ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି: ବକ୍ସି ଜଗବନ୍ଧୁଙ୍କ ଆତ୍ମୋତ୍ସର୍ଗ ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ

ସ୍ବାଧୀନତା ସଂଗ୍ରାମ ପ୍ରଥମେ ଓଡ଼ିଶାରୁ ହୋଇଥିଲା

ଭୁବନେଶ୍ୱର: ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣଧାର ଥିଲେ ବିପ୍ଳବୀ ବକ୍ସି ଜଗବନ୍ଧୁ। ତାଙ୍କ ବଳିଷ୍ଠ ନେତୃତ୍ୱ, ଅସୀମ ତ୍ୟାଗ, ବୀରତ୍ୱ, ଦେଶପ୍ରେମ ତଥା ଆତ୍ମୋତ୍ସର୍ଗ ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ। ଇଂରେଜମାନଙ୍କ ଅନ୍ୟାୟ, ଅନୀତି ଓ ନିର୍ଯାତନା ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ବ୍ରିଟିସ୍‌ ଶାସନକୁ ବିଚଳିତ କରିଦେଇଥିଲେ। ପରିସ୍ଥିତିର ଚାପରେ ଶେଷରେ ବକ୍ସି ଜଗବନ୍ଧୁ ଇଂରେଜମାନଙ୍କ ଦ୍ୱାରା ଗୃହବନ୍ଦୀ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେହି କର୍ମବୀର ସର୍ବଦା ପ୍ରାତଃସ୍ମରଣୀୟ। ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମ୍ୟୁଜିୟମ୍‌ ଛକସ୍ଥିତ ପ୍ରତିମୂ୍ର୍ତ୍ତି ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଆଜି ଏହା କହିଛନ୍ତି। ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ମହାପୁରୁଷଙ୍କୁ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଭାଗ ତରଫରୁ ପ୍ରତିମୂର୍ତ୍ତିସ୍ଥଳକୁ ଫୁଲରେ ସଜା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମନିର୍ଦ୍ଦେଶକ ସନ୍ତୋଷ ଦାସ, ମାନସ ରଞ୍ଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସ୍ବାଧୀନତା ସଂଗ୍ରାମ ପ୍ରଥମେ ଓଡ଼ିଶାରୁ ହୋଇଥିଲା
ଭୁବନେଶ୍ବର: ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଇଂରେଜ ସରକାର ବିରୋଧରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ଏହା ପାଇକ ବିଦ୍ରୋହ ନାମରେ ଜନମାନସରେ ବିଦିତ ହୋଇଥିଲେ ମଧ୍ୟ ଏଥିରେ ସବୁ ଜାତି ଓ ସବୁ ଶ୍ରେଣୀର ଓଡ଼ିଆମାନେ ଅଂଶଗ୍ରହଣ କରିଥିଲେ। ଏହି ବିଦ୍ରୋହ ୮ବର୍ଷ ପର୍ଯ୍ୟନ୍ତ ଲାଗି ରହିଥିଲା। ଏହାପରେ ୧୮୨୭ ମସିହାରୁ ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ। ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଓଡ଼ିଶାରୁ ହିଁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ବୋଲି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା କହିଛନ୍ତି।

ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣଧାର
ଭୁବନେଶ୍ୱର: ମହାନ୍‌ ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ୧୯୩ତମ ବଳିଦାନ ଦିବସ ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ମିଳିତ ପାଇକ ସଂଗଠନ ପକ୍ଷରୁ କଳ୍ପନା ଛକସ୍ଥିତ ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ ଯେ ପାଇକ ବିଦ୍ରୋହର ମହାନ ଯୋଦ୍ଧା, ଅଦମ୍ୟ ସାହସୀ, ମହାନ୍ ଦେଶପ୍ରେମୀ ତଥା ମୁଖ୍ୟ କର୍ଣ୍ଣଧାର ଥିଲେ ବକ୍ସି ଜଗବନ୍ଧୁ। ସମଗ୍ର ପାଇକ ଜାତିକୁ ଏକତ୍ରିତ କରି ଯୋଜନା ସହ ଉତ୍ତମ ରଣକୌଶଳ ପ୍ରଦର୍ଶନ ପୂର୍ବକ ଇଂରେଜମାନଙ୍କୁ ଭୟଭୀତ କରାଇଥିଲେ। ସେ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ସ୍ଥାପନ କରିଥିଲେ। ମିଳିତ ପାଇକ ସଂଗଠନ ପକ୍ଷରୁ ଦିଲ୍ଲୀପ ଶ୍ରୀଚନ୍ଦନ, ଅଭିଯାନର ସଂଯୋଜକ ନାରାୟଣ ଓଝା, ରୋହିତ କୁମାରଙ୍କ ସହିତ ପାଇକ ସଂଗଠନର ଦାୟାଦ ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ବକ୍ସିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେମାନେ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର