ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ

ରାୟଗଡ଼ା: କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ଭୋଟରଙ୍କୁ ସମ୍ବୋଧିତ କରିବାକୁ ଆସନ୍ତାକାଲି ରାୟଗଡ଼ା ଆସୁଛନ୍ତି କଂଗ୍ରେସର ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ। ବାରିଝୋଲାସ୍ଥିତ ଜିଆଇଏସିଆର୍‌ ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ରାହୁଲ ପହଞ୍ଚିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କର୍ମୀ ଚଳଚଞ୍ଚଳ ରହିଥିବା ବେଳେ ରାହୁଲଙ୍କ ଅଭିଭାଷଣକୁ ଭୋଟର ଅପେକ୍ଷା କରିଛନ୍ତି।

ରାୟଗଡ଼ା ଜିଲ୍ଲା ସହ ଗାନ୍ଧୀ ପରିବାରର ସଂପର୍କ ଦୀର୍ଘ ବର୍ଷର। ତେଣୁ ରାହୁଲଙ୍କ ଏହି ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବ ବହନ କରୁଛି। ପ୍ରାୟ ୩୬ବର୍ଷ ତଳେ ଅନାହାର ମୃତ୍ୟୁ ପାଇଁ ଶି‌ରୋନାମା ପାଲଟିଥିଲା କାଶୀପୁର ବ୍ଲକ। ଏହି କାରଣରୁ ପତ୍ନୀ ସୋନିଆ ଗାନ୍ଧୀଙ୍କ ସହ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବହୁ ଚର୍ଚ୍ଚିତ କାଶୀପୁର ଅଞ୍ଚଳ ପରିଦର୍ଶନ କରିଥିଲେ। ଆଦିବାସୀଙ୍କୁ ସିଧାସଳଖ ଭେଟି ବାସ୍ତବ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଏହାପରେ ତୁରନ୍ତ କୃଷିର ବିକାଶ ନିମନ୍ତେ ଓଡ଼ିଶା ଆଦିବାସୀ ଉନ୍ନୟନ ପ୍ରକଳ୍ପ (ଓଟିଡିପି) ସ୍ଥାପନ କରାଯାଇଥିଲା। ୬୦କୋଟି ଟଙ୍କା ମଞ୍ଜୁର କରିବାରୁ କୃଷିର ବିକାଶ ପାଇଁ ଆଇଫାଡ୍‌ ଯୋଜନା କାର୍ଯ୍ୟକାରୀ ହୋଇଥିଲା।

ଏହାର ଠିକ୍‌ ୪ବର୍ଷ ପରେ ପୁଣି ରାୟଗଡ଼ା ଜିଲ୍ଲାରେ ରାଜୀବଙ୍କ ପାଦ ପଡ଼ିଥିଲା। ୧୯୯୧ ମସିହା ମେ ୨୦ରେ ସାଧାରଣ ନିର୍ବାଚନ ନିମନ୍ତେ ପ୍ରଚାର କରିବାକୁ ଗୁଣପୁର ଆସିଥିଲେ ରାଜୀବ। ଜୀବନର ଶେଷ ଭାଷଣ ମଧ୍ୟ ରାଜୀବ ଗୁଣପୁରରେ ଦେଇଥିଲେ। ମେ ୨୧ରେ ତାମିଲନାଡ଼ୁରେ ରାଜୀବଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଥିଲା।

ସମ୍ବନ୍ଧିତ ଖବର