ଦ୍ବିତୀୟ ପର୍ଯ୍ୟାୟରେ ଆସିଲା ୨୫ଟି ରଥକାଠ

ପୁରୀ: ରଥ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ଦ୍ବିତୀୟ ପର୍ଯ୍ୟାୟ ରଥକାଠ। ନୟାଗଡ଼ ବନ ବିଭାଗ ଅନ୍ତର୍ଗତ ମହିପୁର ଅଞ୍ଚଳରୁ ଆଜି ୨୫ଟି ରଥକାଠ ଆସିଛି। ସେଥିମଧ୍ୟରୁ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି। ଏଥିସହ ପ୍ରଥମ ପର୍ଯ୍ୟାୟକୁ ମିଶାଇ ମୋଟ୍‌ ୧୨୭ ଖଣ୍ଡ କାଠ ପହଞ୍ଚିଛି। ସେଥିମଧ୍ୟରୁ ୩୩ଟି କାଠ କରତ କଳରେ ପହଞ୍ଚି ସାରିଛି। ସମୁଦାୟ ୩୮୧ଟି କାଠ ରଥଖଳାକୁ ଓ ୪୩୧ଟି କାଠ କରତକଳକୁ ଚିରଟ ପାଇଁ ଯିବ।

ଶ୍ରୀମନ୍ଦିରର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ଦ୍ବିତୀୟ ପର୍ଯ୍ୟାୟରେ ଆସିଥିବା ଅସନ କାଠରେ ରଥର ଗୟଳ ଓ ଦଣ୍ଡା ତିଆରି ହେବ। ଧଉରା କାଠରେ ରଥର ଅଖ ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ୩ଟି ଟ୍ରକ୍‌ରେ ୧୦୨ ଖଣ୍ଡ ରଥକାଠ ଆସିଥିଲା। ଯେଉଁଥିରେ ୫୦ ଖଣ୍ଡ ଅସନ ଓ ୫୨ ଖଣ୍ଡ ଧଉରା କାଠ ରହିଥିଲା। ରଥଯାତ୍ରା ପାଇଁ ୮୬୫ ଖଣ୍ଡ ରଥକାଠ ଆବଶ୍ୟକ ଥିବାବେଳେ ଗତବର୍ଷର ୫୩ ଖଣ୍ଡ କାଠ ବଳି ପଡ଼ିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୨ ଖଣ୍ଡ ରଥକାଠ ଆସିବ। ବସନ୍ତ ପଞ୍ଚମୀ ତିଥିରେ (ସରସ୍ବତୀ ପୂଜା) ରଥକାଠ ଅନୁକୂଳ ହୋଇଥିଲା। ଏହି ଦିନ ୩ଟି ଧଉରା କାଠ ବିଧିପୂର୍ବକ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ପର୍ଯ୍ୟାୟକ୍ରମେ ଆବଶ୍ୟକ କାଠ ପୁରୀକୁ ଆସିବ ବୋଲି ଶ୍ରୀ ମେକାପ କହିଛନ୍ତି।

ସମ୍ବନ୍ଧିତ ଖବର