ପ୍ରଜ୍ୱଳଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିପାରେ ସିବିଆଇ

ବେଙ୍ଗାଲୁରୁ: ଏନ୍‌ଡିଏର ହାସନ ଲୋକସଭା ଆସନ ପ୍ରାର୍ଥୀ ପ୍ରଜ୍ୱଳ ରେବନ୍ନା ଓ ତାଙ୍କ ପିତା ଏଚ୍‌ଡି ରେବନ୍ନାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାସନ ସାଂସଦଙ୍କ ବିରୋଧରେ ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜାରି କରିବାର ସମ୍ଭାବନା ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ାଙ୍କ ନାତି ତଥା ହାସନରୁ ଦଳର ସାଂସଦ ୩୩ ବର୍ଷୀୟ ପ୍ରଜ୍ବଳ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସେପଟେ ପ୍ରଜ୍ୱଳଙ୍କ ପିତା ଏଚ୍‌ଡି ରେବନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ଏହି ମାମଲାରେ ପ୍ରାୟ ୭୦୦ ନାଗରିକ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲୁ)କୁ ଏକ ଖୋଲା ଚିଠି ଲେଖି ରେବନ୍ନା ପିତା-ପୁତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଶନିବାର ପ୍ରଜ୍ୱଳ ରେବନ୍ନା ସେକ୍ସ ଟେପ୍ ମାମଲାର ତଦନ୍ତ କରୁଥିବା ଶୀର୍ଷ ପୁଲିସ ଏବଂ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ସହିତ ଏକ ଜରୁରୀ ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଯେ ପ୍ରଜ୍ୱଳଙ୍କ ବିରୋଧରେ ସିବିଆଇ ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜାରି କରିବାର ସମ୍ଭାବନା ରହିଛି। ପ୍ରଜ୍ୱଳଙ୍କ ପିତାଙ୍କୁ ଦେଶ ଛାଡ଼ି ପଳାଇଯିବାରୁ ରୋକିବା ପାଇଁ ସ୍ପେସାଲ ଇନଭେଷ୍ଟିଗେସନ୍ ଟିମ୍ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏଚ୍‌ଡି ରେବନ୍ନାଙ୍କ ସହ ଜଡ଼ିତ ଏକ ଅପହରଣ ମାମଲାର ତଦନ୍ତକୁ ମଧ୍ୟ ଜୋରଦାର କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ।
ମାଣ୍ଡ୍ୟାର ପୂର୍ବତନ ସାଂସଦ ତଥା ବିଜେପି ନେତା ଏଲ୍‌ଆର୍ ଶିବରାମେ ଗୌଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ଏଚ୍‌ଡି ରେବନ୍ନା ଜଣେ ଅଭ୍ୟାସଗତ ଅପରାଧୀ ଏବଂ ସେ ପୂର୍ବରୁ ମଧ୍ୟ ଏଭଳି ମାମଲାରେ ସମ୍ପୃକ୍ତ ଥିଲେ, ଯେତେବେଳେ ସେମାନେ ଦୁହେଁ ୩୦ ବର୍ଷ ପୂର୍ବେ ଇଂଲଣ୍ଡ ଗସ୍ତ କରିଥିଲେ। ରେବନ୍ନାଙ୍କ ଘନିଷ୍ଠ ସହଯୋଗୀ ସତୀଶଙ୍କ ମୋବାଇଲ୍ ଫୋନ୍‌କୁ ପୁଲିସ ଜବତ କରିଛି।

ମୋବାଇଲ ଫୋନକୁ ଫରେନସିକ୍ ସାଇନ୍ସ ଲାବୋରେଟୋରି ଟିମ୍‌କୁ ପଠାଯାଇଛି। ସେକ୍ସ ଟେପ୍ ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ ଏସ୍‌ଆଇଟି ସପର୍ଟ ଷ୍ଟାଫ୍‌ଙ୍କୁ ନିଯୁକ୍ତ କରିଛି। ଜଣେ ଏସ୍‌ପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ୮ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଟିମ୍‌ରେ ଅଧିକ ଅଫିସର ନିଯୁକ୍ତ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା। ପ୍ରଜ୍ୱଳ ରେବନ୍ନାଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ରାହୁଲ ଗାନ୍ଧୀ ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଚିଠି ଲେଖି ପୀଡ଼ିତଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏଚ୍‌ଡି ରେବନ୍ନାଙ୍କ ବାସଭବନ ପରିଦର୍ଶନ କରିଛନ୍ତି। ଟିମ୍‌ର ଗସ୍ତ ସମୟରେ ରେବନ୍ନାଙ୍କ ଓକିଲମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର