ପ୍ରିୟଙ୍କାଙ୍କୁ ରାହୁଲ ଗୋଷ୍ଠୀ ଅଣଦେଖା କରୁଛି: ବିଜେପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥି ଆସନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା‌। ରବର୍ଟ ମଧ୍ୟ ଆମେଥିରେ ତାଙ୍କର ଲୋକପ୍ରିୟତା ଥିବା ଦାବି କରିଥିଲେ। କିନ୍ତୁ ସେମିତି କିଛି ହେଲାନି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଉକ୍ତ ଆସନରେ ଗତକାଲି କିଶୋରୀ ଲାଲ୍‌ ଶର୍ମାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ଏହି ପ୍ରସଙ୍ଗରେ ବିଜେପି ଆଜି କଂଗ୍ରେସକୁ କଟାକ୍ଷ କରିଛି। ବିଜେପି ନେତା ଅମିତ ମାଲବୀୟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଗୋଷ୍ଠୀ ଆମେଥି ଆସନ ପାଇଁ ରବର୍ଟ ଭଦ୍ରାଙ୍କୁ ଅଣଦେଖା କରିବା ସହ ସେଠାରେ ପ୍ରିୟଙ୍କାଙ୍କୁ ମଧ୍ୟ ଗୁରୁତ୍ବ ଦେଉନାହିଁ। ଭଦ୍ରା ଆମେଥି ଆସନରେ ଲୋକପ୍ରିୟତା ଥିବା ଦାବି କରିଥିଲେ ସୁଦ୍ଧା ରାହୁଲଙ୍କ ଗୋଷ୍ଠୀ ଏଥିପ୍ରତି ଗୁରୁତ୍ବ‌ ଦେଇନାହାନ୍ତି ବୋଲି ମାଲବୀୟ କହିଛନ୍ତି। ଏଥିପାଇଁ ପ୍ରିୟଙ୍କା ଖୁବ୍‌ଶୀଘ୍ର କଂଗ୍ରେସ ନେତୃବୃନ୍ଦଙ୍କ ବିରୋଧରେ ବିଦ୍ରୋହ କରିପାରନ୍ତି ବୋଲି ସେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ରବର୍ଟ ଭଦ୍ରା ଗତମାସରେ ଦାବି କରିଥିଲେ ଯେ ଆମେଥିରେ ତାଙ୍କର ଲୋକପ୍ରିୟତା ଅଛି ଏବଂ ସେ ସକ୍ରିୟ ରାଜନୀତିରେ ରୁହନ୍ତୁ ବୋଲି ଦେଶବାସୀ ଚାହାନ୍ତି। ‘ମୁଁ ପରିବର୍ତ୍ତନ ଆଣିପାରିବି ବୋଲି ଯଦି କଂଗ୍ରେସ ଦଳ ଅନୁଭବ କରୁଛି ତେବେ ମୁଁ ସକ୍ରିୟ ରାଜନୀତିରେ ରହିବି’ ବୋଲି ସେ କହିଥିଲେ।

ଇତିମଧ୍ୟରେ ପୂର୍ବତନ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରୀଷ୍ଣମ ଦାବି କରିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଏକ ବଡ଼ ଧରଣର ଷଡ଼୍‌ଯନ୍ତ୍ର ହୋଇଛି। ରାହୁଲ ଗାନ୍ଧୀ ଯଦି ଆମେଥିରୁ ନିର୍ବାଚନ ଲଢ଼ିବାକୁ ଚାହୁନଥିଲେ ତେବେ ସେ ବାରାଣସୀରେ ନିର୍ବାଚନ ଲଢ଼ିବାର ଥିଲା। ସୋନିଆ ରାଏବରେଲି ଆସନ ଛାଡ଼ିବା ପରେ ପ୍ରିୟଙ୍କା ଉକ୍ତ ଆସନରେ ନିର୍ବାଚନ ଲଢ଼ିବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସେମିତି ନହୋଇ ରାହୁଲ ରାଏବରେଲି ଆ‌ସନରୁ ନିର୍ବାଚନ ଲଢ଼ିବାରୁ ଏହି ଦଳର ମୂଳପୋଛ ନିଶ୍ଚିତ ବୋଲି ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି।

ସମ୍ବନ୍ଧିତ ଖବର