‘ବୁଲ୍‌ବୁଲ୍‌’ ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର, ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ପୁର୍ନବାହଲ୍

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଏବେ ଓଡ଼ିଶାଠାରୁ ଦୂରେଇ ଯାଇଛି। ସନ୍ଧ୍ୟା ୭ଟାରୁ ୧୧ଟା ମଧ୍ୟରେ ବାତ୍ୟା ପଶ୍ଚିମବଙ୍ଗଳରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ବାତ୍ୟା ୯କିଲୋମିଟର ବେଗରେ ଗତି କରୁଛି। ବାତ୍ୟାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ହୋଇ ଅନେକ କ୍ଷୟକ୍ଷତି ଘଟିଛି । ଗତ ରାତିଠାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବହୁ ସଂଖ୍ୟାରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ଯାଇଛି । ଫଳରେ ରାସ୍ତା ଅବରୋଧ ସହ ବିଦ୍ୟୁତ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି।  ଗତରାତିରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା-ପବନରେ ଗଛ ପଡ଼ି ଅବରୋଧ ହୋଇଥିବା ରାସ୍ତାକୁ ସଫା କରି ଦିଆଯାଇଥିବା ବେଳେ ବିଜୁଳି ଖୁଣ୍ଟକୁ ଉଠାଯାଇଛି। ଶନିବାର ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରିଲିଫ୍ କମିସନର ପ୍ରଦୀପ ଜେନା।

ଜଗତସିଂହପୁର ଜିଲ୍ଲାରେ ଅଧିକାଂଶସ୍ଥାନରେ ରାସ୍ତା ସଫା କରାଯିବା ସହ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ଯୋଗାଣ ପୁର୍ନବାହାଲ କରାଯାଇଛି। ତେବେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ରାଜକନିକା ବ୍ଲକ୍‌କୁ ଛାଡି ଅନ୍ୟସବୁଠାରେ ରାସ୍ତାସଫା ଓ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ଗଛ ଉପୁଡିବା ଖବର ଆସିଛି।

File Photo

ଗତକାଲି ବର୍ଷା-ପବନ ଯୋଗୁଁ ବିଭିନ୍ନ ଜିଲ୍ଲାର ଅଧିକ କ୍ଷତିଗ୍ରସ୍ତ ସମ୍ଭାବନା ଥିବା ଅଞ୍ଚଳରୁ ପ୍ରାୟ ୩,୫୦୦ ଲୋକଙ୍କୁ ଶନିବାର ରାତି ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ସଂପୃକ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଭାବିତ ଜିଲ୍ଲାର ୬ଲକ୍ଷ ହେକ୍ଟର ଚାଷଜମିର ୩୦ରୁ ୪୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି।

ବର୍ତ୍ତମାନ ବାତ୍ୟା ପ୍ରଭାବରେ ମୟୁରଭଞ୍ଜରେ ବର୍ଷା-ପବନ ଚାଲିଥିବା ବେଳେ ସେଠାରେ ଗଛ ଭାଙ୍ଗିବା ଓ ବିଦ୍ୟୁତ ସରବରାହ ସଜଡା କାମ ଆସନ୍ତକାଲି ଶେଷ ହେବ। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ଜଣେ ବ୍ୟକ୍ତି କାନ୍ଥ ପଡ଼ି ମରିବା ଖବର ସମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର