ବାଲ୍ୟ ବିବାହ ବେଳେ କନ୍ୟା ଉଦ୍ଧାର, ବର ଅଟକ

ଖୋର୍ଦ୍ଧା: ଆଜି ଏକ ବାଲ୍ୟ ବିବାହକୁ ଚାଇଲଡ୍ ଲାଇନ୍, ସିଡିପିଓ ଓ ପୁଲିସର ମିଳିତ ପ୍ରୟାସରେ ଅଟକାଯିବା ସହ କନ୍ୟାକୁ ଉଦ୍ଧାର କରାଯାଇଛି ଓ ବର ଗିରଫ ହୋଇଛି ।

ସୂଚନାନୁସାରେ, ଖୋର୍ଦ୍ଧା ଟାଉନ୍ ଥାନା ଅଧୀନ ଖୋର୍ଦ୍ଧା ସହରର ଜଣେ ନାବାଳିକା (୧୭) ଓ ପାଇକ ତିଗିରିଆର ଯୁବକ ଭଲପାଇ ଘର ଛାଡ଼ିଚାଲିଯାଇଥିଲେ । ତେବେ ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ୧୦-୧୫ ଦିନ ପୂର୍ବେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଆଜି ତମାଣ୍ଡୋ ବନଦୁର୍ଗା ମନ୍ଦିରରେ ଗୁପ୍ତ ଭାବେ ସେହି ଦୁଇଜଣଙ୍କ ବିବାହ ହେଉଥିବା ବେଳ ସୂଚନା ପାଇଁ ଚାଇଲ୍ଡଲାଇନ୍ ଖୋର୍ଦ୍ଧା ଓ ଭୁବନେଶ୍ୱରର ସଦସ୍ୟ, ଭୁବନେଶ୍ୱର ସିଡିପିଓ, ତମାଣ୍ଡୋ ଓ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ବିବାହ ମଣ୍ଡପରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଭୁବନେଶ୍ୱର ସିଡବ୍ଲୁସିସିରେ ହାଜର କରିଥିଲେ । ବର ଓ ବରର ପରିବାର ସଦସ୍ୟଙ୍କୁ ଆଣି ଥାନାରେ ଅଟକ ରଖିଛନ୍ତି । ଏହି ଚଢ଼ଉରେ ଚାଇଲ୍ଡ ଲାଇନ୍ର ମଣିପାଲ ସାହୁ, ପ୍ରଣତି ପଟ୍ଟନାୟକ, ଭୁବନେଶ୍ୱର ଚାଇଲ୍ଡ ଲାଇନ୍ର ଇତିଶ୍ରୀ ଦାସ, ରଂଜନ ଭୋଇ, ଭୁବନେଶ୍ୱର ସିଡିପିଓ କବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ନାବାଳିକା ବିବାହ ଘଟଣାରେ ବର ଓ ବିବାହ ଆୟୋଜନ କରିଥିବା ପରିବାର ଅନ୍ୟ ସଦସ୍ୟମାନଙ୍କୁ ଆଣି ଥାନାରେ ଅଟକ ରଖାଯାଇଛି । ଆଇନାନୁସାରେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର