ପାଣ୍ଡିଆନଙ୍କ ଗସ୍ତ ବେଳେ ଗୋଟିଏ ‘ଟି’ ଫେଲ୍: ଯାଜପୁରରେ ସବୁଠି ବିରୋଧ

ବିକ୍ଷୋଭ ଓ ନାରାବାଜି କଲେ କଂଗ୍ରେସ, ବିଜେପି ଓ ନବନିର୍ମାଣ କୃଷକ ସଙ୍ଗଠନ, ଖରାରେ ସିଝିଲେ, ବର୍ଷାରେ ଭିଜିଲେ ମହିଳା

ଯାଜପୁର/ଟାଉନ/ସଦର/ଚଣ୍ଡିଖୋଲ/ ଧର୍ମଶାଳା/ ବିଂଝାରପୁର: ଯାଜପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀକୁ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କର ଆଜି ଗସ୍ତବେଳେ ଗୋଟିଏ ଟି ଅର୍ଥାତ୍ ଟାଇମ(ସମୟ) ପ୍ରଥମରୁ ଫେଲ୍ ମାରିଥିଲା। ଆଜି ପ୍ରଥମେ ଶ୍ରୀ ପାଣ୍ଡିଆନ ବଡ଼ଚଣା ନିର୍ବାଚନମଣ୍ଡଳୀର ମହାବିନାୟକ ପାହାଡ଼ ତଳେ ପଡିଆରେ ଅବତରଣ କରି ମହାପ୍ରଭୁ ମହାବିନାୟକ ଓ ମାଆ ଚଣ୍ଡୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଦୁଇଘଣ୍ଟା ବିଳମ୍ବ ୧୧ଟା ପରେ ସେ ସେଠାରେ ପହଞ୍ଚିଥିଲେ। ଫଳରେ ମହାବିନାୟକ ଓ ମା ଚଣ୍ଡୀଙ୍କ ଦର୍ଶନ ସ୍ଥଗିତ ରଖି ସିଧା ଲୋକମାନଙ୍କ ସହିତ ହାତ ମିଳାଇବାକୁ ମଞ୍ଚ ତଳକୁ ଚାଲିଯାଇଥିଲେ।

ଅନ୍ୟପକ୍ଷରେ ବଡ଼ଚଣା, ଧର୍ମଶାଳା, ବିଂଝାରପୁର ଓ ଯାଜପୁରରେ କଂଗ୍ରେସ, ବିଜେପି ଓ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପାଣ୍ଡିଆନଙ୍କ ଗସ୍ତକୁ ଜୋରଦାର ବିରୋଧ ହୋଇଥିଲା ଓ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଏକାଧିକ ଶୋଭଯାତ୍ରା ବିଭିନ୍ନ ସ୍ଥାନରୁ ବାହାରିଥିଲା। ଆନ୍ଦୋଳନକାରୀମାନେ ପାଣ୍ଡିଆନ୍ ଗୋ-ବ୍ୟାକ୍ ସ୍ଲୋଗାନ ‌ଦେଉଥିବାର ଦେଖିବାକୁ ମିଳିଥିଲା। ତେବେ ୫-ଟି ସଚିବଙ୍କ ପ୍ରଥମ ଦିନ ୨୯ତାରିଖର ଅପ୍ରୀତିକର ପରିସ୍ଥିତିକୁ ଲକ୍ଷ୍ୟ କରି ପୁଲିସ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅଟକାଇ ଦେଇଥିଲା। ଆଜି ମଧ୍ୟ ପୁଲିସ ଆଗରେ ୫-ଟି ବାହିନୀ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲେ। ମାତ୍ର କେଉଁଠି ଆନ୍ଦୋଳନକାରୀଙ୍କ ସହ ମୁହାଁମହିଁ ପରିସ୍ଥିତି ହୋଇନଥିଲା। ସକାଳେ ପ୍ରବଳ ଖରାରେ ମହିଳାମାନେ ଆସିଥିଲେ। ଅପରାହ୍‌ଣରେ ବର୍ଷାରେ ମହିଳା ଓ ପିଲାଛୁଆ ତିନ୍ତିଥିଲେ।

ବିକ୍ଷୋଭ ଓ ନାରାବାଜି କଲେ କଂଗ୍ରେସ, ବିଜେପି ଓ ନବନିର୍ମାଣ କୃଷକ ସଙ୍ଗଠନ
ଖରାରେ ସିଝିଲେ, ବର୍ଷାରେ ଭିଜିଲେ ମହିଳା
ପୁଲିସ ଆଗରେ ୫-ଟି ବାହିନୀ, ବଡ଼ଚଣାରେ ‘ଟିମ୍ ବଡ଼ଚଣା’ର ଦବ୍‌ଦବା

ଆଜି ପ୍ରଥମ କାର୍ଯ୍ୟକ୍ରମ ବଡ଼ଚଣାରେ ୫-ଟି ସାର୍ଟ ଅପେକ୍ଷା ଟିମ୍ ବଡ଼ଚଣା ସାର୍ଟ ଅଧିକ ଦେଖିବାକୁ ମିଳିଥିଲା। କିଛି ଦିନ ହେଲା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପୁଅ ଆଦିତ୍ୟ ଶତପଥୀ ଟିମ୍ ବଡ଼ଚଣା ନାମରେ ଏକ ସଙ୍ଗଠନ କରି ରାଜନୀତିରେ ପ୍ରବେଶ କରିବାକୁ ଅଣ୍ଟା ଭିଡିଛନ୍ତି। ଆଜିର ସଭା ସତେଯେପରି ଟିମ୍‌ ବଡ଼ଚଣା ଦ୍ବାରା ନିୟନ୍ତ୍ରିତ ହୋଉଥିବାର ଲକ୍ଷ୍ୟ କରାଯାଇଥିଲା। ବଡ଼ଚଣାରେ ବିଜେପି କିମ୍ବା କଂଗ୍ରେସ ଅନ୍ୟ ନିର୍ବାଚନମଣ୍ଡଳୀ ଭଳି ବିରୋଧ କରିନଥିଲେ ହେଁ ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀ ବାଇକ ଯୋଗେ ହାତରେ କଳା ପତାକା ଧରି ‘ପାଣ୍ଡିଆନ ଗୋ ବ୍ୟାକ୍‌ ଧ୍ୱନି ଦେଇ ଛତିଆ କଲେଜ ଛକ ନିକଟରୁ ବାହାରି ଚଣ୍ଡିଖୋଲ ନିକଟ ସଭା ସ୍ଥଳକୁ ଆସୁଥିଲେ। ୧୬ ନମ୍ବର ଜାତୀୟ ରାଜପଥର ଛତିଆର ଭଟ୍ଟସାଗର ନିକଟରେ ଆନ୍ଦୋଳନକାରୀ ଶିଶିର ସାମଲ, ତରୁଣ ଦଳେଇ, ପ୍ରକାଶ କୁମାର ମହାପାତ୍ର, ବିକାଶ ରାଉତ, ମନୋରଞ୍ଜନ ନାଥ, ରାକେଶ ନାଥ ଓ ଲକ୍ଷ୍ମୀଧର ବିଶ୍ୱାଳଙ୍କୁ ପୁଲିସ ଅଟକାଇ ପରେ ଛାଡ଼ି ଦେଇଥିଲେ।

ଧର୍ମଶାଳାରେ ନବନିର୍ମାଣ କୃଷକ ସଙ୍ଗଠନ, ଧର୍ମଶାଳା ବ୍ଲକ୍ କଂଗ୍ରେସ ଓ ବିଜେପି ବିରୋଧ କରି ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରିଥିଲେ। ବିଜେପି ନେତ୍ରୀ ସ୍ମୃତିରେଖା ପହି ଓ ସମର୍ଥକମାନେ ସଭା ମଞ୍ଚ ନିକଟରେ ପ୍ରତିବାଦ କରିଥିଲେ। ପୁଲିସ ସେମାନଙ୍କୁ ତଡ଼ିଦେଇଥିଲା। ଶାନ୍ତିବଜାର ନିକଟରେ ବିଜେପିରେ ଯୋଗ ଦେଇଥିବା ଯୁବନେତା ଲିକୁ ସାହୁଙ୍କ ସମର୍ଥକମାନେ ମଧ୍ୟ ପ୍ରତିବାଦ କରିବା ସହିତ କଳାପତାକା ଦେଖାଇଥିଲେ। ପଣ୍ଡୁଆ ଶିଳ୍ପାଞ୍ଚଳ ଛକରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହସଂଯୋଜକ ନିମାଇଁ ରାୟଙ୍କ ନେତୃ୍ତ୍ବରେ ଚାଷୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏଠାରେ ବିଜେଡି କର୍ମୀ ପ୍ରତିବାଦ କରିବା ସହିତ ସେମାନଙ୍କଠାରୁ ପ୍ଲା-କାର୍ଡ଼ ଛଡାଇ ନେଇଥିଲେ। ଆନ୍ଦୋଳନକାରୀଙ୍କୁ ସଭାସ୍ଥଳକୁ ଯିବାକୁ ଦେଇନଥିଲା ପୁଲିସ।
ସେହିପରି ଶ୍ରୀ ପାଣ୍ଡିଆନଙ୍କ ବିଂଝାରପୁର ଗସ୍ତକୁ କଂଗ୍ରେସ ପକ୍ଷରୁ ଦୁଇଟି ସ୍ଥାନରେ ବିରୋଧ ହୋଇଛି। ବ୍ଲକ୍‌ ସଭାପତି ପ୍ରବୋଧ ଦାସ ଓ କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ କନକଲତା ମଲିକଙ୍କ ନେତୃତ୍ୱରେ କର୍ମୀମାନେ କଳା ସାର୍ଟ ପିନ୍ଧି ଅରେଇ ଛକଠାରୁ ନାରାବାଜି କରି ଶୋଭାଯାତ୍ରାରେ ବାହାରିଥିଲେ। ପୁଲିସ ସେମାନଙ୍କୁ ବାଟରେ ଅଟକାଇଥିଲା। ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସେହିପରି ପିସିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ବନିତା ଦାସଙ୍କ ନେତୃତ୍ୱରେ ଯୁବକଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସଭାସ୍ଥଳକୁ ଯାଉଥିବା କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକାଇଥିଲା।

ଯାଜପୁର ସହରରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ସଂଗ୍ରାମ ପାତ୍ରଙ୍କ ନେତୃତ୍ବରେ ସହରର କିଆନାଳୀକୂଳରେ ପ୍ରତିବାଦ କରାଯିବା ସହ ପାଣ୍ଡିଆନ ଗୋ ବ୍ୟାକର ନାରା ଦେଇ ପାଣ୍ଡିଆନ ଓ ନବୀନ ପଟ୍ଟାନୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ୫-ଟି ସଚିବଙ୍କ ବ୍ୟୟବହୁଳ ଗସ୍ତ କାହା ଟଙ୍କାରେ କରାଯାଉଛି ? ଜିଲ୍ଲାର ଲଘୁ ଖଣିଜ ଚୋରି ଓ ସମସ୍ତ ପ୍ରକଳ୍ପ ନାଁରେ ଅର୍ଥ ତୋଷରପାତ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଥିଲେ। ଜୟରଂଜନ ସ୍ବାଇଁ, ଆଶୁତୋଷ ପାଣିଗ୍ରାହୀ, ହୃଷୀକେଶ ପରିଡ଼ା, ଊର୍ମିଳା ବେହେରା, ଅନ୍ନପୂର୍ଣ୍ଣା ଜେନା, ଶ୍ରୀକାନ୍ତ ସାହୁ, କ୍ଷୀରୋଦ ବାରିକ, ପ୍ରକାଶ ବେହେରା, ସୁଦାମ ପରିଡ଼ାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥ‌ିଲେ। ନଗର ବିଜେପି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ବରେ ରାମ ମନ୍ଦିର ନିକଟରୁ ପ୍ରତିବାଦ ସଭାରେ ବାହାରି ଗୋପାଳି ଛକ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ରାସ୍ତାରେ ବସି ପ୍ରତିବାଦ କରିଥିଲେ। ଏଥିରେ ସୁରେଶ ନାୟକ, ରୂପକ ଦାସ, ଜିତାମିତ୍ର ଦାସ, ରଶ୍ମିରେଖା ସାହୁ, ପର୍ଶୁରାମ ମହାଳିକ, ନିହାର ରଂଜନ ବେହେରାଙ୍କ ସହ ବହୁ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର