ଅଗଷ୍ଟ ସୁଦ୍ଧା ୫୦% ନିଅଣ୍ଟିଆ ବର୍ଷା ଆଶଙ୍କା

୧୫ରୁ ତିନିଦିନିଆ ଲଘୁଚାପ: ଉପକୂଳରେ କମ୍‌ ବର୍ଷିବ

ଭୁବନେଶ୍ବର : ଦୀର୍ଘ ଦିନର ମୌସୁମୀ-ବିରତି ଜନିତ ବର୍ଷାଭାବ ପରେ ଆସନ୍ତା ୧୫ ତାରିଖରୁ ଲଘୁଚାପ ବର୍ଷା ହେବ। ୧୫ରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଉପକୂଳରେ କମ୍‌ ବର୍ଷା ହେବ ବୋଲି ଜଣାପଡ଼ିଛି। କିନ୍ତୁ ଏହି ଲଘୁଚାପ ବର୍ଷା ଅଗଷ୍ଟର ନିଅଣ୍ଟିଆ ବର୍ଷା ଭରଣା କରିବାରେ ସକ୍ଷମ ହେବ ନାହିଁ। ଓଲଟା ୨୦ ତାରିଖ ପରେ ରାଜ୍ୟରେ ପୁଣି ମୌସୁମୀ-ବିରତି ସ୍ଥିତି ସୃଷ୍ଟି ହେବ ଓ ନିଅଣ୍ଟିଆ ବର୍ଷାର ପରିମାଣ ୫୦%କୁ ବୃଦ୍ଧି ପାଇବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଡେଲରୁ ଜଣାପଡ଼ୁଛି ଯେ ଅଗଷ୍ଟ ୧୫ରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଉତ୍ତର ପଶ୍ଚିମରେ ଗତି କରି ୧୭ତାରିଖରେ ଓଡ଼ିଶା ଉପକୂଳରେ ରହିବ। ୧୮ ତାରିଖରେ ଓଡ଼ିଶାର କେନ୍ଦ୍ରୀୟ ଉପକୂଳ ଦେଇ ପଶ୍ଚିମ ଆଡ଼କୁ ମୁହାଁଇବ।

Experience Kerala

ଲଘୁଚାପ ଯୋଗୁଁ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ବର୍ଷା ଆରମ୍ଭ ହୋଇଯିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୧୬ରୁ ବର୍ଷା ‌ଆରମ୍ଭ ହେବ। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, କଟକ ଓ ଯାଜପୁରରେ ୧୫ରୁ ୧୮ତାରିଖ ଭିତରେ ବର୍ଷା ବଢ଼ିବା ବେଳେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୫ରୁ ୧୭ ଏବଂ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ୧୬ରୁ ୧୮ ତାରିଖରେ ବର୍ଷା ହେବ। ଆକଳନ କରାଯାଉଛି, ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଭଦ୍ରକଠାରୁ ପୁରୀ ପର୍ଯ୍ୟନ୍ତ ୭ଟି ଉପକୂଳ ଜିଲ୍ଲାରେ ସମୁଦାୟ ବର୍ଷା ୬୦ରୁ ୭୦ମିମି, ଯାଜପୁରଠାରୁ ଝାରସୁଗୁଡ଼ା ସଂଯୋଗ କରୁଥିବା ସରଳରେଖାର ପୂର୍ବରେ ଥିବା ଆଭ୍ୟନ୍ତରୀଣ ଉତ୍ତରରେ ୭୦ରୁ ୮୦ ମିମି ଓ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ସମୁଦାୟ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ସମ୍ଭବତଃ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ବର୍ଷା ୮୦ ମିମି ହେବ।

ଏଥିସହ ଅଗଷ୍ଟ ୨୦ ତାରିଖ ପରେ ମାସ ଶେଷ ପର୍ଯ୍ୟନ୍ତ ମୌସୁମୀ ପୁଣି ଦୁର୍ବଳ ରହିବ ବୋଲି ଅନୁମାନ କରାଯାଉଛି। ଅଗଷ୍ଟ ୨୧ରୁ ୩୧ ତାରିଖ ମଧ୍ୟରେ ରାଜ୍ୟରେ ସମୁଦାୟ ୬୦ ମିମି ବର୍ଷା ହୋଇପାରେ। ଅର୍ଥାତ ଅଗଷ୍ଟରେ ରାଜ୍ୟର ନିଅଣ୍ଟିଆ ବର୍ଷାର ପରିମାଣ ୫୦%କୁ ବୃଦ୍ଧି ପାଇବ। ‌ ରାଜ୍ୟରେ ମୌସୁମୀଜନିତ ବର୍ଷାକୁ ଲକ୍ଷ୍ୟ କଲେ ଜଣାପଡ଼ୁଛି, ଅଗଷ୍ଟ ୧ରୁ ୧୩ତାରିଖ ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ୧୫୦ ମିମି ବର୍ଷ‌ା ହୋଇଥାଏ କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟରେ ମାତ୍ର ୫୧ ମିମି ବର୍ଷା ହୋଇଛି। ଅର୍ଥାତ ସ୍ବାଭାବିକ ବର୍ଷାଠାରୁ ଏହା ୬୬% ନିଅଣ୍ଟିଆ। ଅଗଷ୍ଟରେ କୌଣସି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇନାହିଁ। ସବୁଠାରୁ କମ୍‌ ନିଅଣ୍ଟିଆ ବର୍ଷା(୩୭.୨%) ବାଲେଶ୍ବର ଜିଲ୍ଲାରେ ହୋଇଛି। ଝାରସୁଗୁଡ଼ାରେ ସବୁଠାରୁ ଅଧିକ ୯୦.୭% ନିଅଣ୍ଟିଆ ବର୍ଷା ହୋଇଛି। ଏଥିସହ ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ‌ସୋନପୁର, ସମ୍ବଲପୁର ଓ ବରଗଡ଼ରେ ୭୯%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସେହିପରି ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ୫୯%ରୁ ୭୯% ଭିତରେ ନିଅଣ୍ଟିଆ ବର୍ଷା ହୋଇଯାଇଛି। ଅବଶିଷ୍ଟ ୧୨ ଜିଲ୍ଲାରେ ୧୯ରୁ ୫୯% ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ରହିଛି। ବାଲେଶ୍ବର, କୋରାପୁଟ ଓ ମାଲକାନଗିରିକୁ ଛାଡ଼ି ଦେଲେ ଏ ପର୍ଯ୍ୟନ୍ତ କୌଣସି ଜିଲ୍ଲାରେ ଧାନରୁଆ ବେଉଷଣ ପାଇଁ ବର୍ଷା ହୋଇନାହିଁ।

ଅନ୍ୟପଟେ ଜୁନ୍‌ ୧ରୁ ଅଗଷ୍ଟ ୧୩ ଭିତରେ ରାଜ୍ୟରେ ମୋଟ୍‌ ୪୯୯ ମିମି ବର୍ଷା ହୋଇଯାଇଛି। ଯାହା ସ୍ବାଭାବିକ ୭୧୦ ମିମି ବର୍ଷାଠାରୁ ୨୯.୮% କମ୍‌। ଏହି ସମୟରେ ବର୍ଷା କେବଳ ୪ ଜିଲ୍ଲା ଯଥା, କଟକ, ଜଗତସିଂହପୁର, କୋରାପୁଟ ଓ ନୂଆପଡ଼ାରେ ସ୍ବାଭାବିକ ରହିଛି। ବାକି ୨୬ ଜିଲ୍ଲାରୁ ୭ଟି ଜିଲ୍ଲା ଯଥା ଅନୁଗୁଳ, ଭଦ୍ରକ, ଯାଜପୁର, କନ୍ଧମାଳ, କେନ୍ଦୁଝର, ରାୟଗଡ଼ା ଓ କଳାହାଣ୍ଡିରେ ୩୯%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି ଓ ସ୍ଥିତି ଚିନ୍ତାଜନକ ରହିଛି।

ସମ୍ବନ୍ଧିତ ଖବର