ଗଣତନ୍ତ୍ରକୁ ଦଳତନ୍ତ୍ରରେ ପରିଣତ କରାନଯାଉ

ଡାକ୍ତର ଦାମୋଦର ରାଉତ

ଆମର ସଂଘୀୟ ସଂବିଧାନରେ କେନ୍ଦ୍ର ଓ ରାଜ୍ୟର ସମ୍ପର୍କ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ କରାଯାଇଛି। କେନ୍ଦ୍ର ସରକାର ହେଉଛନ୍ତି ଜାତୀୟ ସରକାର ବା ୟୁନିଅନ ଗଭର୍ନମେଣ୍ଟ ଏବଂ ଏହି ସଂଘୀୟ ସରକାରଙ୍କୁ ରେଳବାଇକୁ ଛାଡ଼ିଦେଲେ ଅନ୍ୟ କୌଣସି ସୂତ୍ରରୁ ସିଧାସଳଖ ରାଜସ୍ୱ ମିଳେ ନାହିଁ। ସବୁ ରାଜ୍ୟର ବିଭିନ୍ନ ପ୍ରକାର କେନ୍ଦ୍ରୀୟ ଟ୍ୟାକ୍ସରୁ ଯେଉଁ ଅର୍ଥ ପୈଠ କରାଯାଏ ସେଥିରେ କେନ୍ଦ୍ର ସରକାରଙ୍କ ପାଣ୍ଠି ସୃଷ୍ଟି ହୁଏ। ଦେଶର ପ୍ରଧାନମନ୍ତ୍ରୀ ଦଳୀୟ ପ୍ରଧାନମନ୍ତ୍ରୀ ନୁହନ୍ତି। ତେଣୁ କେନ୍ଦ୍ର ପାଣ୍ଠିକୁ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କଲାବେଳେ ସବୁ ରାଜ୍ୟର ସମନ୍ବିତ ବିକାଶକୁ ଭିତ୍ତି ଭାବରେ ବିଚାର କରାଯାଏ। ଅନ୍ୟ ଅର୍ଥରେ କହିଲେ, ସବୁ ରାଜ୍ୟକୁ ସମାନ ଭାବରେ ବିକଶିତ କରାଇ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ହେଉଛି ଆମ ସଂଘୀୟ ସଂବିଧାନର ନୀତି ଓ ନିର୍ଦ୍ଦେଶ। ମାତ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ଦଳୀୟ ଭାବନା ନେଇ କାର୍ଯ୍ୟ କରୁଛନ୍ତି। ଫଳରେ ରାଜ୍ୟ-ରାଜ୍ୟ ଭିତରେ ଆର୍ଥିକ ଓ ସାମାଜିକ ବୈଷମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ଏକ ନଗ୍ନ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ପ୍ରଧାନମନ୍ତ୍ରୀଙ୍କ ମାଗଣା ଚାଉଳ ବଣ୍ଟନ। ବାସହୀନଙ୍କୁ ବାସଗୃହ ଯୋଗାଇ ଦେବା ଏକ ଜାତୀୟ ନୀତି ଏବଂ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ଆଇନ ହେଉଛି ଏକ ଜାତୀୟ ନୀତି। ମାତ୍ର ଦେଖାଯାଉଛି ଯେ କେନ୍ଦ୍ର ମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାକୁ ଏବଂ ମାଗଣା ଚାଉଳ ବଣ୍ଟନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ନିଜସ୍ୱ ପାଣ୍ଠି ତଥା ସମ୍ପତ୍ତି ବୋଲି ବିଚାର କରୁଛନ୍ତି।

ଯେ କୌଣସି ରାଜ୍ୟର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ହେଉଛି ରାଜ୍ୟ ସରକାରଙ୍କର ସାମ୍ବିଧାନିକ ଦାୟିତ୍ୱ। ରାଜ୍ୟ ସରକାରମାନେ ଏହି ଦାୟିତ୍ୱ ତୁଲାଇବା ପାଇଁ ସବୁ ରାଜ୍ୟର ସମନ୍ବିତ ବିକାଶ ନିମିତ୍ତ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି। ମାତ୍ର ଆମ ସଂଘୀୟ ସଂବିଧାନର ନୀତି ନିର୍ଦ୍ଦେଶକୁ ଦୃଷ୍ଟି ନ ଦେଇ ମୋଦୀ ସରକାର ଓ ତାଙ୍କ ଦଳ ଭାରତୀୟ ଗଣତନ୍ତ୍ରକୁ ଦଳତନ୍ତ୍ରରେ ପରିଣତ କରିବା ପାଇଁ ଉଦ୍ୟମ କରିଚାଲିଛନ୍ତି। ଆମ ସଂଘୀୟ ବ୍ୟବସ୍ଥାର ସ୍ଥିରୀକୃତ ନୀତି ନିୟମ ସମ୍ପର୍କରେ ଭୁବନେଶ୍ୱର ସାଂସଦ ନିଶ୍ଚୟ ଅବଗତ ଥିବେ। କାରଣ ସର୍ବ ଭାରତୀୟ ସେବାର ଜଣେ ପଦାଧିକାରୀ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦରେ ସେ କାର୍ଯ୍ୟ କରୁଥିଲେ। ସେତେବେଳେ ସରକାରଙ୍କ ଟଙ୍କିକିଆ ଚାଉଳ ହେଉ ବା ଆବାସ ଯୋଜନା ବଣ୍ଟନ ହେଉ, ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପଦାଧିକାରୀ ଭାବେ ସେଗୁଡ଼ିକୁ ପ୍ରଶଂସା କରୁଥିଲେ, କିନ୍ତୁ ଏବେ ନିନ୍ଦା କରୁଛନ୍ତି। କଲ୍ୟାଣମୂଳକ ଯୋଜନାରେ ହିତାଧିକାରୀ ଚୟନ କରିବା ସାଂସଦଙ୍କ ସହଯୋଗୀ ଅଫିସର ଓ ଅମଲାଙ୍କ ଦାୟିତ୍ୱ। ହିତାଧିକାରୀ ଚୟନ ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି। ଏ ପଦ୍ଧତିକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ରାଜ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କର ନୁହେଁ। ଏ ସଂପର୍କରେ ଯଦି ତ୍ରୁଟି ବିଚ୍ୟୁତି ରହିଛି ତେବେ ସାଂସଦ ସମ୍ପୃକ୍ତ ଜିଲ୍ଲାପାଳ ଓ ତାଙ୍କର ଅଧସ୍ତନ କର୍ମଚାରୀମାନଙ୍କୁ ଦାୟୀ ନକରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ଏକ ରୁଗ୍‌ଣ ମାନସିକତା ବୋଲି କହିବାକୁ ହେବ। କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ କେନ୍ଦ୍ରୀୟ ପାଣ୍ଠି ସହାୟତାରେ କୌଣସି ଯୋଜନା କାର୍ଯ୍ୟକାରି କରିବା ରାଜ୍ୟ ସରକାରଙ୍କର ଦାୟିତ୍ୱ।

ଏ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ କିମ୍ବା ସରକାରୀ ପଦାଧିକାରୀ ସମୀକ୍ଷା କରିବାରେ ଆପତ୍ତି ନାହିଁ, କିନ୍ତୁ ଅକାରଣେ ରାଜ୍ୟ ସରକାରଙ୍କୁ ନିନ୍ଦା କରିବା ସଂବିଧାନ ସ୍ୱୀକୃତ ହୋଇ ନପାରେ। ରାଜ୍ୟବାସୀଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ଆମର ସଂଘୀୟ ସଂବିଧାନ ନିକଟରେ ଉତ୍ତରଦାୟୀ। ଏ କଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ବିଜେପିର ନେତାମାନେ ବୁଝି ବିଚାରି ଦାୟିତ୍ୱ ନ ତୁଲାଇ ଦଳୀୟ ସ୍ୱାର୍ଥ ପାଇଁ ବୟାନବାଜି କରିବା ଆଦୌ ସ୍ପୃହଣୀୟ ହୋଇ ନ ପାରେ। ନିକଟରେ ‘ନିତି’ ଆୟୋଗ ଏକ ସମୀକ୍ଷାରେ ପ୍ରକାଶ କରିଛନ୍ତି ଯେ, ଓଡ଼ିଶାରେ ପ୍ରତି ତିନି ଜଣରେ ଜଣେ ଗରିବ ଏବଂ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରତି ୧୦୦ ଜଣରେ ୫୯ ଜଣ ହେଉଛନ୍ତି ଗରିବ। ଏହି ସମୀକ୍ଷାକୁ ଆଧାର କରି ଚାଉଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଜାତୀୟ ନୀତି ଅନୁସାରେ ଅନୁଦାନ ଯୋଗାଇ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ ବିଜେପିର ନେତାମାନେ ତଥ୍ୟ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରୀୟ ଭାବନା କିଭଳି ପ୍ରତିଫଳିତ ହୋଇଛି, ତାହା ରାଜ୍ୟବାସୀ ଜାଣନ୍ତେ।
ପୂର୍ବତନ ମନ୍ତ୍ରୀ, ଓଡ଼ିଶା

ସମ୍ବନ୍ଧିତ ଖବର