କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ : ବାତିଲ ହେଲା ୨ ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ଆସନ୍ତା ଆର୍ଥିକ ବର୍ଷରେ ସାମିଲ ହେବ

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଜରୁରିକାଳୀନ ସମସ୍ୟା ଭାବେ ଘୋଷଣା କରିଛି। ୬୭ଟିରୁ ଅଧିକ ଦେଶକୁ ଏହା ବ୍ୟାପିଥିବାରୁ ଏହାର ଭୟାବହତାକୁ ଉପଲବ୍ଧି କରି କେନ୍ଦ୍ର ସରକାର ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ତେଣୁ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ଏକ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଓଡ଼ିଶା ନୁହେଁ ସମଗ୍ର ବିଶ୍ବ ପର୍ଯ୍ୟଟନ ବଜାରରେ ଏହାର ପ୍ରଭାବ ପଡ଼ିଛି। କେବଳ ବିଦେଶରୁ ନୁହେଁ ଦେଶୀୟ ପର୍ଯ୍ୟଟକ ମଧ୍ୟ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବା ପାଇଁ କରିଥିବା ଯୋଜନାରେ ରୋକ ଲଗାଇଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି।

ରାଜ୍ୟ ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ଆର୍‌ ଯାଦବ କହିଛନ୍ତି, ଏହା ସମଗ୍ର ବିଶ୍ବ ପର୍ଯ୍ୟଟନକୁ କ୍ଷତି ପହଞ୍ଚାଇବ। ତେବେ ସଂପ୍ରତି ପର୍ଯ୍ୟଟନ ଋତୁ ସରିଯାଇଥିବାରୁ ପର୍ଯ୍ୟଟନ ଶିଳ୍ପ ଏତେ ପ୍ରଭାବିତ ହେବ ନାହିଁ। ନଭେମ୍ବର ଓ ଡିସେମ୍ବରରେ ଏହି କରୋନା ଭୂତାଣୁର ଭୟାବହତା ଦେ‌ଖା ଦେଇଥିଲେ ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ଼ ପ୍ରଭାବ ଦେଖାଦେଇଥାଆନ୍ତା। ଶ୍ରୀ ଯାଦବ କହିଛନ୍ତି ଯେ, ଓଡ଼ିଶାକୁ ମୁଖ୍ୟତଃ ଇଟାଲି, ଜର୍ମାନି ଓ ଆମେରିକାରୁ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଆସନ୍ତି। ମାତ୍ର ଭାରତ ସରକାର ଏବେ ଏଥିରେ ରୋକ ଲଗାଇଛନ୍ତି। ଚୀନ ଓ ଦକ୍ଷିଣ ପୂର୍ବାଞ୍ଚଳର ପର୍ଯ୍ୟଟକଙ୍କ ଭିସା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗି ସାରିଛି। ମଣିଷର ଜୀବନ ଓ ସ୍ବାସ୍ଥ୍ୟଠୁ ବଡ଼ ଆଉ କିଛି ନାହିଁ। ତେଣୁ ଏହାକୁ ଆମେ ବି ଯଥେଷ୍ଟ ଗୁରୁତ୍ବ ଦେଉଛୁ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପର୍ଯ୍ୟଟକଙ୍କୁ ବିଦେଶ ବୁଲାଇବା ପାଇଁ ନିକଟରେ ଘୋଷଣା କରିଥିବା ‘ଗୋ ଗ୍ଲୋବାଲ’ ଯୋଜନା ମଧ୍ୟ ସାମୟିକ ଭାବେ ସ୍ଥଗିତ ରହିଛି। ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦୁବାଇ ଭଳି ଜାଗାକୁ ବୁଲିବାକୁ ଯିବା ପାଇଁ ହୋଇଥିବା ପ୍ୟାକେଜରେ ଲୋକେ ହିଁ ସ୍ବତଃସ୍ଫୃତ ଭାବେ ବୁକିଂ କରୁନାହାନ୍ତି। ଏହା ବ୍ୟତୀତ ବ୍ୟବସାୟିକ କାରଣ ପାଇଁ ଏବଂ ପର୍ଯ୍ୟଟନ କ୍ଷେତ୍ର ବୁଲିବା ପାଇଁ ଯେଉଁମାନେ ବାହାର ଦେଶକୁ ଯାଇଥିଲେ ସେମାନଙ୍କର ସ୍କ୍ରିନିଙ୍ଗ କରାଯାଉଛି।

ଓଡ଼ିଶା ସଂକ୍ରାନ୍ତରେ ଦେଖିବାକୁ ଗଲେ ଏହି ସମୟରେ ଦେଶୀୟ ପର୍ଯ୍ୟଟକ ଅର୍ଥାତ ରାଜ୍ୟ ମଧ୍ୟରେ ପର୍ଯ୍ୟଟକ ବିଭିନ୍ନ ଅଞ୍ଚଳକୁ ବୁଲିବାକୁ ଯାଆନ୍ତି। ଏହା ଏତେ ମାତ୍ରାରେ ପ୍ରଭାବିତ କରିନପାରେ। ତେବେ ଲୋକଙ୍କ ଜୀବନଠୁ ମୂଲ୍ୟବାନ ଆଉ କିଛି ନଥିବାରୁ ଆମେ ମଧ୍ୟ ଏଥର ମାର୍ଚ୍ଚ ମାସରେ ଥିବା ଆଉ ୨ଟି ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମକୁ ବାତିଲ କରିଛୁ। ଅର୍ଥାତ ମାର୍ଚ୍ଚ ୧୪ରେ ସମ୍ବଲପୁରରୁ ଆଗ୍ରାକୁ ଯିବାକୁ ଥିବା ତୀର୍ଥଯାତ୍ରା ଓ ମାର୍ଚ ୨୮ରେ ଭୁବନେଶ୍ବରରୁ ଶିରିଡ଼ି ଅଭିମୁଖେ ଯିବାକୁ ଥିବା ତୀର୍ଥଯାତ୍ରାକୁ ବାତିଲ କରାଯାଇଛି। ତେବେ ଏହାକୁ ଆସନ୍ତା ଆର୍ଥିକ ବର୍ଷ‌ରେ ଯୋଡ଼ାଯିବ। ଅର୍ଥାତ ଆସନ୍ତା ଆର୍ଥିକ ବର୍ଷରେ ପୁଣି ୪ଟି ତୀର୍ଥଯାତ୍ରା ହେବା ସହ ଚଳିତ ବର୍ଷର ବାତିଲ ହୋଇଥିବା ସମ୍ବଲପୁର ଓ ଭୁବନେଶ୍ବରରୁ ତୀର୍ଥଯାତ୍ରା ଯୋଡ଼ିହେବ ବୋଲି ଶ୍ରୀ ଯାଦବ କହିଛନ୍ତି।

ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜର୍ମାନିରେ ଆୟୋଜିତ ହେବାକୁ ଯାଉଥିବା ‘ଆଇଟିବି’ କାର୍ଯ୍ୟକ୍ରମରେ ଯୋଗ‌ଦେବାର କାର୍ଯ୍ୟକ୍ରମ ଥିଲେ ହେଁ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସବୁଠୁ ବଡ଼ କଥା ହେଉଛି ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଦେଶରେ କରାଯାଉଥିବା ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ମୋଟାମୋଟି ଭାବେ ଚଳିତ ଆର୍ଥିକ ବର୍ଷ ପୂର୍ବରୁ ଶେଷ ହୋଇସାରିଛି ବୋଲି ଶ୍ରୀ ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର