ବମିଖାଲ ଓଭରବ୍ରିିଜ୍‌ ଦୁର୍ଘଟଣା: ମୃତ ଶ୍ରମିକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 

ଭୁବନେଶ୍ୱର: ଗତକାଲି ରାତି ପ୍ରାୟ ୯ଟା ୪୫ ମିନିଟ ସମୟରେ ବମିଖାଲ ଓଭରବ୍ରିଜ୍‌ର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ବେଳେ ସେଣ୍ଟ୍ରିଂ ତଳେ ଚାପି ହୋଇ ଅଜୟ ଭୂମିଚ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି  ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ମୃତ ଅଜୟଙ୍କ ନିକଟ ସମ୍ପର୍କୀୟଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହିତ  ଆହତ ଶ୍ରମିକ ଅନନ୍ଦ କୁମାର ନାୟକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।ସେହିପରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଅପରପକ୍ଷେ ଏହି ଓଭରବ୍ରିଜ୍‌ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରାର ମାଲିକଙ୍କୁ ଅଟକ ରଖିଛିି ପୁଲିସ।

ସୂଚନାଯୋଗ୍ୟ ଯେ  ଗତବର୍ଷ ସେପ୍ଟେମ୍ବର ୧୦ତାରିଖରେ ନିର୍ମାଣାଧୀନ ବ୍ରିଜ୍‌ର ଏକ ସ୍ଲାବ୍‌ ଖସିପଡ଼ିବାରୁ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ସତ୍ୟଙ୍କ ଝିଅ ଶୀତଲଙ୍କ ସମେତ ୧୫ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ପଣ୍ଡା ଇନଫ୍ରାଷ୍ଟ୍ରକଚର ମାଲିକ, ମ୍ୟାନେଜରଙ୍କ ସମେତ ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା।

ସମ୍ବନ୍ଧିତ ଖବର