ନେତା ତଥା ବିଜେଡି ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ତାଙ୍କ ସମର୍ଥିତ କୌଣସି ପ୍ରାର୍ଥୀଙ୍କୁ ଏଠାରୁ ପ୍ରାର୍ଥୀ କରାଯାଉ ‌ବୋଲି ଚାହୁଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଏଠାରେ ପ୍ରାର୍ଥୀ ଚୟନରେ ବିଳମ୍ବ ଘଟୁଥିବା କୁହାଯାଉଛି। ସେହିପରି, ୨୦୧୯ର ବିଜେଡି ଲୋକସଭା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ଏଥର ଲୋକସଭା ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି। ତେବେ ତାଙ୍କୁ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ତାଙ୍କ ସମର୍ଥକ ଆଶାବାଦୀ ଅଛନ୍ତି। ସାରସକଣା ଆସନ ଉପରେ ନଜର ରଖିଛନ୍ତି ଦେବାଶିଷ। କିନ୍ତୁ ଏଠାରେ ୫ରୁ ଅଧିକ ଆଶାୟୀ ଥିବାରୁ ଦେବାଶିଷଙ୍କ ନାଁରେ ମୋହର ଲାଗିପାରୁନି।
ସୂଚନାଯୋଗ୍ୟ, ବିଜେଡି ପୂର୍ବରୁ ମୟୂରଭଞ୍ଜ ଲୋକସଭା ଓ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇସାରିଛି।

ସମ୍ବନ୍ଧିତ ଖବର