ସିବିଏସ୍‌ଇର ନୂଆ ପଦକ୍ଷେପ : ଷଷ୍ଠରୁ ଏକାଦଶ ଯାଏ ଦକ୍ଷତା ଶିକ୍ଷା

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ନୂତନତ୍ୱ, ଶାରିରୀକ ସୁସ୍ଥ ଆଦି ବିଷୟରେ ଶିକ୍ଷା ଦେବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟଗୁଡିକରେ ଦକ୍ଷତା ପାଠ୍ୟକ୍ରମକୁ ବ୍ୟାପକ କରିଯିବ। ତାହାକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷାବର୍ଷରୁ ଷଷ୍ଠରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ଶିକ୍ଷା ଦିଆଯିବ। ଏନେଇ ସିବିଏସ୍‌ଇ ପକ୍ଷରୁ ଏହା ଅଧୀନ ବିଦ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

ସିବିଏସ୍‌ଇ ପକ୍ଷରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ତିନୋଟି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବ। ସେଗୁଡିକ ହେଲା ଡିଜାଇନ୍ ଥିଙ୍କିଙ୍ଗ, ଫିଜିକାଲ ଆକ୍ଟିଭିଟି ଟ୍ରେନ୍‌ର ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି। ପିଲାଙ୍କ ଶାରିରୀକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇଁ ଫିଜିକାଲ୍ ଆକ୍ଟିଭିଟି ଆବଶ୍ୟକ ଥିବା ବେଳେ ଏ କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ଫିଜିକାଲ ଆକ୍ଟିଭିଟି ଟ୍ରେନିଂର ବି ଆବଶ୍ୟକତା ରହିଛି। ଏହି ତିନୋଟି ପାଠ୍ୟକ୍ରମ ବ୍ୟତୀତ ମାଧ୍ୟମିକ ସ୍ତରରେ ସିବିଏସ୍‌ଇ ପକ୍ଷରୁ ୧୭ଟି ଦକ୍ଷତା ବିଷୟ ଓ ଉଚ୍ଚମାଧ୍ୟମିକ ସ୍ତରରେ ୩୭ଟି ଦକ୍ଷତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ସିବିଏସ୍‌ଇ ଅଧୀନରେ ଥିବା ୮୫୪୩ ସ୍କୁଲର ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବର୍ତ୍ତମାନ ଏହି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏହାକୁ ଅଧିକ ବ୍ୟାପକ କରିବା ଲାଗି ୨୦୨୦-୨୧ ଶିକ୍ଷାବର୍ଷରେ ଅଧିକ ନୂଆ ପାଠ୍ୟକ୍ରମ ଲାଗୁ କରିବାକୁ ବିଭାଗ ଚିନ୍ତା କରାଯାଇଛି।

ସେହିପରି ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ୫ଟି ବାଧ୍ୟତାମୂଳକ ବିଷୟ ସହ ଗୋଟିଏ ନୂଆ ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ସଂଯୋଗ କରାଯିବ। ସିବିଏସ୍‌ଇ ନିୟମ ଅନୁସାରେ ଯଦି ଛାତ୍ରଛାତ୍ରୀ ତିନୋଟି ଇଲେକ୍ଟିଭ୍ ବିଷୟ (ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ)ରୁ କୌଣସି ଗୋଟିଏରେ ବି ଫେଲ୍ ହୁଅନ୍ତି ତେବେ ସେମାନେ ଦକ୍ଷତା ପାଠ୍ୟକ୍ରମ ସାହାଯ୍ୟରେ ପାସ୍ ହୋଇ ପାରିବେ। ଛାତ୍ରଛାତ୍ରୀ ଯେଉଁ ୫ଟି ବିଷୟରେ କୃତକାର୍ଯ୍ୟ ହେବା ସହ ଅଧିକ ନମ୍ବର ରଖିବେ ସେହି ବିଷୟଗୁଡିକୁ ଗ୍ରହଣ କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବିଷୟକୁ ପୁଣିଥରେ ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ସେ କମ୍ପାଟ୍‌ମେଣ୍ଟାଲ୍ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇପାରିବେ। ଉଚ୍ଚମାଧ୍ୟମିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିଷୟକୁ ଇଲେକ୍ଟିଭ ଭାବେ ଗ୍ରହଣ କରିବାକୁ ସ୍କୁଲଗୁଡିକୁ ପରାମର୍ଶ ଦିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷଠାରୁ ସ୍କୁଲଗୁଡିକୁ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ଲାଗି ଗୋଟିଏ କିମ୍ବା ଏକାଧିକ ଦକ୍ଷତା ବିଷୟ ଚୟନ କରିବାକୁ କୁହାଯାଇଛି।

ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭୋକେସନାଲ୍ କୋର୍ସ ଦେବାକୁ ଚିନ୍ତା କରିଛି ସିବିଏସଇ। ଯେପରିକି ଛାତ୍ରଛାତ୍ରୀ ଏହି କେର୍ସରେ ଥିବା ମଡ୍ୟୁଲ୍‌ଗୁଡିକୁ ୧୨ ଘଣ୍ଟା ଭିତରେ ସାରିପାରିବେ। ଆରମ୍ଭରୁ ପିଲାମାନଙ୍କୁ ଏହି ପାଠ୍ୟକ୍ରମ ସହ ଯୋଡିଲେ ସେମାନେ ଭବିଷ୍ୟତରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବେଳେ ଦକ୍ଷତା ପାଠ୍ୟକ୍ରମକୁ ସହଜରେ ପଢ଼ିପାରିବେ। ଏଦିଗରେ ଉଚ୍ଚଶିକ୍ଷା କରି ନିଜର କ୍ୟାରିୟର ଗଢ଼ିପାରିବେ। କେବଳ ସେତିକି ନୁହେଁ ଏଦିଗରେ ଶିକ୍ଷକ ଶିକ୍ଷିୟିତ୍ରୀଙ୍କ ଦକ୍ଷତା ବିକାଶ ଓ ତାଲିମ ପାଇଁ ମଧ୍ୟ ବୋର୍ଡ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବ ବୋଲି ମଧ୍ୟ ସିବିଏସ୍‌ଇ କହିଛି।

ସମ୍ବନ୍ଧିତ ଖବର