ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିବ, ଲୋକେ ପ୍ରଶାସନ ପାଖରେ ଛିଡ଼ା ହେବେନି: ଅନିମେଷ ପ୍ରଧାନ

ସ୍କୁଲ୍‌ରେ ପଢ଼ିଲା ବେଳେ ବାପାଙ୍କୁ ହରାଇଥିଲେ। ଆଉ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତି କଲାବେଳେ ମା’ କର୍କଟ ରୋଗ ସହ ଲଢୁଥି‌ଲେ। ଏମିତି ପ୍ରତିକୂଳ ପରିସ୍ଥିତି କିନ୍ତୁ ତାଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିହତ କରି ପାରି ନ ଥିଲା। ବରଂ, ସମୟର ଏହି ଆହ୍ବାନକୁ ସୁଯୋଗ ଭାବେ ବ୍ୟବହାର କରି ଆଜି ସାରା ଦେଶରେ ଚର୍ଚ୍ଚିତ ହୋଇଛନ୍ତି ତାଳଚେରର ପୁଅ ଅନିମେଷ ପ୍ରଧାନ। କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ପ୍ରାଶାସନିକ ସେବା ପରୀକ୍ଷାରେ ଅନିମେଷ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ନିକଟରେ ଜନ୍ମମାଟି ଅନୁଗୁଳ ଆସିଥିବା ବେଳେ ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ‘ସମ୍ବାଦ ରବିବାର’ ସହ ବାଣ୍ଟିଥିଲେ ସେ।
ସାକ୍ଷାତ୍‌କାର: ପତିତପାବନ ସାହୁ

ଯେତେବେଳେ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ବୋଲି ଜାଣିଲେ, ପ୍ରଥମେ ମନକୁ କ’ଣ ଆସିଥିଲା?
ହଠାତ୍‌ ବିଶ୍ବାସ କରିପାରିଲିନି। ଆଖିରୁ ଲୁହ ବାହାରି ଆସିଲା। ଏହା ପୂର୍ବରୁ ଯେତେ ସଫଳତା ପାଇଥିଲି, ସବୁ ମା’ଙ୍କୁ ଫୋନ୍‌ କରି ଜଣାଉଥିଲି। ହେଲେ ଏବେ ମା’ ନ ଥିବାରୁ କାହାକୁ ଫୋନ୍‌ କରି ଏହି ଖୁସି ବାଣ୍ଟିବି ଜାଣି ପାରିଲିନି। ଏହା ମତେ କିଛି ସମୟ ପାଇଁ ଭାବପ୍ରବଣ କରିଦେଇଥିଲା।

ଭାବିଥିଲେ, ପ୍ରଥମ ପ୍ରଚେଷ୍ଟାରେ ସଫଳତା ମିଳିବ?
ଆଶା ଥିଲା, ତାଲିକାରେ କେଉଁଠି ନା କେଉଁଠି ନାଁ ରହିଯିବ। ହେଲେ ମନରେ ଭୟ ବି ଥିଲା। କାଳେ ହବନି ବୋଲି ଭାବି ଅନେକ ନକାରାତ୍ମକ ଚିନ୍ତା ମୁଣ୍ଡରେ ପଶିଥିଲା। ଏହା ଭିତରେ ବି ପରିଶ୍ରମ କରିଥିବାରୁ ତ‌ାଲିକାରେ ମୋ ନାଁ ଥିବ‌ ବୋଲି ବିଶ୍ବାସ ରଖିଥିଲି।

ଜଣେ ପ୍ର‌ାଶାସନିକ ଅଧିକାରୀ ହେବାର ସ୍ବପ୍ନ କେବେଠାରୁ ଦେଖିବା ଆରମ୍ଭ ହୋଇଥିଲା?
ପିଲାଦିନେ ବାପା କହୁଥିଲେ, ବଡ଼ ହେଲେ ତୁ କଲେକ୍ଟର୍‌ ହେବୁ। ସେତେବେଳେ ବୋଧହୁଏ ପଞ୍ଚମ ପଢୁଥିଲି। ସିଭିଲ୍‌ ସର୍ଭିସ୍‌ କ’ଣ ଜାଣି ନ ଥିଲି। କିନ୍ତୁ ମନରେ କଲେକ୍ଟର୍‌ ହେବାର ଆଶା ବସା ବାନ୍ଧିଥିଲା। ବଡ଼ ହେଲା ପରେ ମା’ଙ୍କ ପାଖରୁ ଏଥିପାଇଁ ପ୍ରେରଣା ମିଳିଥିଲା। ସମାଜ ସେବା କରିବାକୁ ଏଥିରେ ବ୍ୟାପକ ସୁଯୋଗ ଥିବାରୁ ଆଇଏଏସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି।

ଆପଣ ଯେତେବେଳେ ୟୁପିଏସ୍‌ସି ପରି କଠିନ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ ସେହି ସମୟରେ ଆପଣଙ୍କ ମା’ କର୍କଟ ରୋଗ ସହ ଲଢୁଥିଲେ, ଏହି ସମୟରେ ଆପଣଙ୍କ ପ୍ରସ୍ତୁତି କିପରି ଚାଲିଥିଲା?
ନିଶ୍ଚିତ ରୂପେ ବହୁତ କଠିନ ଥିଲା। ଗତ ଦୁଇବର୍ଷ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା ବେଳେ ମା’ କର୍କଟ ରୋଗାକ୍ରାନ୍ତ ହୋଇଥିଲେ। ଏହି ରୋଗ ତାଙ୍କୁ ବଡ଼ କଷ୍ଟ ଦେଉଥିଲା। ତଥାପି ସେ ମତେ ଉତ୍ସାହିତ କରି ଚାଲୁଥିଲେ। ତାଙ୍କ କଷ୍ଟ ତୁଳନାରେ ମୋ ପରିଶ୍ରମ କିଛି ନୁହଁ ବୋଲି ମତେ ଲାଗୁଥିଲା। ତାଙ୍କ କଷ୍ଟ ଲାଘବ କରିବାକୁ ମୁଁ ଅଧିକ ପରିଶ୍ରମ ଆରମ୍ଭ କରି ଦେଇଥିଲି।

‘ଖୋଜିବାରେ ଯେଉଁ ଆନନ୍ଦ ରହିଛି, ମିଳିବାରେ ନାହିଁ…।’ ମା’ଙ୍କ କୋଳରେ ଥିବା ବେଳେ ମା’ଙ୍କ ଏହି କଥା ଆପଣଙ୍କୁ କେତେ ପ୍ରେରଣା ଦେଇଛି?
ଏହା କେବଳ ପ୍ରେରଣା ଦେଇନି, ଆଜି ଯେଉଁ ସଫଳତା ପାଇଛି ସବୁ ତାଙ୍କର। ଖୁସି ଲାଗୁଛି, ମୋ ସଫଳତା ପରେ ଲୋକେ ମା’ଙ୍କ ତ୍ୟାଗ ଓ କଷ୍ଟ ସଂପର୍କରେ ଜାଣି ପାରୁଛନ୍ତି। କେବଳ ୟୁପିଏସ୍‌ସି ନୁହେଁ, ଜୀବନର ପ୍ରତିଟି ସୋପାନରେ ସେ ମୋ ପଛରେ ଦୃଢ଼ ଭାବେ ଛିଡ଼ା ହୋଇ ଆଗକୁ ବଢ଼ିବାରେ ସାହାଯ୍ୟ କରିଛନ୍ତି।

ଚାକିରି କରିବା ଏବଂ ପରୀକ୍ଷା ଲାଗି ପ୍ରସ୍ତୁତ ହେବା ସହଜ ନୁହେଁ। କିପରି ସମନ୍ବୟ ରକ୍ଷା କରୁଥିଲେ?
କଷ୍ଟକର ହୋଇଥିଲେ ମଧ୍ୟ କରିବାକୁ ପଡୁଥିଲା। ସ୍ଥିର କରିଥିଲି ଯେ ମୋ ପାଖେ ଦିନକୁ ୫ରୁ ୬ ଘଣ୍ଟା ସମୟ ଅଛି। ସମୟକୁ ଠିକ୍‌ ଭାବେ ବ୍ୟବହାର କରିବା ଓ ସପ୍ତାହ‌ାନ୍ତରେ ଅଧିକ ପଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲି।

ପ୍ରଥମ ପ୍ରଚେଷ୍ଟାରେ ସଫଳ ହେବା ନିହାତି ଏକ ବଡ଼ କଥ‌ା, କେମିତି ସମ୍ଭବ ହେଲା?
ମତେ ବି ଏହା ଅବିଶ୍ବାସ ଲାଗୁଥିଲା। କିନ୍ତୁ ଛାତ୍ରବେଳରୁ ଚାଲିଥିବା ପ୍ରସ୍ତୁତି ମତେ ଏଥିରେ ସହାୟକ ହୋଇଛି। ବିଭିନ୍ନ ବିତର୍କ ପ୍ରତିଯୋଗିତାରେ ଭାଗ ନେବା ଓ ଛାତ୍ର ସାମ୍ବାଦିକତା କରିବା ଏହି ସଫଳତାକୁ ସୁଗମ କରିଛି। ବାପା ରାଜନୀତି ବିଜ୍ଞାନ ଅଧ୍ୟାପକ ଓ ମା’ ଇତିହାସରେ ସ୍ନାତକୋତ୍ତର ହୋଇଥିବାରୁ ବି ମତେ ମାର୍ଗଦର୍ଶନ ମିଳିଥିଲା।

ତେବେ ଏହା ଗୋଟିଏ ଦିନର ସଫଳତା ନୁହେଁ। କେବେ ଭାବିନାହାନ୍ତି, ନା’ ଆଉ ହେବନି। ପ୍ରସ୍ତୁତି ଛାଡ଼ିଦେବି?
ପ୍ରତି ଦୁଇଦିନରେ ଏମିତି ଲାଗେ। କାହିଁକି ଏତେ ପରିଶ୍ରମ କରୁଛି ବୋଲି ଭାବି ପ୍ରସ୍ତୁତି ଛାଡ଼ିଦେବି ବୋଲି ମନରେ ଭାବନା ଆସେ। ହେଲେ ପୁଣି ଭାବେ, ଯଦି ଛାଡ଼ିଦେବି ତେବେ କାହିଁକି ଆରମ୍ଭ କରିଥିଲି। ଯଦି ମନୋବଳ ଦୃଢ଼ ଥିବ ଓ ଲକ୍ଷ୍ୟ ପ୍ରତି ନିଷ୍ଠା ଥିବ ତେବେ ଯାଇ ଏହି ପରୀକ୍ଷାକୁ ପାର୍‌ କରିହେବ।

ୟୁପିଏସ୍‌ସି ପରୀକ୍ଷାରେ କୃତିତ୍ବ ହାସଲ କରିବାର କିଛି ସହଜ ସୂତ୍ର ରହିଛି କି?
ସେମିତି କିଛି ସହଜ ସୂତ୍ର ନାହିଁ। ଉନ୍ନତ ମାନର ପାଠ୍ୟସାମଗ୍ରୀ ପଢ଼ିବାକୁ ପଡ଼ିବ। ଆଉ ପଢ଼ିଲା ବେଳେ ଗୋଟିଏ କଥା ମନେ ରଖିବାକୁ ପଡ଼ିବ ଯେ, କେବଳ ଜ୍ଞାନ ଆହରଣ ପାଇଁ ମୁଁ ପଢୁନି। ମତେ ପରୀକ୍ଷାରେ ଭଲ କରିବାର ଅଛି। କେମିତି ଅଧିକ ପ୍ରଶ୍ନର ଉତ୍ତର ଲେଖିପାରିବି। ତେଣୁ ‘ହାର୍ଡ ୱାର୍କ’ ବଦଳରେ ‘ସ୍ମାର୍ଟ ୱାର୍କ’ କରିବାର ଆବଶ୍ୟକତା ରହିଛି। ପରୀକ୍ଷାରେ ଯେମିତି ପ୍ରଶ୍ନ ଆସୁଛି, ସେହି ଅନୁସାରେ ପଢ଼ିବାକୁ ପଡ଼ିବ।

ୟୁପିଏସ୍‌ସି ଲାଗି ପ୍ରସ୍ତୁତ ହେଉଥିବା ପିଲାମାନେ ଭଲ କୋଚିଂ ଲାଗି ଦିଲ୍ଲୀ ଯିବାକୁ ଗୁରୁତ୍ବ ଦେଇଥାନ୍ତି। ଓଡ଼ିଶାରେ ରହି କ’ଣ ଏହି ପରୀକ୍ଷା ଲାଗି ପ୍ରସ୍ତୁତି କରିହେବନି?
ନିହାତି ଯିବା ଦରକାର ନାହିଁ। ମୁଁ ତ କୌଣସି ବିଧିବଦ୍ଧ କୋଚିଂ ନେଇ ନ ଥିଲି। କିନ୍ତୁ ଯଦି ପାଖରେ ସାଧନ ଅଛି, ତେବେ ଜଣେ କୋଚିଂ ନେଇପାରିବ। ଫଳରେ ପରୀକ୍ଷା ପ୍ରସ୍ତୁତି ଅଧିକ ସହଜ ହୋଇପାରିବ। କିନ୍ତୁ ଏହା ଜରୁରି ନୁହେଁ। ଆଜିକାଲି ଇଣ୍ଟର୍‌ନେଟ୍‌ରେ ବହୁ ମାଗଣା ପାଠ୍ୟସାମଗ୍ରୀ ମିଳୁଛି। ଏଥିରୁ ସହାୟତା ନେଇହେବ।

ଆପଣ ଓଡ଼ିଶା କ୍ୟାଡର୍‌ ନେବାକୁ ପସନ୍ଦ କରିବେ କି?
ନିଶ୍ଚିତ ଭାବେ ଓଡ଼ିଶା କ୍ୟାଡର୍‌ ପସନ୍ଦ କରିବି। କାହିଁକି ନା ମୁଁ ଓଡ଼ିଶାର ପୁଅ। ଓଡ଼ିଶାରେ ଜୀବନର ବହୁ ସମୟ କାଟିଛି। ତେଣୁ ଏଠାକାର ସମ୍ଭାବନା ଓ ଆହ୍ବାନ ନିଜେ ଦେଖିଛି। ଓଡ଼ିଶାରେ ଏବେ ବି ଅନେକ ସମ୍ଭାବନା ଥିବାରୁ ଏହାର ବିକାଶର ସୁଯୋଗ ରହିଛି। ଏହି ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବି।

ପ୍ରଶାସକ ଭାବେ ଓଡ଼ିଶାର କେଉଁ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେବେ?
ଜନକଲ୍ୟାଣକୁ ମୁଁ ଅଧିକ ଗୁରୁତ୍ବ ଦେବି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପରିମଳ, ଗମନାଗମନ ଆଦି ଯେ କୌଣସି କ୍ଷେତ୍ର ହେଉନା କାହିଁକି ସମାଜର ସବୁଠାରୁ ତଳେ ଥିବା ଲୋକ କେମିତି ଏହାର ଲାଭ ପାଇପାରି‌ବେ ସେ ଦିଗରେ କାମ କରିବି। ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବାକୁ ଚେଷ୍ଟା କରିବି। ଲୋକମାନେ ଆସି ପ୍ରଶାସନ ପାଖରେ ଛିଡ଼ା ହେବା ଦରକାର ପଡ଼ିବନି। ଲୋକମାନଙ୍କୁ ସଶକ୍ତ କରି ସେମାନଙ୍କ ଜୀବନଶୈଳୀର ମାନ ବଢ଼ାଇବାକୁ ଉଦ୍ୟମ କରିବି।

ଓଡ଼ିଶା ପାଇଁ ଏବେ କ’ଣ ସବୁ ବଡ଼ ଆହ୍ବାନ ରହିଛି?
ଓଡ଼ିଶା ଏବେ ବିଭିନ୍ନ ଦିଗରେ ବହୁ ଉନ୍ନତି କରୁଛି। କିନ୍ତୁ ବିକାଶ ପ୍ରକ୍ରିୟା ଓ ଲକ୍ଷ୍ୟ ଭିତରେ କିଛି ବ୍ୟବଧାନ ରହିଛି। କିଛି କ୍ଷେତ୍ର ରହିଛି, ଯେଉଁଠି ବିକାଶ ଦରକାର। ଭିତ୍ତିଭୂମି, ପରିବହନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରିବାକୁ ପଡ଼ିବ। କଟକ, ଭୁବନେଶ୍ବରରେ ଭଲ ସ୍ବାସ୍ଥ୍ୟସେବା ମିଳୁଥିଲା ବେଳେ ରାଜ୍ୟର ଅନ୍ୟ ଭାଗରେ ଏହା ନାହିଁ। ମୋ ମା’ଙ୍କ ଅସୁସ୍ଥତା ସମୟରେ ଏହା ମୁଁ ଅନୁଭବ କରିଛି।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପିଲାମାନେ ୟୁପିଏସ୍‌ସି ପରୀକ୍ଷାରେ ସେତେ ସଫଳ ନୁହନ୍ତି, ଏହାର କାରଣ କ’ଣ ହୋଇପାରେ?
ଅବଶ୍ୟ ଏବେ ଓଡ଼ିଶାର ପିଲାମାନେ ଅଧିକ ସଫଳ ହେଉଛନ୍ତି। ତଥାପି ଏହା ପର୍ଯ୍ୟାପ୍ତ ନୁହେଁ। ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ଏମିତି ହେଉଥିବା ଅନୁଭବ ହେଉଛି। ଉତ୍ତମମାନର ପାଠ୍ୟସାମଗ୍ରୀ ମିଳୁନି। ସିଭିଲ୍ ସର୍ଭିସ୍ ପାଇଥିବା ଅଧିକାରୀମାନେ ସେମାନଙ୍କ ଅଭିଜ୍ଞତା ଆଶାୟୀମ‌ାନଙ୍କ ସହ ବାଣ୍ଟିଲେ ଅଧିକ ସଫଳତା ମିଳିବ ବୋଲି ମୁଁ ଆଶା କରୁଛି।

ଓଡ଼ିଆ ମାଧ୍ୟମରେ ପାଠ ପଢୁଥିବା ପିଲାମାନେ ୟୁପିଏସ୍‌ସିରେ ସଫଳ ହେବା କଷ୍ଟକର କି?
ବହୁତ ପିଲା ଓଡ଼ିଆ ମାଧ୍ୟମ ସ୍କୁଲ୍‌ରେ ପଢ଼ି ଆଇଏଏସ୍‌ ହେଉଛନ୍ତି। ତେବେ ଇଂରାଜୀ ମାଧ୍ୟମ ପାଇଁ ଏ ପ୍ରକ୍ରିୟା ସାମାନ୍ୟ ସହଜ ହୋଇପାରେ। ବହୁ ପାଠ୍ୟସାମଗ୍ରୀ ଇଂରାଜୀରେ ହୋଇଥିବାରୁ ପ୍ରସ୍ତୁତି ସମୟରେ ଏହା ସହାୟକ ହୋଇଥାଏ। ଏହାର ଅର୍ଥ ନୁହେଁ, ଓଡ଼ିଆ ମାଧ୍ୟମ ପିଲା ପଛରେ ପଡ଼ିଯିବେ। ଭାଷା ଗୋଟିଏ ପ୍ରତିବନ୍ଧକ ଭାବେ କେବେ ବି ଛିଡ଼ା ହୋଇପାରିବ ନାହିଁ।

ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ସକ୍ରିୟ ରହି ପିଲାମାନେ କ୍ୟାରିୟର୍‌ ଖରାପ ହେଉଥିବା ଅଭିଯୋଗ ହୁଏ। ଆପଣଙ୍କ ମତ କ’ଣ?
ମୁଁ ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ନୁହେଁ। ତଥାପି ଇନ୍‌ଷ୍ଟାଗ୍ରାମ୍‌ରେ ଦିନକୁ ୨୦ରୁ ୩୦ ମିନିଟ୍‌ ସମୟ ଦିଏ। ମନକୁ ହାଲକା କରିବା ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ଖରାପ ନୁହେଁ। ଅଯଥା ସମୟ ବରବାଦ କଲେ ଏହାର କୁପ୍ରଭାବ ପଡ଼ିବ।

ସମ୍ବନ୍ଧିତ ଖବର