ସିକେ ନାୟୁଡୁ ଟ୍ରଫି ୧୫ରୁ

ସମ୍ବଲପୁର : ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ଷ୍ଟାଡିୟମ୍‌ରେ ଆସନ୍ତା ୧୫ ତାରିଖରୁ ୨୫ ବର୍ଷରୁ କମ୍‌ ସିକେ ନାୟୁଡୁ ଟ୍ରଫିର ଓଡ଼ିଶା-ହିମାଚଳପ୍ରଦେଶ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମ୍ୟାଚ୍‌ ପୂର୍ବରୁ ଓସିଏର ୨ ଜଣିଆ ଟିମ୍‌ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ମ୍ୟାଚ୍‌ ପାଇଁ ହିମାଚଳପ୍ରଦେଶ ଦଳ ଗୁରୁବାର ସମ୍ବଲପୁର ପହଞ୍ଚିଥିବାବେଳେ ଶୁକ୍ରବାରଠାରୁ ଅଭ୍ୟାସ ଆରମ୍ଭ କରିବ। ଅନ୍ୟପଟେ ଓଡ଼ିଶା ଦଳ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ପହଞ୍ଚି ଶନିବାର ଅଭ୍ୟାସ କରିବ। ଆୟୋଜକ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ମଧ୍ୟ ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଥିବା ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଅବସରରେ ସାଧାରଣ ସମ୍ପାଦକ ସୁନୀଲ ସାହୁ, ଉପସଭାପତି ଏମ୍‌ଡି ସାବିର ଅହମ୍ମଦ, କୋଷାଧ୍ୟକ୍ଷ ଉମାପତି ତ୍ରିପାଠୀ, କ୍ରିକେଟ୍‌ ସମ୍ପାଦକ ଅବିନାଶ ନନ୍ଦ, କାଉନ୍‌ସିଲ୍‌ ସଭ୍ୟ ପଦ୍ମନାଭ ନାଏକ, ବିଭୂତି ମିଶ୍ର, ମହମ୍ମଦ ଇସାକ୍‌, ରତିକାନ୍ତ ମହାନ୍ତି, କୁନ୍ଦନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମ୍ୟାଚ୍‌ରେ ଅର୍ଜୁନ ଯାଦବ ରେଫରି ନିଯୁକ୍ତ ହୋଇଥିବା ବେଳେ ସଞ୍ଜୟ ସିଂ ଏବଂ ଦୀପକ ଡିଏଲ୍‌ ଅମ୍ପାୟାର୍‌, ଶୁଭାଶିଷ ଜେନା ଏବଂ ରାଜକମଲ ସିଂହ ଭିଡିଓ ଆନାଲିଷ୍ଟ ତଥା ସନ୍ଦୀପ ଜି ଏବଂ ବୀରବର ନାୟକ ସ୍କୋରର୍‌ ଦାୟିତ୍ବ ତୁଲାଇବେ। ସିକେ ନାୟୁଡୁ ଟ୍ରଫିର ଗ୍ରୁପ୍‌ ‘ଇ’ରେ ଥିବା ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍‌ ଖେଳି ମାତ୍ର ୨ ପଏଣ୍ଟ ପାଇଛି। ବିଦର୍ଭ ଏବଂ କର୍ଣ୍ଣାଟକ ବିରୋଧରେ ଖେଳିଥିବା ଉକ୍ତ ମ୍ୟାଚ୍‌ ଦ୍ବୟରେ ପ୍ରଥମ ପାଳି ପଛୁଆ ରହି ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ତେଣୁ ଘରୋଇ ପଡ଼ିଆରେ ଏହି ମ୍ୟାଚ୍‌ ଓଡ଼ିଶା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବ। ଅପରପକ୍ଷରେ ସେହି ଗ୍ରୁପ୍‌ରେ ଥିବା ହିମାଚଳ ଦଳ ଏହା ପୂର୍ବରୁ ଖେଳିଥିବା ଏକମାତ୍ର ମ୍ୟାଚ୍‌ରେ ବରୋଦାଠାରୁ ପାଳି ପରାଜୟ ବରଣ କରି ପଏଣ୍ଟଶୂନ୍ୟ ଭାବେ ଟେବୁଲ୍‌ର ସବା ତଳେ ରହିଛି।

ସମ୍ବନ୍ଧିତ ଖବର