ମଇଦାନ ବାହାରେ ୪୧ ବିଧାୟକ: ବିଜେଡିରୁ ୩୩ ଟିକେଟ କଟିଲା, ବିଜେପିରୁ ଜଣେ, କଂଗ୍ରେସରୁ ୩ ଜଣ ବାଦ୍ ପଡ଼ିଲେ

ଭୁବନେଶ୍ବର: ୨୦୧୯ରେ ଜିତିଥିବା ବିଧାୟକଙ୍କ ମଧ୍ୟରୁ ୪୧ ବିଧାୟକ ଏଥର ମଇଦାନରେ ନାହାନ୍ତି। କିଛି ବିଧାୟକଙ୍କୁ ନିଜ ଦଳ ଭରସା କରିନି। ଆଉ କିଛି ବିଧାୟକ ନିଜ ଆଡ଼ୁ ଓହରିଯାଇ ପରିବାର ସଦସ୍ୟଙ୍କ ପାଇଁ ବାଟ ଛାଡ଼ି ଦେଇଛନ୍ତି। ଆଉ କିଛି ବାଧ୍ୟବାଧକତାରେ ବାଟ ଛାଡ଼ିଛନ୍ତି। ବୟସାଧିକ୍ୟ କାରଣରୁ ବି କିଛି ବିଧାୟକ ଲଢ଼େଇରୁ ଦୂରେଇ ଯାଇଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହେଲା ପରେ ଏମିତି ଚିତ୍ର ଆଗକୁ ଆସିଛି। ବିଜେଡିର ଏଥର ୩୩ ବିଧାୟକଙ୍କ ଟିକେଟ କାଟି ଦେଇଛି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ବିଧାୟକମାନେ ହେଲେ ମାହାଙ୍ଗାର ପ୍ରତାପ ଜେନା, ମୋରଡ଼ାର ରାଜିକଶୋର ଦାସ, ଚିକିଟିର ଉଷା ଦେବୀ, ଅନୁଗୁଳର ରଜନୀକାନ୍ତ ସିଂହ, ପାରାଦୀପର ସମ୍ବିତ ରାଉତରାୟ, ଝରିଗାଁର ପ୍ରକାଶ ଚନ୍ଦ୍ର ମାଝୀ, ସୋରଡ଼ାର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ନବରଙ୍ଗପୁରର ସଦାଶିବ ପ୍ରଧାନୀ ଓ ରଘୁନାଥପାଲ୍ଲୀର ସୁବ୍ରତ ତରାଇ। ଏହି ବିଧାୟକମାନେ ଟିକେଟ ପାଇ ନଥିଲେ ବି ପରିବାର ସଦସ୍ୟଙ୍କ ପାଇଁ ନିଜେ ମଙ୍ଗ ଧରିଛନ୍ତି।

ବିଜେଡିରୁ ୩୩ ଟିକେଟ କଟିଲା
ବିଜେପିରୁ ଜଣେ, କଂଗ୍ରେସରୁ ୩ ଜଣ ବାଦ୍ ପଡ଼ିଲେ
ବିଜେଡି ୮, କଂଗ୍ରେସ ୩ ଆସନରେ ପରିବାର ସଦସ୍ୟଙ୍କୁ ଟିକେଟ ଦେଲା

ଦୁଇ ଜଣ ବିଜେଡି ବିଧାୟକ ସୁଦାମ ମାର୍ଣ୍ଡି ଓ ପ୍ରଣବ ପ୍ରକାଶ ଦାସ ଏଥର ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ତେବେ ସେମାନେ ମଧ୍ୟ ନିଜ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରାଇବାରେ ସକ୍ଷମ ହୋଇଛନ୍ତି। ସୁଦାମଙ୍କ ପତ୍ନୀ ବାଙ୍ଗିରୀପୋଷିରୁ ଓ ପ୍ରଣବଙ୍କ ମା’ କୋରେଇରୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡିରୁ ଇସ୍ତଫା ଦେଇ ବିଜେପିକୁ ଯାଇଥିବା ଦୁଇ ବିଧାୟକ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି। ସେମାନେ ହେଲେ ଜୟଦେବରେ ଅରବିନ୍ଦ ଢାଲି ଓ ହିନ୍ଦୋଳରେ ସୀମାରାଣୀ ନାଏକ। ଢାଲି ଯଥେଷ୍ଟ ପୂର୍ବରୁ ଦଳ ଛାଡ଼ିଥିଲା ବେଳେ ସୀମାରାଣୀ ଟିକେଟରୁ ବଞ୍ଚିତ ହେଲା ପରେ ଦଳ ଛାଡ଼ିଛନ୍ତି। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ବି ସେ ଅନ୍ୟ ଦଳରୁ ପ୍ରାର୍ଥୀ ହୋଇନାହାନ୍ତି। ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ଅନ୍ୟ ବିଧାୟକମାନେ ହେଲେ କେନ୍ଦ୍ରାପଡ଼ାର ଶଶୀଭୂଷଣ ବେହେରା, ପାଟକୁରାର ସାବିତ୍ରୀ ଅଗ୍ରୱାଲ, ତିର୍ତ୍ତୋଲର ବିଜୟ ଶଙ୍କର ଦାସ, ବାଲିକୁଦା-ଏରସମାର ରଘୁନନ୍ଦନ ଦାସ, ବରୀର ସୁନନ୍ଦା ଦାସ, ବଡ଼ଚଣାର ଅମର ପ୍ରସାଦ ଶତପଥୀ, କୋରେଇର ଅଶୋକ ବଳ, ଭୋଗରାଇର ଅନନ୍ତ ଦାସ, ବସ୍ତାର ନିତ୍ୟାନନ୍ଦ ସାହୁ, ସିମୁଳିଆର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୁଚିଣ୍ଡାର କିଶୋର ଚନ୍ଦ୍ର ନାଏକ, ନିମାପଡ଼ାର ସମୀର ରଞ୍ଜନ ଦାଶ, ଖୋର୍ଦ୍ଧାର ଜ୍ୟୋତିନ୍ଦ୍ରନାଥ ମିତ୍ର, ନିମାପଡ଼ାର ସମୀର ରଞ୍ଜନ ଦାଶ, ନର୍ଲାର ଭୂପିନ୍ଦର ସିଂହ, ଧର୍ମଗଡ଼ର ମୌଷଧୀ ବାଗ, ପଟ୍ଟାଙ୍ଗୀର ପ୍ରୀତମ ପାଢ଼ୀ, ଚିତ୍ରକୋଣ୍ଡାର ପୂର୍ଣ୍ଣଚନ୍ଦ୍ର ବାକା, କୁଚିଣ୍ଡାର କିଶୋର ଚନ୍ଦ୍ର ନାଏକ, ଚମ୍ପୁଆର ମିନାକ୍ଷୀ ମହାନ୍ତ ଓ କୋଟପାଡ଼ର ପଦ୍ମିନୀ ଦିଆନ। ଏମାନଙ୍କ ଟିକେଟ କଟିଥିଲେ ବି ବିଜେଡି ଛାଡ଼ିନାହାନ୍ତି। ଅଧିକାଂଶଙ୍କର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କିଛି ସ୍ପଷ୍ଟ ଆଭାସ ମିଳିନି।

ତେବେ ବିଜେଡି ଟିକେଟରୁ ବଞ୍ଚିତ ହୋଇ ଦଳ ଛାଡ଼ିଥିବା ବିଧାୟକମାନେ ହେଲେ ଆନନ୍ଦପୁରର ଭାଗୀରଥି ସେଠୀ, ଆଠମଲ୍ଲିକର ରମେଶ ଚନ୍ଦ୍ର ସାଏ ଓ ସୋରୋର ପର୍ଶୁରାମ ଧଡ଼ା। କିନ୍ତୁ ଏହି ତିନି ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇ ନାହାନ୍ତି। ବର୍ତ୍ତମାନ ବିଧାନସଭାରେ ୫ ସ୍ବାଧୀନ ବିଧାୟକ ଅଛନ୍ତି। ୪ ଜଣ ବିଜେଡିରୁ ବିଭିନ୍ନ ସମୟରେ ବହିଷ୍କୃତ ହୋଇଥିଲା ବେଳେ ଜଣେ ସ୍ବାଧୀନ ଭାବେ ଜିତିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମଇଦାନକୁ ଓହ୍ଲାଇ ସାରିଲେଣି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିଲା ବେଳେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଏଥର ପ୍ରାର୍ଥୀ ହୋଇ ନାହାନ୍ତି। କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ଅଧିରାଜ ପାଣିଗ୍ରାହୀ ବିଜେଡିରେ ମିଶି ଟିକେଟ ନେବାରେ ସକ୍ଷମ ହୋଇଛନ୍ତି। ଆଉ ଦୁଇ ଜଣ ବିଧାୟକ ନରସିଂହ ମିଶ୍ର ଓ ସୁରେଶ ରାଉତରାୟ ବୟସାଧିକ୍ୟ କାରଣରୁ ଏଥର ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ନରସିଂହଙ୍କ ପୁଅ ବଲାଙ୍ଗୀରରରୁ ଓ ସୁରଙ୍କ ପୁଅ ନିମାପଡ଼ାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଘଟଣାକ୍ରମେ ସୁର ଏବେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଆଇନଗତ ବିବାଦରେ ଫସିବା ଯୋଗୁ ମହମ୍ମଦ ମୋକିମ ଏଥର ପ୍ରାର୍ଥୀ ହୋଇପାରି ନାହାନ୍ତି। ତାଙ୍କୁ ଝିଅ କଟକ-ବାରବାଟୀରୁ କଂଗ୍ରେସ ଟିକେଟରେ ଲଢ଼ୁଛନ୍ତି। ବିଜେପିର ୨୨ ବିଧାୟକଙ୍କ ମଧ୍ୟରୁ ୨୦ ଜଣ ପୁଣି ନିଜ ନିଜ ଆସନରେ ପ୍ରାର୍ଥୀ ହୋଇଛନ୍ତି। ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଏଥର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। କେବଳ ସାରସକଣା ବିଧାୟକ ବୁଦ୍ଧାନ ମୁର୍ମୁଙ୍କ ଟିକେଟ କଟିଛି।

ସମ୍ବନ୍ଧିତ ଖବର