ବି‌ଜେପି ମହିଳାଙ୍କ ସଶକ୍ତୀକରଣ ଚାହୁନାହିଁ: ବିଜେଡି

ଭୁବନେଶ୍ବର : ମିସନ୍ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଏସ୍‌ଏଚ୍‌ଜିମାନେ ଓଡ଼ିଶାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ସେମାନେ ଭାରତ ଓ ବିଶ୍ବ ପାଇଁ ସଫଳ ମହିଳା ଏସ୍‌ଏଚ୍‌ଜି ଆନ୍ଦୋଳନର ଉଦାହରଣ ପାଲଟିଛନ୍ତି। ହେଲେ ରାଜ୍ୟର ବିଜେପି ନେତୃତ୍ବ ଏହାକୁ ସହ୍ୟ କରିପାରୁନାହାନ୍ତି ବୋଲି ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର କହିଛନ୍ତି।

ଶନିବାର ଦିନ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ୬ଲକ୍ଷ ମହିଳା ଏସ୍‌ଏଚ୍‌ଜିରେ ପ୍ରାୟ ୭୦ଲକ୍ଷ ମହିଳାଙ୍କ ସହିତ ମିସନ୍ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି। ମହିଳା ଏସ୍‌ଏଚ୍‌ଜି ଓଡ଼ିଶାରେ ଭଲ କାମ କରୁଥିବା ସତ୍ତ୍ବେ ଓଡ଼ିଶା ବିଜେପି ନେତାମାନେ ମହିଳା ଏସ୍‌ଏଚ୍‌ଜି ସଦସ୍ୟଙ୍କୁ ପ୍ରତିଦିନ ଅପମାନିତ ଏବଂ ଅସମ୍ମାନିତ କରୁଛନ୍ତି। ସେମାନଙ୍କ ମିଥ୍ୟା ଅଭିଯୋଗ ଦେଖିଲେ ଲାଗୁଛି ଯେପରି ସେମାନେ ଏଥିପାଇଁ ଟଙ୍କା ନେଉଛନ୍ତି।

ଏହା ଓଡ଼ିଶା ବିଜେପି ନେତାଙ୍କ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଆଚରଣ। ଏହା ଦର୍ଶାଉଛି ଯେ ଓଡ଼ିଶାରେ ଚାଲିଥିବା ମହିଳାଙ୍କ ସଶକ୍ତୀକରଣ ଏବଂ ସମାଜକୁ ପରିବର୍ତ୍ତନ କରିବାର ପ୍ରୟାସ ପ୍ରତି ସେମାନେ ଅତ୍ୟନ୍ତ ଅସହିଷ୍ଣୁ ହୋଇପଡ଼ିଛନ୍ତି। ଓଡ଼ିଶା ବିଜେପି ନେତାମାନେ ଚାହୁଁଛନ୍ତି ଯେ ଓଡ଼ିଶାର ମହିଳାମାନେ ଘରର ଚାରି କାନ୍ଥ ଭିତରେ ରୁହନ୍ତୁ। ସେମାନେ ଚାହାନ୍ତି ନାହିଁ ଯେ ମହିଳାମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ ଓ ଓଡ଼ିଶାର ବିକାଶକୁ ଆଗକୁ ବଢ଼ାନ୍ତୁ। କେବଳ ମିସନ ଶକ୍ତି ଗୋଷ୍ଠୀର ମହିଳା ନୁହେଁ, ବିଜେପି ନେତା ସାଧାରଣ ଜୀବନକୁ ଅାସୁଥିବା ମହିଳାମାନଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି। ଯାହା ପଦ୍ମପୁର ଓ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରବକ୍ତା ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର