ଅତନୁଙ୍କ ମହାକାଳପଡ଼ା ବିକାଶ-୨: ଲକ୍ଷେ ଲୋକଙ୍କ ଦୁଃଖ ପାଲଟିଛି ଆଖାଡ଼ାଶାଳୀ, ଭାଟେଣୀ କ୍ରିକ୍‌

ମୁଖ୍ୟମନ୍ତ୍ରୀ ଦେଇଥିଲେ ଶୁଭ; ମୃତ ଅବସ୍ଥାରେ ପଡ଼ି ରହିଛି ଦୁଇ ପ୍ରକଳ୍ପ

କେନ୍ଦ୍ରାପଡ଼ା: ମହାକାଳପଡ଼ା ଅଞ୍ଚଳର ଅଧାପନ୍ତରିଆ ଆଖଡ଼ାଶାଳୀ ଓ ଭାଟେଣି କ୍ରିକ୍‌ ଜଳସେଚନ ପ୍ରକଳ୍ପ ଏବେ ଲକ୍ଷେରୁ ଅଧିକ ବାସିନ୍ଦାଙ୍କ ଦୁଃଖର କାରଣ ପାଲଟିଛି। ଏହା ଦ୍ବାରା ପାଖାପାଖି ୬ହଜାର ହେକ୍ଟର‌୍‌ ଚାଷ ଜମି ପ୍ରଭାବିତ ହେଉଛି। ଦୁଇ ଦଶନ୍ଧି ତଳର ଏହି ସମସ୍ୟାର କେବେ ସମାଧାନ ହେବ, ତାହାର ଉତ୍ତର କାହା ପାଖରେ ନାହିଁ। ଯେଉଁ ଚାଷୀଙ୍କ ଭୋଟ୍‌ ପାଇ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ାରୁ ବାରମ୍ବାର ବିଧାୟକ ହେବା ସହିତ ଅଖଣ୍ତ କ୍ଷମତା ଉପଭୋଗ କରୁଛନ୍ତି, ସିଏ ବି ଚାଷୀଙ୍କ ସ୍ବାର୍ଥ ସହିତ ଜଡ଼ିତ ଏହି ଦୁଇ ପ୍ରକଳ୍ପ ପ୍ରତି ଆଖିବୁଜି ଦେବା ପରୋକ୍ଷରେ ମହାକାଳପଡ଼ାରେ ହେଇଥିବା ବିକାଶର ଅସଲ ଚିତ୍ରକୁ ପଦାରେ ପକାଇଛି।

ପାଟକୁରା ଛାଡ଼ି ୨୦୦୯ରେ ଅତନୁ ମହାକାଳପଡ଼ାରୁ ବିଧାୟକ ଲଢ଼ି ଯେବେ ବିଜୟୀ ହେଇଥିଲେ, ଆଖାଡ଼ାଶାଳୀ କ୍ରିକ୍‌ ଜଳସେଚନ ପ୍ରକଳ୍ପ ବୃହତ୍‌ ଯୋଜନା ତାଙ୍କର ପ୍ରତିଶ୍ରୁତି ଭିତରେ ଥିଲା ଅନ୍ୟତମ ପ୍ରମୁଖ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ପ୍ରକଳ୍ପର ଶିଳାନ୍ୟାସ ୨୦୧୩, ମେ’ ୧୩ତାରିଖରେ କରିଥିଲେ। ରାମନଗର, ପେଟଛେଲା, ବରକନ୍ଧା, ବଉଳକଣୀ, ବାରଡାଙ୍ଗ ଓ ମଙ୍ଗଳପୁର ପଞ୍ଚାୟତର ପ୍ରାୟ ୨ହଜାର ହେକ୍ଟର‌୍‌ ଚାଷଜମିକୁ ଲୁଣା ପାଣି ଦାଉରୁ ରକ୍ଷା ପାଇଁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ମୋଟ୍‌ ୬ କୋଟି ୯୮ଲକ୍ଷ ୮୨ହଜାର ଟଙ୍କା ଏଥିପାଇଁ ବ୍ୟୟ ଅଟକଳ କରାଯିବା ସହିତ ୨୦୧୮ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ପାଇଁ ଆଜିଯାଏ ଆଖଡ଼ାଶାଳୀ ଜଳସେଚନ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଇପାରିଲା ନାହିଁ। ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ସରିଥିଲେ ମଧୢ ମହାନଦୀ ଓ ଅପରପାର୍ଶ୍ବରେ ଥିବା ଯୋର ନଦୀ ସହିତ ଏହାକୁ ସ˚ଯୋଗ କରାଯାଇପାରି ନାହିଁ। ଏହି ଦୁଇ ପାର୍ଶ୍ବର ପ୍ରାୟ ଚାରି ଶହ ମିଟର‌୍‌ ଖୋଳାଯାଇ ଦୁଇ ପାଖେ କ˚କ୍ରିଟ୍‌ କରାଯିବାର ଯୋଜନା ରହିଛି। ମାତ୍ର ଜମି ସମସ୍ୟାକୁ ଆଳ କରି ତଟବ˚ଧ ବିଭାଗ ହାତବାନ୍ଧି ଚୁପ୍‌ ବସିଯାଇଛି। ଫଳରେ ଚାଷ ଜମିରେ ଅବାଧରେ ଲୁଣା ପାଣି ପ୍ରବେଶ କରିବା ସହିତ ଫସଲ ନଷ୍ଟ କରୁଛି।

ପିତାପାଟ ଅ˚ଚଳର ଚାଷୀ ଦୀନବ˚ଧୁ ବେହେରା ଓ ପ୍ରଦୀପ ମିସ୍ତ୍ରି କୁହନ୍ତି ଯେ କୋଡ଼ିଏ ବର୍ଷ ତଳେ ସେମାନେ ଧାନ ବ୍ୟତୀତ ପନିପରିବା ଚାଷ କରୁଥିଲେ। ସେତେବେଳେ ଏକ ଛୋଟ ସ୍ଲୁଇସ୍‌ ଗେଟ୍‌ ଥିଲା। କିନ୍ତୁ ତାହା ଭା˚ଗିଯିବା ପରେ ଆଉ ପନିପରିବା ଚାଷ କରିପାରୁ ନାହାନ୍ତି। ବର୍ଷା ଉପରେ ନିର୍ଭର କରି କେବଳ ଯାହା ଧାନ ଚାଷ କରୁଛନ୍ତି। ଅନ୍ୟ ସବୁ ସମୟରେ ଜମିରେ ଲୁଣା ପାଣି ମାଡ଼ି ଯାଉଛି। ମୁଗ, ବିରି ଫସଲ ସ୍ବପ୍ନ ପାଲଟିଛି। ଅନେକ ଚାଷୀ ସେଥିପାଇଁ ଚାଷଜମିକୁ ଚିଙ୍ଗୁଡ଼ି ଘେରି କରିବାକୁ ଅନ୍ୟକୁ ଲିଜ୍‌ ଦେବାକୁ ବାଧୢ ହେଉଛନ୍ତି। ଏହି ପ୍ରଳଳ୍ପ କାର୍ଯ୍ୟକ୍ଷମ ହୋଇଗଲେ ବର୍ଷତମାମ୍‌ ସବୁ ଫସଲ କରି ହୁଅନ୍ତା। ବାରମ୍ବାର ଅଭିଯୋଗ ପରେ ବି କେହି ଦୁଃଖ ଶୁଣୁ ନାହାନ୍ତି ବୋଲି ଦୁହେଁ କ୍ଷୋଭ ପ୍ରକାଶ କରି କହିଛନ୍ତି।

ସେହିପରି ୨୦୦୩, ଜୁଲାଇ ୧୯ତାରିଖରେ ଭାଟେଣୀଠାରେ ମାଳିବସା-ତନ୍ତିଆପାଳ-ବେଣାକନ୍ଦା-ବିଜୟନଗର କ୍ରିକ୍‌ ଜଳସେଚନ ପ୍ରକଳ୍ପର ଶୁଭ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମହାକାଳପଡ଼ାର ଜମ୍ବୁ, ସୁନୀତି, ଗଗୁଆ, ନାଞ୍ଜୁରା, ବିଜୟନଗର, ବଢ଼ିହି, କ˚ସାର ବଡ଼ଦାଣ୍ତୁଆ ପ˚ଚାୟତ ସମେତ ପଟ୍ଟାମୁଣ୍ତାଇ ଓ ରାଜନଗର ବ୍ଲକ୍‌ର କିଛି ଅଞ୍ଚଳକୁ ମିଶାଇ ୧୨ଟି ପ˚ଚାୟତର ପ୍ରାୟ ୪ହଜାରରୁ ଅଧିକ ହେକ୍ଟର‌୍‌ ଚାଷ ଜମିକୁ ଲୁଣା ପାଣି ମୁକ୍ତ ରଖିବା ପାଇଁ ଏହି ଯୋଜନା କରାଯାଇଥିଲା। ଉଦ୍ଦେଶ୍ୟ ଥିଲା, ଲୁଣା ପାଣିକୁ ପ୍ରତିରୋଧ ସହିତ ଚାଷ ଜମି ପାଇଁ ମଧୁର ଜଳ ସ˚ରକ୍ଷିତ ରଖିବା। ଏହାଦ୍ବାରା ପାଖାପାଖି ୭୦ହଜାରରୁ ଅଧିକ ଲୋକେ ଉପୃକତ ହେଇଥା’ନ୍ତେ। ମହାକାଳପଡ଼ା ବ୍ଲକ୍‌ ନାବାର୍ଡ ଓ ଜଳସ˚ପଦ ବିଭାଗର ସହାୟତାରେ ୨କୋଟି ୪୬ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାମ ଚାଲିଥିବା ବେଳେ ୨୦୦୫, ଅକ୍ଟୋବରରେ ମଝିଅ˚ଶ ଦବି ଯାଇଥିଲା। ଏହାପରଠୁ ଆଉ ପ୍ରକଳ୍ପ ଆଗକୁ ବଢ଼ିପାରି ନାହିଁ। ଇତିମଧୢରେ ଶିଳାନ୍ୟାସକୁ ୨୦ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏହି ପ୍ରକଳ୍ପର ଯେବେ ଶିଳାନ୍ୟାସ ହୋଇଥିଲା, ସେତେବେଳେ ମହାକାଳପଡ଼ା ଅ˚ଚଳ ରାଜନଗର ନିର୍ବାଚନ ମଣ୍ତଳୀ ଅଧିନରେ ଯାଉଥିଲା। କିନ୍ତୁ ୨୦୦୯ରେ ନୂତନ ଭାବେ ମହାକାଳପଡ଼ା ନିର୍ବାଚନ ମଣ୍ତଳୀ ଗଠନ ହେବା ପରଠୁ ବିଜେଡି କବ୍‌ଜାରେ ରହି ଆସିଛି ଏହି ଆସନ। କ୍ରମାଗତ ଭାବେ ବିଧାୟକ ହେଇ ଆସୁଛନ୍ତି ଅତନୁ ସବ୍ୟସାଚୀ ନାୟକ। କିନ୍ତୁ ତାଙ୍କର ତିନି ଥରର ଲମ୍ବା କାର୍ଯ୍ୟକାଳ ଭିତରେ ବି ଲକ୍ଷେରୁ ଅଧିକ ଲୋକଙ୍କ ଦୁଃଖ କୁହାଯାଉଥିବା ଲୁଣା ପାଣି ସମସ୍ୟା ଦୂର ହେଇ ନପାରିବା ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର