୨୧ରୁ ପ୍ରଦେଶ କିଷାନ କଂଗ୍ରେସର ଟାସ୍କଫୋର୍ସ କମିଟି ବୈଠକ

ଭୁବନେଶ୍ବର : ରାଜ୍ୟରେ କୃଷି ଓ କୃଷକଙ୍କ ମୁଖ୍ୟ ସମସ୍ୟାର ସମାଧାନ କରାଯାଉନାହିଁ। ଗ୍ରାମାଞ୍ଚଳର କୃଷି ଭିତ୍ତିଭୂମି ସଂପୂର୍ଣ୍ଣ ଅସଜଡ଼ା ହୋଇପଡ଼ିଛି। ଧାନ ଚାଷକୁ ବାଦ୍ ଦେଲେ ଓଡ଼ିଶା ଅନ୍ୟ ଚାଷ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଉପରେ ନିର୍ଭରଶୀଳ। ତେଣୁ ରାଜ୍ୟରେ କୃଷି ଓ କୃଷକଙ୍କ ଥିବା ସମସ୍ୟାର କାରଣ ଖୋଜିବା ପାଇଁ ଆସନ୍ତା ୨୧ ତାରିଖରୁ ପ୍ରତି ଜିଲ୍ଲାରେ ଟାସ୍କଫୋର୍ସ କମିଟିର ବୈଠକ ବସିବ। କମିଟିର ମତାମତକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ କୃଷି ଓ କୃଷକର ବିକାଶ ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ଟାସ୍କଫୋର୍ସ କମିଟିରେ ଅଭିଜ୍ଞ କୃଷିବିତ୍, ସ୍ବେଚ୍ଛାସେବୀ କୃଷକ ସଂଗଠନ, କୃଷି ବିଶେଷଜ୍ଞ, ବୁଦ୍ଧିଜୀବୀ ଓ କୃଷି ତଥା ଆନୁସଙ୍ଗିକ କୃଷି କ୍ଷେତ୍ରରେ କାର୍ଯ୍ୟ କରିଥିବା ଆଗ୍ରହୀ ସରକାରୀ କର୍ମଚାରୀ ଏହି କମିଟିରେ ରହିବେ। ରାଜ୍ୟରେ ଅନେକ ଚାଷୀ ପରିବାର ଚାଷ ପ୍ରତି ବିମୁଖ। ଯୁବଗୋଷ୍ଠୀ ଚାଷରୁ ମୁହଁ ଫେରାଉଛନ୍ତି। ବାହାର ରାଜ୍ୟକୁ ଦାଦନ ଶ୍ରମିକ ପାଳୟନକୁ ରୋକିବା ଓ କୃଷି ସମ୍ବଳ, ଶ୍ରମ ଶକ୍ତିଙ୍କୁ ବିଚାରକୁ ନେଇ ତର୍ଜମା କରାଯାଉନାହିଁ। ମୋଟାମୋଟି ଭାବେ ଗତ ଦୁଇ ଦଶନ୍ଧିରୁ ଅଧିକ ହେବ ଚାଷୀ ନିଜର ଚାଷରୁ ଲାଭ ନ ଉଠାଇ ପାରିବାର କାରଣ କ’ଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। କୃଷି କ୍ଷେତ୍ରରେ ଦୀର୍ଘସ୍ଥାୟୀ ବ୍ୟବସ୍ଥା, ଅଧିକ ଆତ୍ମ ନିଯୁକ୍ତି ସୃଷ୍ଟି କରାଯିବା ସହିତ ଚାଷୀଙ୍କ ପାଇଁ ଏକ ସଶକ୍ତ କୃଷି ନୀତି ପ୍ରଣୟନ କରିବା ଅତ୍ୟନ୍ତ ଜରୁରୀ ବୋଲି କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର