ନବ ଯୋଗୁଁ ଅଡ଼ୁଆରେ କିଶୋର, କେଉଁ ଆସନରେ ଲଢ଼ିବେ?

ଝାରସୁଗୁଡା, (ପ୍ରଶାନ୍ତ କୁମାର ମିଶ୍ର): ଝାରସୁଗୁଡ଼ା ବିଜେଡ଼ି ରାଜନୀତିରେ ଏବେ କିଶୋର ମହାନ୍ତି ଚକ୍ରବ୍ୟୂହରେ ଫସି ଯାଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡ଼ିରେ ନବ ଦାସ ଯୋଗଦାନ କରିବା ପରେ କିଶୋର କେଉଁ ଆସନରେ ଛିଡ଼ା ହେବେ ତାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ। ଏପଟେ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ସେ ଅଡ଼ୁଆରେ ପଡ଼ି ଯାଇଥିବା କୁହାଯାଉଛି।

ଝାରସୁଗୁଡ଼ା ରାଜନୀତିରେ ନବ ଓ କିଶୋର ଦୁହେଁ ଏକ ଚର୍ଚ୍ଚିତ ଓ ଅଭିଜ୍ଞ ରାଜନେତା । ଉଭୟଙ୍କ ପାଖରେ ରହିଛି ରାଜନୀତି ଜୀବନର ଲମ୍ବା ଅଭିଜ୍ଞତା। ଉଭୟ ନେତା ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଲାଗି ରହିଥିଲା ରାଜନୈତିକ ଶତୃତା। କିଶୋର କାଉନସିଲର ଭାବରେ ନିବାର୍ଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରି ନଗରପାଳ ଓ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରୁ ଜନତା ଦଳ ଟିକେଟରେ ବିଧାୟକ ଭାବରେ ବିଜୟୀ ହୋଇ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ। ତେବେ ୧୯୯୫ ମସିହାରେ ସେ ପରାଜୟ ବରଣ କରିଥିଲେ। ୨୦୦୦ ଓ ୨୦୦୪ ମସିହାରେ କିଶୋର ପୁଣି ବିଜେଡ଼ିରୁ ଝାରସୁଗୁଡ଼ା ବିଧାୟକ ହୋଇଥିଲେ। ଦୀର୍ଘ ଦିନ ଧରି ସେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ଅଳଙ୍କୃତ କରିଥିବା ବେଳେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ। ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ପଦବିରେ ଅବସ୍ଥାପିତ କରିଥିଲେ। ୨୦୦୯ ମସିହା ଠାରୁ ସେ ଲଗାତାର ଦୁଇ ଥର କଂଗ୍ରେସ ପ୍ରାର୍ଥୀ ନବ ଦାସଙ୍କ ଠାରୁ ପରାଜୟ ବରଣ କରୁଥିଲେ ମଧ୍ୟ ନବୀନ ସରକାର ତାଙ୍କୁ ଥରେ ରାଜ୍ୟସଭାକୁ ଓ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରିଥିଲେ। ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ନବ ଦାସ ଦୁଇ ଥର ଝାରସୁଗୁଡ଼ା ବିଧାୟକ ଭାବରେ ନିର୍ବାଚତ ହୋଇ ଜିଲ୍ଲା ରାଜନୀତିରେ ଏକ ବୃହତ ଶକ୍ତି ଭାବରେ ଉଭା ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ନବ ଓ କିଶୋର କେବେ ମୁହାଁମୁହିଁ ହେଉନଥିଲେ କି ଗୋଟିଏ ମଞ୍ଚରେ କେବେ କେହି ଦେଖୁନଥିଲେ। ଉଭୟଙ୍କ ମଧ୍ୟରେ ଭୟଙ୍କର ବିରୋଧାଭାବ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜନୀତିକୁ ମଧ୍ୟ ପ୍ରଭାବିତ କରିଥିଲା। ଏଭଳି ସ୍ଥିତିରେ ନବ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଶ୍ବାସଭାଜନ ହୋଇ ଜିଲ୍ଲା ରାଜନୀତିରେ କିଶୋରଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ପ୍ରଶାସନକୁ ଏକ ପ୍ରକାର ହାତକୁ ନେଇଯାଇଥିଲେ। କଂଗ୍ରେସ ବିଧାୟକ ଥାଇ ମଧ୍ୟ ନବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସଭାର ସମସ୍ତ ବ୍ୟବସ୍ଥା କରି ଆସୁଥିଲେ। ଗତ ଜାନୁୟାରୀ ମାସରେ ନବ ବିଜେଡ଼ିରେ ଯୋଗଦେବା ପରେ କିଶୋରଙ୍କ ଅଡ଼ୁଆ ବଢ଼ି ଯାଇଥିଲା। ଝାରସୁଗୁଡ଼ା ଆସନରେ ନବ ବିଜେଡ଼ି ଟିକେଟ ନେବା ପାଇଁ ନିଶ୍ଚିତ କରିବା ପରେ କିଶୋର କୁଆଡ଼େ ଯିବେ ତାହା ବିଜେଡ଼ି ସ୍ଥିତ କରିନାହିଁ।

କିଶୋର ଏବେ କେଉଁ ଆସନରେ ନିର୍ବାଚନ ଲଢ଼ିବେ ନିଷ୍ପତ୍ତି ହୋଇନାହିଁ। ଏଭଳି ସ୍ଥିତିରେ ସେ ବିଜେପି ମନସ୍କ ହୋଇଥିବା ଜିଲ୍ଲାରେ ଚର୍ଚ୍ଚା ଚାଲିଛି। ସେ ବିଜେପିକୁ ଗଲେ ଦଳ ତାଙ୍କୁ ବ୍ରଜରାଜନଗର ଆସନ ଦେବାକୁ ଦିଲ୍ଲୀ ସ୍ତରରେ କଥାବାର୍ତ୍ତା ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ତେବେ ବ୍ରଜରାଜନଗର ବିଜେପି ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କୁ ବରଗଡ଼ ଲୋକସଭା ଟିକେଟ ଦେବାକୁ ମଧ୍ୟ ଚର୍ଚ୍ଚା ହେଉଛି। ବିଜେପି ଦଳରେ ଯୋଗ ଦେଉଥିବା କଥାକୁ ଅବଶ୍ୟ କିଶୋର ଏକ ଗୁଜବ ବୋଲି କହି ମୁଁ ବର୍ତ୍ତମାନ ବିଜେଡ଼ିରେ ଅଛି ଓ ଆଗାମୀ ଦିନରେ ମଧ୍ୟ ରହିବି ବୋଲି କହିଛନ୍ତି। କିଶୋରଙ୍କ ପାଇଁ ନବ ସବୁବେଳେ ଅଡ଼ୁଆ ବୋଲି କିଛି ବିଜେଡ଼ି କର୍ମୀ ମତବ୍ୟକ୍ତ କରିଥିବା ବେଳେ ଏବେ ନବ ବିଜେଡ଼ିକୁ ଆସିବା ପରେ କିଶୋରଙ୍କ ଅଡ଼ୁଆ ଆହୁରି ବଢ଼ି ଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର