ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହେବା ଘଟଣା: ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳଙ୍କୁ ନୋଟିସ୍‌

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଡହଡହ ଖରାରେ ଘଣ୍ଟା ଘଣ୍ଟା ଛିଡ଼ାହେବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିବା ବେଳେ ପୁରୀ ବିକାଶ ପରିଷଦ ପକ୍ଷରୁ ଏ ଉପରେ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ କରାଯାଇଥିଲା। ଆୟୋଗ ଅଭିଯୋଗର ଶୁଣାଣି କରି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୮ ସପ୍ତାହ ମଧ୍ୟରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।

ପୁରୀ ବିକାଶ ପରିଷଦ ପକ୍ଷରୁ ସଭାପତି ଜଗନ୍ନାଥ ବସ୍ତିଆ ଅଭିଯୋଗ କରିଥିଲେ ଯେ ବରିଷ୍ଠ ନାଗରିକ ହୁଅନ୍ତୁ କି ଭିନ୍ନକ୍ଷମ ଅବା ମହିଳା ଭକ୍ତ ସମସ୍ତଙ୍କୁ ଦର୍ଶନ ପାଇଁ ସିଂହଦ୍ବାରରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼ୁଛି। ଆଜି ପର୍ଯ୍ୟନ୍ତ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ। ଯେଉଁଥିପାଇଁ ଦର୍ଶନ ବେଳେ ଧସ୍ତାଧସ୍ତି ପରିସ୍ଥିତି ଉପୁଜୁଛି। ଶ୍ରୀମନ୍ଦିର ବାହାର କାଠ ଓ ଭିତରକାଠରୁ ଦର୍ଶନ ବେଳେ ବ୍ୟାପକ ବିଶୃଙ୍ଖଳା ଦେଖାଦେଉଛି। ମନ୍ଦିର ଭିତରେ ମହିଳାଙ୍କଠାରୁ ସୁନାଗହଣା ଚୋରି ଭଳି ଘଟଣା ନଜରକୁ ଆସୁଛି। ଏହା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନର ଚରମ ଅବହେଳାକୁ ପ୍ରତିପାଦିତ କରୁଛି। ଏହି ଅଭିଯୋଗ ଆଧାରରେ ଆୟୋଗ ୮ ସପ୍ତାହ ମଧ୍ୟରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର