ଧଳସାମନ୍ତ ଦୁଇ ସହଯୋଗୀଙ୍କ ସମ୍ପତ୍ତି ଆକଳନ ପାଇଁ ଇଡ଼ିର ଚିଠି

କଟକ : ଧଳସାମନ୍ତ ଭାଇଙ୍କ ଦୁଇ ସହଯୋଗୀଙ୍କ ସମସ୍ତ ସ୍ଥାବର ସମ୍ପତ୍ତିର ଆକଳନ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛି। କଟକ କମିସନରେଟ୍‌ ପୁଲିସ ଧଳସାମନ୍ତ ଭାଇଙ୍କ ସହଯୋଗୀ ଆର୍ତ୍ତତ୍ରାଣ ଭୂୟାଁ ଏବଂ ନିର୍ମଳ ଚନ୍ଦ୍ର ରାଉତଙ୍କୁ ଗିରଫ ପରେ ଇଡି ଜବତ ସମ୍ପତ୍ତିର ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଥିଲା। ଏବେ ଉକ୍ତ ସମ୍ପତ୍ତିର ମୂଲ୍ୟ ଆକଳନ ପାଇଁ ଇଡି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମନି ଲଣ୍ଡରିଂ ଆକ୍ଟ, ୨୦୦୨ରେ ଧଳସାମନ୍ତ ଭାଇ ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ସେହି ଆଧାରରେ ମଧୁପାଟଣା ଥାନା ନୂଆପଡ଼ା ମୌଜାର ଆର୍ତ୍ତତ୍ରାଣଙ୍କ ନିର୍ମାଣାଧିନ କୋଠା ଏବଂ ଆଠଗଡ଼ ବୈଦେହିପୁର ମୌଜାର ଖୁଣ୍ଟକଟାରେ ଥିବା ନିର୍ମଳ ଚନ୍ଦ୍ର ରାଉତଙ୍କ ଫାର୍ମ ହାଉସ ଇଡି ଜବତ କରିଥିଲା। ଧଳସାମନ୍ତଙ୍କ ଉକ୍ତ ଦୁଇ ସହଯୋଗୀଙ୍କ ସମ୍ପତ୍ତି ଆକଳନ ସଂକ୍ରାନ୍ତରେ ଇଡି ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ତଥା ସଚିବଙ୍କୁ ଚିଠି ଲେଖାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେଉଁ ତାରିଖରେ ଏବଂ କେଉଁ ଅଫିସର ସମ୍ପତ୍ତି ଆକଳନ ପ୍ରକ୍ରିୟାରେ ସହଯୋଗ କରିବେ, ସେ ସମ୍ପର୍କେରେ ଅବଗତ କରାଯିବାକୁ ଚିଠିରେ ଦର୍ଶାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର