ଅକ୍ଟୋବର ୨ରୁ ଆନ୍ନାଙ୍କ ଆମରଣ ଅନଶନ:କୃଷକଙ୍କ ପାଇଁ ପେନ୍‌ସନ୍‌ ଦାବି କଲେ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଆନ୍ନା ହଜାରେ ଆସନ୍ତା ଅକ୍ଟୋବର ୨ ତାରିଖରୁ ଲୋକପାଳ ନିଯୁକ୍ତି ନେଇ ଏବଂ କୃଷିକ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଦାବି କରି ଆମରଣ ଅନଶନରେ ବସିବେ। ୮୦ ବର୍ଷୀୟ ସାମାଜିକ କର୍ମୀ ଆନ୍ନା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ଜନ୍ମିତ ଗ୍ରାମରେ ହିଁ ଆମରଣ ଅନଶନରେ ବସିବେ। କୃଷକମାନଙ୍କ ଦୁଃଖ ଦୂର କରିବାନେଇ ସ୍ୱାମୀନାଥନ କମିସନ୍‌ ସୁପାରିସ କାର୍ଯ୍ୟକାରୀ କରିବାପାଇଁ ଏବଂ କୃଷକମାନଙ୍କୁ ମାସିକ ୫,୦୦୦ ଟଙ୍କା ପେନ୍‌ସନ୍‌ ଦାବି କରି ଆନ୍ନା ହଜାରେ ଆସନ୍ତା ୨ ତାରିଖରେ ଆମରଣ ଅନଶନରେ ବସିବେ।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସରେ ମଧ୍ୟ ଆନ୍ନା ଲୋକପାଳ ନିଯୁକ୍ତି ନେଇ ଆମରଣ ଅନଶନରେ ବସିଥିଲେ। କିନ୍ତୁ ସରକାର ଏହି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆନ୍ନାଙ୍କୁ ଆଶ୍ୱସ୍ତି ଦେବା ପରେ ସେ ଅନଶନରୁ ହଟିଥିଲେ। ହେଲେ ୬ ସପ୍ତାହ ମଧ୍ୟରେ ଦାବି ପୂରଣ ନହେଲେ ସେ ପୁଣି ଥରେ ଅନଶନରେ ବସିବେ ବୋଲି ସରକାରଙ୍କୁ ଧମକ ଦେଇଥିଲେ। ଆନ୍ନା ଏହି ଲୋକପାଳ ପ୍ରସଙ୍ଗରେ ୨୦୧୧ ମସିହାରେ ୧୧ ଦିନ ଯାଏଁ ଆମରଣ ଅନଶନରେ ବସିଥିଲେ।

ସମ୍ବନ୍ଧିତ ଖବର