ଜଷ୍ଟିସ ଅଜିତ ସିଂହ ହେଲେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ

ଭୁବନେଶ୍ବର : ଜଷ୍ଟିସ୍‌ ଅଜିତ ସିଂହ ହେବେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ଲୋକାୟୁକ୍ତ ଆଇନ କାର୍ଯ୍ୟକ୍ଷମ ହେବା ପରେ ଲୋକାୟୁକ୍ତ ଚୟନ କମିଟିର ସୁପାରିସକୁ ଗ୍ରହଣ କରି ଜଷ୍ଟିସ୍‌ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତିି ରାଜ୍ୟପାଳ।

ଲୋକାୟୁକ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ଘେରୁଥିବା ବେଳେ ନିର୍ବାଚନ ପୂର୍ବରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଗତ ମାସ ୧୧ ତାରିଖରେ ସୁପ୍ରିମ କୋର୍ଟରେ ରାଜ୍ୟ ସରକାର ଏସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ। ଜଣାଇଥିଲେ ଯେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା େଲାକାୟୁକ୍ତ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା େଶଷ ହେବ। ଏପ୍ରିଲ ୮ ତାରିଖରୁ େଲାକାୟୁକ୍ତଙ୍କ କାର୍ଯ୍ୟାଳୟ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ କରିବ।

ସୂଚନାଯୋଗ୍ୟ, ଗତ ମାସ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକାୟୁକ୍ତ ଚୟନ କମିଟିର ତୃତୀୟ ବୈଠକରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡାନ୍ତ ହୋଇଥିଲା। ଏଥିଲାଗି ରାଜ୍ୟପାଳଙ୍କୁ ସୁପାରିସ କରାଯାଇଥିଲା। ଆସନ୍ତା ୧୯ ତାରିଖରେ ପୁଣି ଥରେ ଚୟନ କମିଟିର ବୈଠକ ବସି ଯାଞ୍ଚ କମିଟି ଦ୍ବାରା ଚୟନ କରାଯାଇଥିବା ଲୋକାୟୁକ୍ତ ସଦସ୍ୟଙ୍କ ନାମ ଉପରେ ତର୍ଜମା କରାଯିବ। ଏହାପରେ ସଦସ୍ୟଙ୍କ ନିଯୁକ୍ତି ଅନୁେମାଦନ ପ୍ରସ୍ତାବ ରାଜ୍ୟପାଳଙ୍କ ନିକଟରେ ରଖାଯିବ ଓ ମଞ୍ଜୁରି ମିଳିବା ପରେ େଗଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ।

ଏହି ଚୟନ କମିଟିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଝାଭେରୀ ଓ ଜଷ୍ଟିସ ଅନଙ୍ଗ ନାରାୟଣ ପଟ୍ଟନାୟକ ପ୍ରମୁଖ ରହିଛନ୍ତି।

ଜଷ୍ଟିସ୍‌ ଅଜିତ ସିଂହ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ସେ ମାର୍ଚ ୨୦୧୬ରେ ମୁଖ୍ୟ ବିଚାରପତି ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ସେପଟେମ୍ବର ୨୦୧୮‌େର ଅବସର ଗ୍ରହଣ କରିଥିଲେ। ୧୯୫୬ରେ ଜଷ୍ଟିସ୍‌ ସିଂହ ମଧ୍ୟ ପ୍ରଦେଶର ଜବଲ୍‌ପୁରରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୨ରେ ମଧ୍ୟ ପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ରାଜସ୍ଥାନ, ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର