ଡକାୟତି ଘଟଣାରେ ସମ୍ପୃକ୍ତ ବାରଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରାଜଜ୍

ଧର୍ମଗଡ: ୨୦୨୨ ମସିହାରେ ଧର୍ମଗଡ଼ ଥାନା ଅନ୍ତର୍ଗତ ଖଇରପଦର ଗ୍ରାମରେ ବାସ କରୁଥିବା ପଦ୍ମଲୋଚନ ଆଚାର୍ଯ୍ୟଙ୍କ ଘରେ ଡକାୟତମାନେ ପଶି ୧ଲକ୍ଷ ୪୪ ହଜାର ଟଙ୍କା ଓ ତିନି ତୋଳା ସୁନା ଅଳଙ୍କାର ଡକାୟତି କରିନେଇ ଯାଇଥିବା ଧର୍ମଗଡ଼ ଥାନାରେ ଗତ ୨୦୨୨ ମସିହା ମେ ମାସ ୨ ତାରିଖରେ ଗୃହକର୍ତ୍ତା ଲିଖିତ ଏତଲା ପ୍ରଦାନ କରିଥିଲେ | ଏତଲାକୁ ଭିତ୍ତିକରି ଧର୍ମଗଡ଼ ପୁଲିସ ଥାନା କେଶ ନମ୍ବର ୧୦୪ ବଳରେ ତଦନ୍ତ ଆରମ୍ଭ କରିଥିଲେ ହେଁ ତୁରନ୍ତ କୌଣସି ସଫଳତା ମିଳିନଥିଲା। କରୋନା ପ୍ରଶମନର ଶେଷ ପର୍ଯ୍ୟାୟରେ ସ୍ଥାନୀୟ କିଛି ସହଯୋଗୀଙ୍କ ସହାୟତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର କିଛି ପେଶାଦାର ଡକାୟତ ଧର୍ମଗଡ଼ ଉପଖଣ୍ଡର ଜୟପାଟଣା, ଗୋଲାମୁଣ୍ଡା, କୋକସରା, ଆମ୍ବପାଣି ଓ ଧର୍ମଗଡ଼ ଥାନା ଅଞ୍ଚଳରେ ସଶସ୍ତ୍ର ଆକ୍ରମଣ କରି ଏକାଧିକ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଡକାୟତି କରିବା ସହ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲେ। ଏପରିକି ଏହାକୁ ପ୍ରତିହତ କରିବାପାଇଁ ଗାଁ ଗାଁ ରେ ଯୁବକମାନେ ରାତିତମାମ ଠେଙ୍ଗା ବାଡ଼ି ଧରି ପହରା ଦେବା ଦେଖିବାକୁ ମିଳିଥିଲା। ବିଭିନ୍ନ ଥାନାର ଏତଲାକୁ ଭିତ୍ତି କରି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି. ଅଭିଳାଷଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏପରି କାର୍ଯ୍ୟକଳାପ ଉପରେ କଡା ନଜର ରଖାଯାଇଥିଲା।

ଧର୍ମଗଡ଼ ପୋଷ୍ଟ ଅଫିସରେ ଡକାୟତି ଉଦ୍ୟମ ବିଫଳ ହେବାପରେ ସେଠାରୁ ପୁଲିସକୁ ଅନେକ ସାହାଯ୍ୟକାରୀ ସୁରାକ ହସ୍ତଗତ ହୋଇଥିଲା। ଜୟପାଟଣାଠାରେ ଥିବା ଏକ ଅଳଙ୍କାର ଦୋକାନକୁ ଆସୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ଚଢ଼ାଉ କରି ପୁଲିସ ଶେଷରେ ସଫଳତା ପାଇବା ସହ ଡକାୟତ ଘଟଣାରେ ସମ୍ପୃକ୍ତ ଦୁଇଜଣକୁ ଗହଣା ଦୋକାନରୁ ଗିରଫ କରିଥିଲା। ପୁଲିସ ଅନୁସନ୍ଧାନ ବେଳେ ଉଭୟ ଅଭିଯୁକ୍ତ ସେମାନେ ଖଇରପଦର ଗ୍ରାମ ଡକାୟତିରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ସହ ଏକ ବଡ ଡକାୟତ ଦଳ ଟୁନା ହରିଜନର ନେତୃତ୍ୱରେ ସମଗ୍ର ଅଞ୍ଚଳରେ ଡକାୟତି କରିଥିବା ସତ ମାନିଯାଇଥିଲେ। ଏପରିକି ଚୋରି ସୁନା ଅଳଙ୍କାର ସେମାନେ ସଂପୃକ୍ତ ଅଳଙ୍କାର ଦୋକାନରେ ବିକ୍ରି କରି ପ୍ରଚୁର ଅର୍ଥ ପାଉଥିବା ସ୍ୱୀକାର କରିଥିଲେ। ଖଇରପଦର ଡକାୟତି ପାଇଁ ସେହି ଗ୍ରାମର ଡାକ କର୍ମଚାରୀ ପରମେଶ୍ୱର ବାଗର ସୂଚନା ଓ ମୁଖ୍ୟ କାର୍ପଟଦାର ଟୁନା ହରିଜନ ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁସାରେ ସେମାନେ ଦଳଗତ ଭାବେ ଏହି ଡକାୟତି ଭିଆଇଥିବା ସ୍ୱୀକାର କରିଥିଲେ। ଗିରଫ ଅଭିଯୁକ୍ତମାନଙ୍କ ସୂଚନାକୁ ଭିତ୍ତି କରି ତଦନ୍ତ ଭାର ଗ୍ରହଣ କରିଥିବା ଧର୍ମଗଡ଼ ଥାନା ଅଧିକାରୀ ଶ୍ରୀମତୀ ଦୀପାଞ୍ଜଳି ପ୍ରଧାନ ସମସାମୟିକ ଡକାୟତି ଘଟଣାରେ ଗିରଫ ସହଯୋଗୀ ଡକାୟତମାନଙ୍କୁ ଠାବ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଅଭିଯୁକ୍ତମାନେ ଏହି ଡକାୟତି ଘଟଣାରେ ପ୍ରମାଣ କ୍ରମେ ସମ୍ପୃକ୍ତ ହୋଇ ବିଚାର ସମ୍ମୁଖୀନ ହୋଇଥିଲେ।

ପ୍ରାୟ ଦୁଇ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ, ଉପଲବ୍ଧ ପ୍ରମାଣ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ସିଟି କେଶ ନମ୍ବର ୦୨/୦୨/ ୨୦୨୩ ମକଦ୍ଦମାର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଡକାୟତ ଦଳର ବାର ଜଣ ଡକାୟତ ଜଗନ୍ନାଥ ହରିଜନ, ଲାଲଧର ହରିଜନ, ସୋମେଶ୍ୱର ନାଏକ, ରୋହିତେଶ୍ୱର ନିଆଲ, ଗୋବିନ୍ଦ ହରିଜନ, କୁମାର ହରିଜନ, ସଲମାନ ହରିଜନ, ଦଳପତି ହରିଜନ, ଦୀନେଶ ବୈଠାରୁ, ମୋହନ ପୁଝାରୀ, ପରମେଶ୍ବର ବାଗ ଓ ଟୁନା ଓରଫ୍ ସିମନ୍ ନାଗକୁ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୯୫ ବଳରେ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଛଅ ମାସ ଜେଲ ଦଣ୍ଡ ଓ ସେହିପରି ଭାରତୀୟ ପିଙ୍ଗଳ କୋଡ଼ ଦଫା ୪୫୭ ବଳରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ତିନି ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ। ଏକାଧିକ ଡକାୟତି ମାମଲାରେ ସଂପୃକ୍ତ ଥିବା ଏହି ଡକାୟତ ଦଳ ଏକଦା ଅଞ୍ଚଳର ଜନଜୀବନ ପାଇଁ ବିପଦ ସୃଷ୍ଟି କରିଥିବା ଯୋଗୁଁ ଏମାନେ କଠୋର ଦଣ୍ଡରେ ଦଣ୍ଡିତ ହେବା ବିଧେୟ ବୋଲି ମତ ପ୍ରକାଶ ପାଇବା ସହ ଏପରି ରାୟ ବିଚାର ବିଭାଗ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି କରିଛି।

ସମ୍ବନ୍ଧିତ ଖବର