ବଧୂହତ୍ୟା ଅଭିଯୋଗରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁରଟାଉନ/ସଦର : ମୃତ୍ୟୁକାଳୀନ ବୟାନ କାଳହେଲା। ଏହି ବୟାନ ଫଳରେ ଏକ ବଧୂହତ୍ୟା ମାମଲାରେ ମୃତ ମହିଳାଙ୍କ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ମାନ୍ୟବର ଯାଜପୁର ଜିଲ୍ଲା ଦୌରାଜଜ୍ ଶ୍ରୀକାନ୍ତ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ଅନୁସାରେ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମଣ୍ଡା ଗ୍ରାମର ବାବାଜୀ ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଜେନାପୁର ଥାନା ଦଣ୍ଡାଘାଟି ଗ୍ରାମର ବୀରବର ପଣ୍ଡାଙ୍କ ପୁଅ ଚକ୍ରଧରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଶାଶୁଘର ଲୋକ ଝିଅକୁ ନିର୍ଯାତନା ଦେଉଥିବା ବେଳେ ଆପୋସ ବୁଝାମଣାରେ ସମାଧାନ ହେଉଥିଲା। ତେବେ ୨୦୧୪ ଫେବ୍ରୁଆରି ମାସ ୨୯ ତାରିଖରେ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର, ଦିଅର ଅମି, ଶାଶୂ ତନୁଲତା ଓ ଶ୍ୱଶୁର ବୀରବର କିରାସିନି ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଗୁରୁତର ଲକ୍ଷ୍ମୀପ୍ରିୟାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କଟକ ଏସ୍‌ପି ଓ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକାଳୀନ ବୟାନ ରେକର୍ଡ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଲକ୍ଷ୍ମୀପ୍ରିୟାଙ୍କର ମୃତ୍ୟୁ ହୋଇଥିଲା।

ଏହାପରେ ଲକ୍ଷ୍ମୀପ୍ରିୟାଙ୍କ ମାଆ କମଳା ପଣ୍ଡା ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସେତେବେଳେ ଥାନା କେସ୍‌ ନମ୍ବର ୩୭/୧୪ରେ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ, ଦିଅର, ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୬ ଜଣ ସାକ୍ଷୀଙ୍କ ବୟାନ ଓ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକାଳୀନ ବୟାନକୁ ଭିତ୍ତିକରି ମାନ୍ୟବର ଜିଲ୍ଲା ‌ଦୌରାଜଜ ଶ୍ରୀ ମିଶ୍ର ୪ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରୋସିକ୍ୟୁଟର ଗଦାଧର ସାହୁ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର