ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନକଲି ସାର୍ଟିଫିକେଟ୍‌ରେ ନାମଲେଖା ଘଟଣା: ଧରାପଡ଼ିଲେ ଜେଲ୍‌

ଖୋଳତାଡ଼ ଆରମ୍ଭ କଲା ଉଚ୍ଚଶିକ୍ଷା ବିଭାଗ, ସବୁ ଦିବ୍ୟାଙ୍ଗଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ନିର୍ଦେଶ

ଭୁବନେଶ୍ବର : ଦିବ୍ୟାଙ୍ଗ ନୁହନ୍ତି। ମାତ୍ର ହାତେଇଛନ୍ତି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌। କାହାର ଗୋଡ଼ ଅଚଳ ତ ଆଉ କାହାର ହାତ। ଆଉ କାହାର ଆଖିକୁ ଠିକ୍‌ ଭାବେ ଦେଖାଯାଉନଥିବା ସାର୍ଟିଫିକେଟ୍‌ରେ ଦର୍ଶାଇଛନ୍ତି। କେବଳ ଯେ ସାର୍ଟିଫିକେଟ୍‌ ହାତେଇଛନ୍ତି ତାହା ନୁହେଁ, ବରଂ ତାହାକୁ ଦାଖଲ କରି କଲେଜରେ ନାମ ଲେଖାଇଛନ୍ତି। ୪୦% ମାର୍କ ପାଇଥିଲେ ମଧ୍ୟ ସ୍ନାତକ ସିଟ୍‌ ହାତେଇଛନ୍ତି। ଯେତେବେଳେ କି ୮୦% ମାର୍କ ରଖିଥିବା ପିଲା ସିଟ୍‌ ନ ପାଇ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି।

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାଲ୍‌ ସାର୍ଟିଫିକେଟ୍‌ରେ ନାମଲେଖା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଖୋଳତା‌ଡ଼ ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ। ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ରିପୋର୍ଟ ଆସି ନ ଥିଲେ ମଧ୍ୟ ଅଭିଯୋଗର ସତ୍ୟତା ଥିବା ନେଇ ସଦସ୍ୟମାନେ ଅନୁଭବ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦିବ୍ୟାଙ୍ଗ ସା‌ର୍ଟିଫିକେଟ୍‌ ଯାଞ୍ଚ କରିବାକୁ ଶ୍ରୀ ମିଶ୍ର ଆଜି କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରି ରାଜ୍ୟର ଅନ୍ୟ କଲେଜରେ ବି ଏଭଳି ସମସ୍ୟା ଥାଇପାରେ। ତେଣୁ ଏଦିଗରେ ପଦକ୍ଷେପ ନେବା ସହ ଜିଲ୍ଲା ସିଡିଏମ୍‌ଓଙ୍କ ଦ୍ବାରା ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରନ୍ତୁ। ଯାଞ୍ଚ ସମୟରେ ଯଦି ଜଣାପଡ଼େ ଯେ ସମ୍ପୃକ୍ତ ଛାତ୍ର/ଛାତ୍ରୀ ନକଲି ସାର୍ଟିଫିକେଟ୍‌ ଦାଖଲ କରି ନାମ ଲେଖାଇଛନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅ। ତୁରନ୍ତ ତାଙ୍କ ନାମଲେଖା‌ ରଦ୍ଦ ସହ ନିକଟସ୍ଥ ଥାନାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଏତଲା ଦେବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର