ଭୁବନେଶ୍ବର: ମହାମାରୀ କରୋନା କେବଳ ଭାରତ ନୁହେଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଗୁଡିକୁ ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ ପ୍ରଭାବିତ କରିଛି । ହେଲେ ଏହାରି ଭିତରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଅନେକ ଥର ବିଶ୍ୱ ପାଇଁ ଉଦାହରଣ ସାଜିଥିବା ଓଡ଼ିଶା ପୁଣି ଏକ ଆନୁସଙ୍ଗିକ ପଦକ୍ଷେପ ନେଇଛି । ରାଜ୍ୟ ସରକାର କରୋନା ସମୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ପାଖାପାଖି ୧ ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ରଖିଛନ୍ତି ଓଡିଶା ସରକାର । ଆଉ ଏଭଳି ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ହେଉଛି ଏକ ନମ୍ବର ରାଜ୍ୟ ।
ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡର ଓ ଅବଢା ଯୋଜନା କରାଯାଇଛି । ୫ଟି କାର୍ଯ୍ୟକ୍ରମ ଅଧିନରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ଉନ୍ନତି ପାଇଁ ଏକାମ୍ର ଯୋଜନା ଏବଂ ଖୁବ ଶୀଘ୍ର ସମ୍ବଲପୁରର ପ୍ରସିଦ୍ଧ ମାଆ ସମଲେଶ୍ୱରୀ ପୀଠର ବିକାଶ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ସ୍ଥାପନ ସହ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ହେବ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ।