ଦୁର୍ଘଟଣାରେ ଗଲା ୮ ଜୀବନ

ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର୍‌‌, ୩ ମୃତ,

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଭୋଜପୁର ତବଲାକଟା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋକୁ ଏକ ପେଟ୍ରୋଲ୍‌ ଟ୍ୟାଙ୍କର୍‌ ଧକ୍କାଦେବାରୁ ୩ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

ସୂଚନା ଅନୁସାରେ, ‌ସୋମବାର ଅପରାହ୍ନ ୪ଟା୫୦ ମିନିଟ୍‌ ସମୟରେ ୪୯ନମ୍ବର ଜାତୀୟ ରାଜପଥର ତବଲାକଟା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ୮ଜଣ ଯାତ୍ରୀଙ୍କୁ ନେଇ ଏକ ଅଟୋ (ଓଡି-୧୨-୧୫୩୬) ଭୋଜପୁରରୁ କୁଚିଣ୍ଡା ଅଭିମୁଖେ ଯାଉଥିବାବେ‌ଳେ ବିପରୀତ ଦିଗରୁ ଆସୁଥବା ପେଟ୍ରୋଲ୍‌ ଟ୍ୟାଙ୍କର୍‌ (ଓଡି-୧୯କ୍ୟୁ-୪୧୫୧) ଧକ୍କା ଦେଇଥିଲା। ଧକ୍କାଦେବା ସମୟରେ ଟ୍ୟାଙ୍କର୍‌ଟି ଅଟୋ ଉପରେ ଚଢ଼ିଯିବା ସହିତ କିଛିଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଫଳରେ, ଘଟଣାସ୍ଥଳରେ ୩ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ମୃତକମାନେ ହେଲେ; ଅଟୋ ଚାଳକ ଅତିସ ନାୟକ (୫୫), ରେଙ୍ଗୁମୁଣ୍ଡାରେ ବିବାହ କରିଥିବା କୁଚିଣ୍ଡାର ଶିକ୍ଷୟିତ୍ରୀ ତନୁଜା ଶର୍ମା(ଟିକି/୫୦) ଓ ତବଲାକଟାର ସରସ୍ବତୀ ପିଙ୍ଗ (୩୫)। ସେହିପରି ଅଟୋରେ ଥିବା ମୃତ ସରସ୍ବତୀଙ୍କ ଝିଅ ଅଷ୍ଟମ ଶ୍ରେଣୀର ଛାତ୍ରୀ ରିଷ୍ଣା ପିଙ୍ଗ (୧୩), ରେଙ୍ଗୁମୁଣ୍ଡାର ସତ୍ୟବତୀ ନାଏକ (୨୨), ଖୁଣ୍ଟଲାବାହାଲର ମିଶ୍ର କଣ୍ଡରା (୩୫), ସଦାନନ୍ଦ ବାଗ (୫୦)ଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସମସ୍ତଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକମାନଙ୍କ କହିବାନୁଯାୟୀ, ଚାଳକ ନିଶାସେବନ କରି ଗାଡ଼ି ଚଳାଉଥିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେଇଥିଲା।

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ଏପଟେ ରାସ୍ତାରେ ଗାଡ଼ି ଚାଳଚଳ ସ୍ବାଭାବିକ କରିବାକୁ ପୁଲିସ ଚେଷ୍ଟା କରୁଛି।

ଜନନୀ ଏକ୍ସପ୍ରେସ୍‌-ଅଟୋ ଧକ୍କା, ୩ ମୃତ, ୭ ଗୁରୁତର

ବଣାଇଗଡ଼/କଲେଇପୋଷ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ (କ)ର ପୁଇଗାଁ ହଂସରାଡ଼ି ପୋଲ ନିକଟରେ ଜନନୀ ଏକ୍ସପ୍ରେସ୍‌-ଅଟୋ ଧକ୍କାହେବା ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ବୃଦ୍ଧ ଅନ୍ତର୍ଭୁକ୍ତ। ଏହି ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି।

ଆଜି ଅପରାହ୍ନ ପ୍ରାୟ ୨ଟାବେଳେ ଏକ ଅଟୋ ( ନମ୍ବର ଓଡି ୧୪ ୟୁ ୧୪୩୪) ବଣାଇ ସାପ୍ତାହିକ ହାଟରୁ ଖୁଣ୍ଟଗାଁ ଦିଗରେ ଯାଉଥିବାବେଳେ ଅପରଦିଗରୁ ଆସୁଥିବା ଏକ ଜନନୀ ଏକ୍ସପ୍ରେସ୍‌ (୧୦୨ ଆମ୍ବୁଲାନ୍ସ, ଓଡି ୧୪ ପି ୩୬୦୯) ସହିତ ମୁହଁାମୁହିଁ ଧକ୍କା ହୋଇଥିଲା। ଫଳରେ, ଦୁଇଟି ଯାକ ଗାଡ଼ି ପୋଲତଳକୁ ଖସି ପଡ଼ିଥିଲା। ଅଟୋରେ ବସିଥିବା ଯାତ୍ରୀମାନେ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଓ ବଣାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରିବା ସହ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ୨ ମହିଳା ହେଉଛନ୍ତି ରାଇକଲାପୋଷ ଗ୍ରାମର ମାଳତୀ କିଷାନ (୫୦) ଓ ପ୍ରିୟଙ୍କା ସାହୁ (୧୮)। ଗୁରୁତର ଅାହତଙ୍କ ମଧ୍ୟରୁ ପ୍ରଫୁଲ୍ଲ ନାଏକ (୬୦)ଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ପୁଷ୍ପା ସାହୁ, ନମିତା ମୁଣ୍ଡା, ସୁନୀତା ମୁଣ୍ଡା, ପାର୍ବତୀ ମୁଣ୍ଡା, ଜୟଦେବ କିଷାନ, ଫକୀର ମୁଣ୍ଡା ଓ ଅଟୋଚାଳକ ଲାଦୁ ମୁଣ୍ଡା। ସମସ୍ତଙ୍କୁ ବଣାଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବରପାଇ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହିତ ମୃତକଙ୍କ ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ସୌଭାଗ୍ୟକୁ ଦୁର୍ଘଟଣାରେ ଆମ୍ବୁଲାନ୍‌ସ ଚାଳକ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ସଂପର୍କୀୟ ଭାଇଭଉଣୀଙ୍କ ମୃତ୍ୟୁ

ଯାଜପୁରସଦର : ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ସଂପର୍କୀୟ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଦୁହେଁ ହେଲେ କୁଆଖିଆ ଥାନା ପ୍ରଥମାଖଣ୍ଡ ପଞ୍ଚାୟତ ଦମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ (୨୩) ଓ ଆଶିଷ ଲେଙ୍କାଙ୍କ ଝିଅ ଶୁଭ୍ରା ସମ୍ଭାବନା (୧୫)। ଦୁହେଁ ଏକ ସ୍କୁଟରରେ ଆଜି ଜାରକାରୁ ଘରକୁ ଫେରୁଥିଲେ। ଏହି ସମୟରେ ବାରବାଟୀ ଛକ ନିକଟରେ ଏକ ଅଜଣା ଗାଡ଼ି ଦୁହିଁଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶୁଭ୍ରାଙ୍କର ମୃତ୍ୟୁ ଘଟିଥିଲା। ରଂଜିତଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଟକ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର