ଜେଲ୍‌ରେ ଗିରଫ ଓକିଲଙ୍କୁ ଭେଟିଲା କଂଗ୍ରେସ

ସମ୍ବଲପୁର : ଗୁରୁବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏବଂ କୋଶଲ ରାଏଜ୍ ସମନ୍ବୟ ସମିତିର ପ୍ରତିନିଧି ଦଳ ଅଲଗା ଅଲଗା ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣାରେ ଗିରଫ ହୋଇ ଜେଲ୍ ହାଜତ‌ରେ ଥିବା ଓକିଲମାନଙ୍କୁ ଭେଟିଛନ୍ତି। ସେଦିନର ଘଟଣା ସହିତ ବିଭିନ୍ନ ପ୍ରସଂଗରେ ଓକିଲମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ସାରି ଫେରିବା ପରେ ନ୍ୟାୟପାଳିକା ଉପରେ ଆମର ଭରସା ରହିଛି, ଶୀଘ୍ର ଓକିଲମାନଙ୍କୁ ନ୍ୟାୟ ମିଳିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

କଂଗ୍ରେସର ଏହି ପ୍ରତିନିଧ ଦଳରେ ପୂର୍ବତନ ବିଧାୟକ ତଥା ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ, କୁଚିଣ୍ଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ରେଂଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡ଼ିଆ, ବରିଷ୍ଠ ନେତା ଦୁର୍ଗା ପାଢ଼ୀ, ବିଧୁଭୂଷଣ ତ୍ରିପାଠୀ, ଦୁଲାଲ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ସେହିପରି କୋଶଲ୍ ରାଏଜ୍ ସମନ୍ଵୟ ସମିତିର ଆବାହକ ପ୍ରଶାନ୍ତ କୁମାର ମାଝୀଙ୍କ ନେତୃତ୍ୱରେ ଓକିଲଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ସମିତିର ବରଗଡ଼ ଜିଲ୍ଲା ସଙ୍ଗଠନ ସଂପାଦକ ସୁରେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରୀୟ କାର୍ଯ୍ୟାଳୟ ସଂପାଦକ ଦୀପକ କୁମାର ରଥଙ୍କ ସହିତ କୋଶଲ୍ କ୍ରାନ୍ତି ସେନାର ଆବାହକ ଅର୍ପଣ ନାୟକ ପ୍ରମୁଖ ସାମିଲ ଥିଲେ।

ଏହି ପ୍ରତିନିଧି ଦଳ ସମ୍ବଲପୁର ମଣ୍ଡଳ କାରାଗାରରୁ ବାହାରି ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟକୁ ଯାଇ ଆଇନଜୀବୀମାନଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସହ-ଆବାହକ ପ୍ରମୋଦ ଦାଶ, ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଅତନୁ ଘୋଷ, ବରିଷ୍ଠ ସଦସ୍ୟ ରବିନ୍ଦ୍ର ଦେବତା, ଲକ୍ଷ୍ମଣ ପାଣିଗ୍ରାହୀ, ଚନ୍ଦ୍ରମୋହନ ପୁରୋହିତ, ଦିଲୀପ ପଣ୍ଡା, ପରିତୋଷ ପାଣିଗ୍ରାହୀଙ୍କ ସମେତ ଅନେକ ଆଇନଜୀବୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର