୬ ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କଟକ-ବାରବାଟୀ ପ୍ରାର୍ଥୀ

ସବୁଠି ନୂଆ ମୁହଁ, ନୀଳଗିରି ଆସନ ଝୁଲିଲା

ଭୁବନେଶ୍ବର: ବିଜେପି ଆଜି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଦଳ ସବୁ ନୂଆ ମୁହଁକୁ ସୁଯୋଗ ଦେଇଛି। ଏହିସବୁ ଆସନରେ ଦଳ ୨୦୧୯ରେ ଯେଉଁମାନଙ୍କୁ ଟିକେଟ୍ ଦେଇଥିଲା ସେମାନଙ୍କୁ ଏଥର ଭରସାକୁ ନେଇନି। ଏଥିସହିତ ବିଜେପି ବର୍ତ୍ତମାନ ସୁଦ୍ଧା ୧୪୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। କେବଳ ନୀଳଗିରି ଆସନ ବାକି ରହିଯାଇଛି। ଏଠାରେ ଦଳ କାହାକୁ ପ୍ରାର୍ଥୀ କରିବ ଏପର୍ଯ୍ୟନ୍ତ ସ୍ଥିର କରିପାରିନି। ନୀଳଗିରି ଆସନ ପାଇଁ ମେ’ ୭ ତାରିଖରୁ ନାମାଙ୍କନ ଆରମ୍ଭ ହେବାକୁ ଥିବାରୁ ଦଳ ସମୟ ନେଇଥିବା କୁହାଯାଉଛି। ବିଜେପି ପକ୍ଷରୁ ଆଜି ୫ମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ ଘସିପୁରାରେ ଡା. ଶମ୍ଭୁନାଥ ରାଉତ, ଭୋଗରାଇରେ ଆଶିଷ ପାତ୍ର, ଭଣ୍ଡାରିପୋଖରୀରେ ସୁଧାଂଶୁ ନାୟକ, ବରୀରେ ଉମେଶ ଚନ୍ଦ୍ର ଜେନା, ବାରବାଟୀ-କଟକରେ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆରେ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି।

ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଦେବାଶିଷ ନାୟକଙ୍କୁ ବିଜେପି ଟିକେଟ୍ ‌ନେଇନାହିଁ। ଶ୍ରୀ ନାୟକ ବରୀରୁ ବିଜେଡି ଟିକେଟରେ ୨୦୦୦ରୁ ୨୦୧୪ ମଧ୍ୟରେ ୪ଥର ବିଧାୟକ ହୋଇଥିବା‌ ବେଳେ ୨୦୧୯ରେ ବ‌ିଜେଡି ଟିକେଟ ଦେଇନଥିଲା। ନିକଟରେ ସେ ବି‌ଜେପିରେ ମିଶି ବରୀ ବିଧାନସଭା ପାଇଁ ଟିକେଟ ଆଶାୟୀ ଥିଲେ। କିନ୍ତୁ ବିଜେପି ତାଙ୍କୁ ଭରସା କରିନି। ସେହିପରି ବିଜେଡି ଛାଡ଼ି ବିଜେପିରେ ମିଶିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳ ବାରବାଟୀ-କଟକରେ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲେ ହେଁ ‌ଦଳ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟି‌କେଟ ଦେଇଛି।

ସମ୍ବନ୍ଧିତ ଖବର