ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ଚିଠିକୁ ନେଇ ସନ୍ଦେହ

ବ୍ୟାସନଗର : ଗତ ୨୪ ତାରିଖ ସୋମବାର ଦୀପାବଳି ଉତ୍ସବ ସମୟରେ ଯାଜପୁରରୋଡ ଥାନା ଅନ୍ତର୍ଗତ ଦଳା ଛକସ୍ଥିତ କଳିଙ୍ଗ ହାୟର ସେକେଣ୍ଡାରି ସ୍କୁଲ୍‌ ହଷ୍ଟେଲରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ସମ୍ପୃକ୍ତ ଛାତ୍ରଙ୍କ ମୃତଦେହ ପୁଲିସ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜବତ କରିଥିଲା। ପରେ ସମ୍ପୃକ୍ତ ହଷ୍ଟେଲରେ ମୃତ ଛାତ୍ର ତ୍ରିଲୋଚନ ଓଝାଙ୍କ ରୁମ୍‌ ଯାଞ୍ଚ କରିଥିଲା। ଏହି ସମୟରେ ସେଠାରେ ଥିବା ଏକ ବାକ୍ସରୁ ପୁଲିସ ଦୁଇଟି ଚିଠି ଜବତ କରିଛି। ଏବେ ଏହି ଚିଠିକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଛାତ୍ରଜଣକ ଗୋଟିଏ ଚିଠି ମାଆଙ୍କୁ ଲେଖିଥିବା ବେଳେ ଅନ୍ୟ ଗୋଟିଏ ଚିଠି ସାନଭାଇକୁ ଲେଖିଥିଲେ। ଯେଉଁ ଚିଠିରେ ତ୍ରିଲୋଚନ ତାଙ୍କ ମା’ଙ୍କୁ ଘରୋଇ ସ୍କୁଲ୍‌ରେ ପଢ଼ିବାକୁ ଚାହୁ ନଥିବା ବେଳେ ମା’ଙ୍କ ବାଧ୍ୟବାଧକତାରେ ପଢ଼ିଥିଲେ ବୋଲି ଦର୍ଶାଇଛନ୍ତି। ଯେଉଁଥି ପାଇଁ ତାଙ୍କର ସାମର୍ଥ୍ୟ ନଥିଲା, ଫଳରେ ବାପାମା’ଙ୍କ ସ୍ଵପ୍ନ ସାକାର କରିପାରିବେ ନାହିଁ ବୋଲି ଦର୍ଶାଇ ଆତ୍ମହତ୍ୟା କରୁଛନ୍ତି ବୋଲି ସେ ଚିଠିରେ ଲେଖିଥିଲେ।

ଏହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ବହୁ ଅଭିଭାବକ ଏନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଚିଠିରେ ତ୍ରିଲୋଚନ ମା’ଙ୍କୁ ଦାୟୀ କରିବାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଚିଠି ତ୍ରିଲୋଚନ ନିଜେ ଲେଖିଥିଲେ କି ନାହିଁ ପୁଲିସ ତଦନ୍ତ କରୁଛି। ହଷ୍ଟେଲରେ ପରିବେଶ କିପରି ଥିଲା? ରୁମ୍‌ରେ ରହୁଥିବା ଅନ୍ୟ ସହପାଠୀଙ୍କ ସହିତ ସେ ନିଜକୁ କେତେ ଖାପ ଖୁଆଇ ପାରୁଥିଲେ ତାହାମଧ୍ୟ ଚର୍ଚ୍ଚା ହେଉଛି। ସେହିପରି ପାଠପଢ଼ାକୁ ନେଇ ସେ କେତେ ସହଜ ଥିଲେ? ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ ସହପାଠୀମାନଙ୍କ ସହିତ ତାଙ୍କର ସମ୍ପର୍କ କିପରି ଥିଲା? ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ହଷ୍ଟେଲ କର୍ତ୍ତୃପକ୍ଷ କହୁଛନ୍ତି।

ହେଲେ କେଉଁ ପରିସ୍ଥିତିରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଜଣେଛାତ୍ର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ଆତ୍ମହତ୍ୟା ଘଟଣା ହୋଇଥିଲେ ନିୟମ ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବା କଥା। ହେଲେ କେଉଁମାନେ ରୋଷେଇ ଘରର କବାଟ ଭାଙ୍ଗି ମୃତଦେହକୁ ଡାକ୍ତରଖାନା ନେଲେ। ତାହାମଧ୍ୟ ସନ୍ଦେହ ସୃଷ୍ଟି କରିଛି। ବିଭିନ୍ନ ଦୃଷ୍ଟି କୋଣରୁ ପୁଲିସ ଏହାର ତଦନ୍ତ କଲେ ଏହି ଘଟଣା ଉପରୁ ପର୍ଦ୍ଦା ଉଠି ପାରିବ ବୋଲି କିଛି ଅଭିଭାବକ ମତ ଦେଇଛନ୍ତି। ଏସମ୍ପର୍କରେ ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ହଷ୍ଟେଲ ରୁମ୍‌ରୁ ଦୁଇଟି ଚିଠି ଜବତ କରାଯାଇଛି। ଚିଠିରେ ଯାହା ଉଲ୍ଲେଖ ରହିଛି, ସେଥିରୁ ପାଠରେ ଦୁର୍ବଳ ପାଇଁ ମାନସିକ ଭାରସାମ୍ୟ ହରାଇ ଛାତ୍ରଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏନେଇ ୪୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଜବତ ଚିଠିର ହସ୍ତାକ୍ଷର ମୃତ ଛାତ୍ରଙ୍କ ଖାତା ସହିତ ମିଶୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର